ପାରମ୍ପରିକ ଚିକିତ୍ସାର ପୁନରୁଦ୍ଧାର ଦାବି, ବୈଦ୍ୟମାନଙ୍କୁ ଓଡ଼ିଶା‌‌ରେ ପଞ୍ଜୀକୃତ କରାଯାଉ

ଭୁବନେଶ୍ବର: ବହୁ ଦୁରାରୋଗ୍ୟ ବ୍ୟାଧିର ନିଦାନ କରିବାରେ ଏବେ ବି ପାରମ୍ପରିକ ବୈଦ୍ୟ ଓ କବିରାଜମାନେ ସଫଳ ହେଉଛନ୍ତି। ଏହା କେବଳ ଅନ୍ୟକୁ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରୁନାହିଁ, ବୈଦ୍ୟମାନେ ବି ଏହାଦ୍ବାରା ନିଜର ଜୀବିକା ନିର୍ବାହ କରୁଛନ୍ତି। ତେବେ ବିଦେଶୀ ଔଷଧ ଓ ପ୍ରଚାର ପ୍ରସାରରେ ଅବହେଳା ଯୋଗୁଁ ଏହି ବୈଦ୍ୟରାଜ ବୃତ୍ତି ଲୁପ୍ତପ୍ରାୟ ଓ ସଙ୍କାକୁଳ ସ୍ଥିତିରେ ପହଞ୍ଚିଲାଣି। ଏପରିକି ବୈଦ୍ୟ ଓ କବିରାଜମାନଙ୍କ ଉପରେ ଚାପ ପକାଇ ପାରମ୍ପରିକ ଚିକିତ୍ସାକୁ ସ୍ଥାଣୁ କରିଦିଆଯାଉଛି ବୋଲି ଅଭି‌ଯୋଗ ଆଣିଛି ଓଡ଼ିଶା ରାଜ୍ୟ ବନୌଷଧି ବିଶେଷଜ୍ଞ ମହାସଂଘ। ତେଣୁ କବିରାଜ ବ୍ୟବସ୍ଥାକୁ ବଞ୍ଚାଇ ରଖିବା ଲାଗି ପାରମ୍ପରିକ ବନୌଷଧି ଚିକିତ୍ସକଙ୍କୁ ଓଡ଼ିଶାରେ ପଞ୍ଜୀକୃତ କରିବା ପାଇଁ ଦାବି ହୋଇଛି। ସଂପ୍ରତି ରାଜ୍ୟରେ ୫ ହଜାରରୁ ଅଧିକ ବୈଦ୍ୟ ଥିବା ବେଳେ ସମସ୍ତଙ୍କ ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରିବାକୁ ଦାବି କରିବା ସହ ମହାସଂଘ ଆସନ୍ତା ୧୦ ତାରିଖରେ ରାଜାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

ବୈଦ୍ୟ ସଂଜୟ କୁମାର ପଟ୍ଟନୟକଙ୍କ କହିବା ମୁତାବକ, ମହାସଂଘ ଜରିଆରେ ୧୦୨୨ଜଣ ପଞ୍ଜୀକୃତ ହୋଇଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପଞ୍ଜୀକରଣ ହୋଇନାହିଁ। ଫଳରେ ଦିଲ୍ଲୀ, ମଣିପୁର, କେରଳ ଓ ଛତିଶଗଡ଼ରେ ବୈଦ୍ୟ ତଥା କବିରାଜମାନେ ବିଭିନ୍ନ ସୁବିଧା ପାଉଥିବା ବେଳେ ଆମେ ଏଠାରେ କୌଣସି ସୁବିଧା ପାଇ ପାରୁ ନାହୁଁ। ଆର୍ଯ୍ୟ ପ୍ୟାଲେସ୍‌ରେ ସାମ୍ବାଦିକଙ୍କୁ ସୂଚନା ଦେଇ ମହାସଂଘର ସଭାପତି ହରେକୃଷ୍ଣ ମହାନ୍ତ କହିଛନ୍ତି ଯେ ଦେଶରେ ଯେଭଳି ସବୁ ଶ୍ରେଣୀର ସେବା ପାଇଁ ପେନ୍‌ସନ ବ୍ୟବସ୍ଥା ଅଛି, ବୈଦ୍ୟମାନଙ୍କ ନିମନ୍ତେ ମଧ୍ୟ ୧୨ ହଜାର ଟଙ୍କାର ପେନ୍‌ସନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ବୈଦ୍ୟଙ୍କ ପୁଅଝିଅଙ୍କ ପଢ଼ା ପାଇଁ ସରକାରୀ ସହାୟତା ଓ ବୈଦ୍ୟଙ୍କୁ ପରିଚୟପତ୍ର ଦିଆଯାଉ। ଓଡ଼ିଶାର ଆୟୁର୍ବେଦ ସଂଶୋଧନ ଆଇନ ୧୯୬୭ ଅନୁଯାୟୀ କ୍ରମାଗତ ଭାବେ ୧୦ବର୍ଷ ଧରି ପାରମ୍ପରିକ ବନୌଷଧି ଚିକିତ୍ସା କରୁଥିବା ଅଭିଜ୍ଞ ବୈଦ୍ୟମାନଙ୍କୁ ୧୯୭୦ ଅଗଷ୍ଟ ପୂର୍ବରୁ ଓଡ଼ିଶା ଆୟୁର୍ବେଦ ପରିଷଦ ଦ୍ବାରା ଯେପରି ପଞ୍ଜୀକୃତ କରାଯାଇଥିଲା, ତାହା ପୁନଃ ଓଡ଼ିଶାରେ ଲାଗୁ କରାଯାଇ ପୁନଃ ବୈଦ୍ୟ ଓ ଗ୍ରାମୀଣ କବିରାଜଙ୍କୁ ପଞ୍ଜୀକୃତ କରାଯାଉ।

ବନୌଷଧିର ସୁରକ୍ଷା କ୍ଷେତ୍ରରେ କବିରାଜମାନଙ୍କୁ ବନ ବିଭାଗ ସହ ସଂଶ୍ଳିଷ୍ଟ କରାଯାଉ। ପ୍ରତି ପଞ୍ଚାୟତ ଓ ପଞ୍ଚାୟତ ହେଡ୍‌କ୍ବାର୍ଟର୍ସରେ ପାରମ୍ପରିକ ସେବା କେନ୍ଦ୍ର ଖୋଲି କବିରାଜ ସେବା ପ୍ରଦାନ କରାଯାଉ। ପ୍ରତି ଜିଲ୍ଲାରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ କରାଯାଉ। ବୈଦ୍ୟ ଓ କବିରାଜମାନଙ୍କୁ କଟକଣାମୁକ୍ତ ରଖାଯାଉ। ଏହା ହୋଇପାରିଲେ ପାରମ୍ପରିକ ଚିକିତ୍ସା ପୁନରୁଦ୍ଧାର ହୋଇପାରିବ ବୋଲି ପ୍ରବକ୍ତା ଡ. ଅଶୋକ ଦୋରା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବୈଦ୍ୟ ଯୁଗଳ କିଶୋର ବେହେରା, ବଳରାମ ପ୍ରସାଦ ସିଂହଦେଓ, ଜଗଦୀଶ ପଶାୟତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇବା ସହ ଆସନ୍ତା ୧୦ ତାରିଖରେ ଲୋୟର ପିଏମ୍‌ଜିରେ ଏନେଇ ଏକ ଶୋଭାଯାତ୍ରା କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର