ବୃଦ୍ଧା ବାଘୁଣୀ ଅନିତା ଅସୁସ୍ଥ

ବାରଙ୍ଗ: ତିନି ଦିନ ହେଲା ନନ୍ଦନକାନନର ବୃଦ୍ଧା କଲରାପତରିଆ ବାଘୁଣୀ ଅନିତା ଅସୁସ୍ଥ ହୋଇପଡ଼ିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଏହି ୧୫ବର୍ଷୀୟା ବାଘୁଣୀର ପେଟରେ କିଛି ସମସ୍ୟା ହୋଇଥିବାରୁ ସେ ଖିଆପିଆ କରୁନଥିଲା କି ମଳତ୍ୟାଗ ବି ଠିକ‌ରେ କରୁନଥିଲା। ତେବେ ଚିକିତ୍ସା ପରେ ଆଜି ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୂଚନାନୁସାରେ, ଅନିତା ୧୯(କ) ଖୁଆଡ଼ରେ ଏକ ଅଣ୍ଡିରା ବାଘ ସହିତ ରହୁଛି। ଗତ କିଛି ଦିନ ହେଲା ଅନିତାର ପେଟ ଫୁଲିବା ଜଣାପଡ଼ିବାରୁ ପ୍ରଥମେ ସେ ଗର୍ଭଧାରଣ କରିଥିବା ଅନୁମାନ କରାଯାଇଥିଲା। କିନ୍ତୁ ପରେ ତା’ର ମଳତ୍ୟାଗ‌ରେ ସମସ୍ୟା ଦେଖା ଦେବାରୁ ଚିକିତ୍ସକମାନେ ଚିନ୍ତାରେ ପଡ଼ିଯାଇଥିଲେ। ତେଣୁ ତାକୁ ଖୁଆଡ଼ରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରକୁ ଅଣାଯାଇଥିଲା। ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ମେଡିସିନ୍‌ ବିଭାଗ ବିଶେଷଜ୍ଞ ପ୍ରଫେସର୍‌ ନିରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ବୁଧବାର ଦିନ ଅନିତାର ପେଟରେ ଅଲ୍‌ଟ୍ରାସାଉଣ୍ଡ୍‌ ପରୀକ୍ଷା କରାଯାଇଥିଲା। ଏଥିରୁ ତା’ର ତଳିପେଟରେ ପାଣି ଜମିଥିବା ଜଣାପଡ଼ିଥିଲା। ତେଣୁ ତାକୁ ଆବଶ୍ୟକ ଔଷଧ ଦିଆଯାଇଥିଲା। ଗତକାଲିଠାରୁ ନିୟମିତ ବ୍ୟବଧାନରେ ତାକୁ ଔଷଧ ଦିଆଯିବା ପରେ ଆଜି ତା’ର ମଳତ୍ୟାଗ ସ୍ୱାଭାବିକ ଅବସ୍ଥାକୁ ଆସିଛି ବୋଲି ସୂଚନା ମିଳିଛି। ତେଣୁ ତାକୁ ପୁଣି ଖୁଆଡ଼କୁ ଫେରାଇ ନିଆଯାଇଥିବା କୁହାଯାଇଛି। ସୂଚନାଯୋଗ୍ୟ ଯେ ଅନିତା ୨୦୦୮ ମେ ୨୪ ତାରିଖରେ ଗୁଜରାଟ ସକରାବାଗରେ ଜନ୍ମଲାଭ କରିଥିଲା ଏବଂ ତାକୁ ସେଠାରୁ ୨୦୧୩ ମାର୍ଚ୍ଚ ୨୫ରେ ନନ୍ଦନକାନନକୁ ଅଣାଯାଇଥିଲା। ନନ୍ଦନକାନନରେ ଏବେ ମୋଟ ୫ଟି କଲରାପତରିଆ ବାଘ ଅଛନ୍ତି।

ସମ୍ବନ୍ଧିତ ଖବର