ଏକାମ୍ର କ୍ଷେତ୍ର ଜମି ମାଲିକଙ୍କ ଚେତାବନୀ, ପ୍ରଥମେ କ୍ଷତିପୂରଣ ପରେ ଜମି ଅଧିଗ୍ରହଣ ହେଉ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ତଥା ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶକୁ ସ୍ଥାୟୀ ବାସିନ୍ଦା ସ୍ବାଗତ କରିଥିବା ବେଳେ କ୍ଷତିପୂରଣ ନଦେଲେ ସହଯୋଗ କରିବେ ନାହିଁ ବୋଲି ସ୍ଥାୟୀ ଜମି ମାଲିକ ଚେତାବନୀ ଦେଇଛନ୍ତି। ପ୍ରଥମେ କ୍ଷତିପୂରଣ, ଥଇଥାନ ପରେ ସରକାର ଜମି ନେଲେ ସହଯୋଗ କରିବେ ବୋଲି ଆଜି ସ୍ଥାୟୀ ଜମି ମାଲିକମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସ୍ଥାନୀୟ ତଳ ବଜାର ବିନ୍ଧ୍ୟବାସିନୀ ମନ୍ଦିରଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସେବାୟତ, ଏକାମ୍ର ମୁରବି ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ବିଏମ୍‌ସି କମିସନର ଜମି ମାଲିକଙ୍କ ସହ ଆଲୋଚନା ବେଳେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଜମିକୁ ସିଧା ସଳଖ କିଣିବେ। ତେବେ ଜମି ହସ୍ତାନ୍ତର ବେଳେ କ୍ଷତିପୂରଣ ଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ଦୁଇ ଦିନ ମଧ୍ୟରେ ମୁଖ୍ୟ ବ୍ଲୁ ପ୍ରିଣ୍ଟ୍‌ ପ୍ରଦର୍ଶନ କରିବା ସହ ନୋଟିସ୍‌ କରିବାକୁ କହିଥିଲେ ମଧ୍ୟ ଏହା ନକରି ପୁଣି ସର୍ଭେ କରିବାକୁ ଆସୁଛନ୍ତି। ସରକାର କ୍ଷତିପୂରଣ ଦେଇ ଜମି ଅଧିଗ୍ରହଣ ନକଲେ ସହଯୋଗ କରିବେ ନାହିଁ ବୋଲି ମଞ୍ଚର ସଦସ୍ୟ ଜଗତ ଗରାବଡ଼ୁ, ରବୀନ୍ଦ୍ର ମହାରଣା, ସୂର୍ଯ୍ୟ ନାରାୟଣ ପଣ୍ଡା, ଭବାନୀ ଚନ୍ଦ୍ର ପୂଜାପଣ୍ଡା, ଶିରୀଶ ପୂଜାପଣ୍ଡା ଓ ବହୁ ସଭ୍ୟ କହିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ, ଓଡ଼ିଶା ରାଇଟ୍‌ ଟୁ ଫେୟାର କମ୍ପେନସେଶନ ଆଣ୍ଡ ଟ୍ରାନ୍ସପରେନ୍ସି ଇନ୍‌ ଲ୍ୟାଣ୍ଡ ଆକ୍ୱିଜିଶନ ନିୟମ ଅନ୍ତର୍ଗତ ଥଇଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ। ଚଳିତ ବର୍ଷ ଅଧିଗ୍ରହଣ କରୁଥିବା ବେଳେ ୨୦୧୩ ମସିହାର ସରକାରୀ ଜମି ମୂଲ୍ୟ ହିସାବକୁ ନିଆଯିବ ବୋଲି କୁହାଯାଉଛି। ତେବେ ନିୟମ ଅନୁଯାୟୀ ଆଲୋଚନା ମାଧ୍ୟମରେ ଗ୍ରାମସଭା, ଭାଗୀଦାରି ମାଧ୍ୟମରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସ୍ବଚ୍ଛତା ଅବଲମ୍ବନ କରାଯିବା ଉଚିତ୍‌। ଶିଳ୍ପର ବିକାଶ, ସହରୀକରଣ ଓ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତ କରିବା ନେଇ ଜମି ହରାଇଥିବା ଲୋକଙ୍କୁ ସର୍ବନିମ୍ନ କ୍ଷତି ନ ପହଞ୍ଚାଇ ସେମାନଙ୍କୁ ଉପଯୁକ୍ତ ଥଇଥାନ କରି କ୍ଷତିପୂରଣ ଦିଆଯିବ। ଏଥିସହ ପରବର୍ତ୍ତୀ ସମୟରେ ସେମାନେ ସାମାଜିକ ନିରପତ୍ତା ଓ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ନିୟମ ରହିଛି। ଅନେକ କ୍ଷେତ୍ରରେ ସରକାରୀ ଯୋଜନା ପୂର୍ଣ୍ଣାଙ୍ଗ ରୂପ ନେବା ପୂର୍ବରୁ ଆଇନ ଅଦାଲତ ଯୋଗୁ ଅଟକି ରହିଯାଏ। ଏଣୁ ଆମମାନଙ୍କୁ ପ୍ରଥମେ କ୍ଷତିପୂରଣ, ଥଇଥାନ କରି ସରକାର ଜମି ଓ ଘର ନିଅନ୍ତୁ ବୋଲି ସେମାନେ କହିଥିଲେ।

ସମ୍ବନ୍ଧିତ ଖବର