ମରିଗଲା ବୁଢ଼ା ବରଗଛ, ପୁନର୍ଜୀବୀତ ହେବ ଉଜୁଡ଼ା ସ୍ମୃତି ବୃକ୍ଷ

ଭୁବନେଶ୍ବର: ଦିନେ ଏଇ ବରଗଛ ଥିଲା ଗ୍ରାମ‌ ଦେବତାଙ୍କ ସାହାରା। ବରଗଛକୁ ଆଶ୍ରା କରି ଗଢ଼ି ଉଠିଥିବା ଚାନ୍ଦିନୀ ଥିଲା ବାଟୋଇଙ୍କ ବିଶ୍ରାମସ୍ଥଳ। ଅନେକଙ୍କ ପାଇଁ ଏହା ଥିଲା ପ୍ରମୁଖ ଲ୍ୟାଣ୍ଡ୍‌ମାର୍କ। ତେବେ ରାଜଧାନୀରେ ଛିଡ଼ା ହୋଇଥିବା ୫ ହଜାରରୁ ଅଧିକ ଝଙ୍କାଳିଆ ବରଗଛ ଆଜି ନିଃସ୍ବପ୍ରାୟ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପ୍ରାୟ ୩୦ ପ୍ରତିଶତ ବୁଢ଼ା ବରଗଛ ମୂଳରୁ ଉପୁଡ଼ିପଡ଼ିଛି। ଲକ୍ଷାଧିକ ଗଛ ଭାଙ୍ଗି ପଡ଼ିବା ଆଖିରେ ପଡ଼ିଲେ ଯେତିକି କଷ୍ଟ ହେଉଛି, ତା’ଠୁ ବେଶି ଦୁଃଖ ଦେଉଛି ବରଗଛର ଥୁଣ୍ଟା ଅବସ୍ଥା। ରାଜଧାନୀରେ ଲକ୍ଷଲକ୍ଷ ଗଛ ଭାଙ୍ଗି ପଡ଼ିଥିବା ବେଳେ ବରଗଛ ପ୍ରସଙ୍ଗ ଉଠାଇବାର ବିଶେଷତ୍ବ ହେଉଛି, ବରଗଛ ‘ଟ୍ରି ଅଫ୍ ଇମୋଟାଲିଟି’। ଅର୍ଥାତ ପରିବେଶବିତ୍‌ଙ୍କ କହିବା ଅନୁଯାୟୀ, ଗୋଟିଏ ବରଗଛ ପାଖାପାଖି ୨୦ଟି ଗଛ ସହିତ ସମାନ। କୋଲକାତା କୃଷି ବିଶ୍ବବିଦ୍ୟାଳୟର ପ୍ରଫେସ‌ର ଟି ଏମ୍‌ ଦାସଙ୍କ ଆକଳନ ମୁତାବକ, ୫୦ ବର୍ଷ ବଞ୍ଚୁଥିବା ବରଗଛଟିଏ ୨.୫ ଲକ୍ଷ ଟଙ୍କା ମୂଲ୍ୟର ଅମ୍ଳଜାନ ସୃଷ୍ଟି କରେ। ୫ଲକ୍ଷ ଟଙ୍କାର ବାୟୁ ବିଶୁଦ୍ଧ କରେ। ୨.୫ ଲକ୍ଷ ଟଙ୍କା ମୂଲ୍ୟର ଆଶ୍ରୟ ପଶୁପକ୍ଷୀଙ୍କୁ ଯୋଗାଏ। ୩ଲକ୍ଷ ଟଙ୍କା ମୂଲ୍ୟର ଆର୍ଦ୍ରତା ଓ ଜଳଚକ୍ର ନିୟନ୍ତ୍ରଣ କରେ ଏବଂ ପ୍ରାୟ ୨୦ ହଜାର ଟଙ୍କାର ପୁଷ୍ଟିସାର ଉତ୍ପନ୍ନ କରେ। ତେବେ ୫୦ ବର୍ଷ ଧରି ଯେଉଁ ବୁଢ଼ା ଝଙ୍କାଳିଆ ଗଛ ଛିଡ଼ା ହୋଇଥିଲା ତାହାର ୪୦ ପ୍ରତିଶତ ଡାଳ ଓ ପତ୍ର ନଷ୍ଟ ‌ହୋଇଯାଇଛି।

ଧାର୍ମିକ ବିଶ୍ବାସ ଯୋଗୁଁ ହେଉ ଅବା ଆବଶ୍ୟକତା ଦୃଷ୍ଟିରୁ ସହରରେ ହଜାର ହଜାର ବରଗଛ ଛିଡ଼ା ହୋଇଥିଲା। ଅତି ପୁରୁଣା ବରଗଛର ଚେର ଉଇ ଖାଇ ଉପୁଡ଼ି ଯାଇଥିଲେ ବି ଚେର ମାଟିରେ ଲାଗିଥିବାରୁ ଗଛ ସହରବାସୀ ଉପକୃତ ହେଉଥିଲେ। ପରିବେଶବିତ୍‌ ଡ.ସୁନ୍ଦର ନାରାୟଣ ପାତ୍ରଙ୍କ କହିବା ମୁତାବକ, ଯଦି ରାସ୍ତାର ଦୁଇ ପାର୍ଶ୍ବରେ ବରଗଛ ଥାଏ ତେବେ ସେ ସ୍ଥାନର ତାପମାତ୍ରା ଅନ୍ୟ ସ୍ଥାନ ଅପେକ୍ଷା ୭ରୁ ୧୦ ଡିଗ୍ରି ଅପେକ୍ଷା କମ୍‌ ହୋଇଯାଏ। ମାତ୍ର ଏସବୁ ଭାଙ୍ଗିଯିବା ପରେ ପୁଣି ଯେ ବରଗଛରୁ ଉପକାର ପାଇବା ପାଇଁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ତାହା ପରିବେଶବିତ୍‌ମାନେ ବି ଆକଳନ କରିପାରୁନାହାନ୍ତି। ବରଗଛ ପରେ ଓସ୍ତଗଛ ହେଉଛି ପରିବେଶ ପାଇଁ ସବୁଠୁ ମୂଲ୍ୟବାନ ସମ୍ପତ୍ତି। ମାତ୍ର ରାଜଧାନୀରେ ଥିବା ୨ହଜାରରୁ ଅଧିକ ଓସ୍ତଗଛ ବି ଧରାଶାୟୀ ହୋଇଯାଇଛି। ସ୍ଥିତି ଏମିତି ଯେ, ଯେମିତି ଗଛଗୁଡ଼ିକ ବୁକୁ ଫଟେଇ କାନ୍ଦୁଛନ୍ତି।

ଭୁବନେଶ୍ବର: ପ୍ରିୟଜନଙ୍କ ସ୍ମୃତିକୁ ସ୍ମରଣୀୟ ରଖିବା ପାଇଁ ଅନେକ ସ୍ମୃତି ବନରେ ନିଜର ସ୍ମୃତିର ବୃକ୍ଷଟିଏ ଲଗାଇଥିଲେ। ତେବେ ‘ଫନି’ ଅନେକଙ୍କ ସ୍ମୃତିକୁ ଉଜାଡ଼ି ଦେଇଛି। ୧୮ ଏକର ପରିମିତ ଏହି ସ୍ମୃତି ବନ ମଧ୍ୟରେ ସଂପ୍ରତି ପାଖାପାଖି ୧ ହଜାର ଗଛ ଲାଗିଛି। ମାତ୍ର ସେଥିମଧ୍ୟରୁ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ କିଛି ଅଧାରୁ ଭାଙ୍ଗିଯାଇଛି। ତେଣୁ ସେ ସମସ୍ତ ଗଛକୁ ପୁନର୍ଜୀବିତ କରିବା ପାଇଁ ଗଛଗୁଡ଼ିକୁ ରି-ପ୍ଲାଣ୍ଟ୍‌ କରାଯାଉଛି। ଯେଉଁ ଗଛ ଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି କିମ୍ବା ପୁନଃ ବଞ୍ଚିବାର ଆଶା ନାହିଁ ସେଠାରୁ ସେ ବୃକ୍ଷ ହଟାଇ ସେଇ ସ୍ଥାନରେ ସେଇ ଏକା ପ୍ରଜାତିର ଆଉ ଏକ ଚାରା ରୋପଣ କରାଯିବ ବୋଲି ସ୍ମୃତିବନର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର କୁମାର ଦାସ କହିଛନ୍ତି। ତେବେ ସମସ୍ୟା ହୋଇଛି, ସ୍ମୃତି ବନର ଚତୁଃପାର୍ଶ୍ବରେ ଭାଙ୍ଗିଯାଇଥିବା ପାଚେରି। ପାଚେରି ଭାଙ୍ଗିଯାଇଥିବାରୁ ଏହା ଭିତରକୁ ଗାଈ ପଶିଯାଇ ସ୍ମୃତି ବୃକ୍ଷଗୁଡ଼ିକୁ ନଷ୍ଟ କରିଦେବାର ସମ୍ଭାବନା ଥିବାରୁ ଏଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପ୍ରଥମେ ସଜଡ଼ାଯିବା ଜରୁରି ହୋଇପଡ଼ିଛି ‌ବୋଲି ସେ କହିଛନ୍ତି। ସ୍ମୃତି ବୃକ୍ଷ ବ୍ୟତୀତ ଏହି ପରିସରରେ ଥିବା ଅନ୍ୟ ବୃକ୍ଷଗୁଡ଼ିକ ସହ ଏକ ଅଫିସ୍‌ ଗୃହ ଉପରୁ ଛାତ ଉଡ଼ିଯାଇଛି।

ସମ୍ବନ୍ଧିତ ଖବର