ସେବାୟତ ଓ ଏକାମ୍ର ମୁରବି ମଞ୍ଚର ଦାବି: ଥଇଥାନ ପରେ ଦୋକାନ ଉଚ୍ଛେଦ କରାଯାଉ

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ସ୍ଥିତିବାନ ଦୋକାନ ମାଲିକଙ୍କ ଜମି ଅଧିଗ୍ରହଣ ପାଇଁ ପ୍ରଥମେ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍‌ ଘୋଷଣା କରନ୍ତୁ। ଏଥିସହ ନୂଆ ଲିଙ୍ଗରାଜ ମାର୍କେଟ ନିକଟରେ ଦୋକାନ ପଟ୍ଟାସୂତ୍ରରେ ପ୍ରଦାନ କରନ୍ତୁ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଲିଙ୍ଗରାଜ ସେବାୟତ ଓ ଏକାମ୍ର ମୁରବି ମଞ୍ଚ ପକ୍ଷରୁ କୁହାଯାଇଛି। ମଞ୍ଚ ପକ୍ଷରୁ ସ୍ଥାନୀୟ ସିଦ୍ଧି ମଣ୍ଡପଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ପୂର୍ବରୁ ସମୂହ ଆଲୋଚନା ପାଇଁ କୁହାଯାଇଥିବା ବେଳେ ବିଏମ୍‌ସି ଓ ଜିଲ୍ଲା ପ୍ରଶାସନ କିଛି ଲୋକଙ୍କୁ ଡକାଇ ଭାଙ୍ଗିବା ପାଇଁ ଭୟ ଦେଖାଉଛନ୍ତି। ଫଳରେ ବ୍ୟବସାୟୀ ଚିନ୍ତାରେ ରହିଛନ୍ତି। ଏପରିକି ଉଚ୍ଛେଦ ଭୟରେ ଦୁଇ ଜଣ ବ୍ୟବସାୟୀ ହୃଦ୍‌ଘାତର ଶିକାର ହୋଇ ପରେ ମୃତ୍ୟୁ ବରଣ କରିଛନ୍ତି। ଶ୍ରୀଲିଙ୍ଗରାଜ ଐତିହ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଯେପରି କେହି ଜୀବିକା ନହରାଇବେ ଓ ରହିବା ପାଇଁ ସୁବ୍ୟବସ୍ଥା ହେବ ସେଥିପାଇଁ ପଦକ୍ଷେପ ନିଅନ୍ତୁ। ଏହି ଅଞ୍ଚଳ ସ୍ମାର୍ଟ ସିଟି ହୋଇଥିବାରୁ ଅନେକ ପୁରୁଣା ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ ହେବା ପରେ ବହୁ ପରିବାର ଜୀବିକା ହରାଇବେ। ଏଥିପାଇଁ ଅଧିକ କ୍ଷତିପୂରଣ ଦେବା ପାଇଁ ପ୍ୟାକେଜ୍‌ରେ ଅନ୍ତର୍ଭୁକ୍ତ କରାଯାଉ। କ୍ଷତିଗ୍ରସ୍ତ ଓ ବ୍ୟବସାୟୀ ଉଚିତ୍‌ କ୍ଷତିପୂରଣ ନପାଇବା ପର୍ଯ୍ୟନ୍ତ ସ୍ଥାନୀୟ ଅଧିବାସୀ ଜମି ଦେବା ପାଇଁ ଚୁକ୍ତି କରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ମଞ୍ଚର ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଏଥିରେ ମଞ୍ଚର ଉପସଭାପତି ରବୀନ୍ଦ୍ର ମହାରଣା, ବଡ଼ୁ ନିଯୋଗ ସମ୍ପାଦକ କମଳା ବଡ଼ୁ, ବ୍ରାହ୍ମଣ ନିଯୋଗ ସମ୍ପାଦକ )ବିରଞ୍ଚି ନାରାୟଣ ପତି, ଜଗତ ଗରାବଡ଼ୁ, ରାଜା ଗରାବଡ଼ୁ ଓ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର