ପଡ଼ୋଶୀ ବଖାଣୁଛନ୍ତି ମୃତ୍ୟୁ ପୂର୍ବର କଥା

ସାଲିଆସାହି ଆଦିବାସୀ ଗାଁରେ ରହୁଥିଲେ ମୃତକ ଟି. ଆପ୍ପାଲାମା। ଘର ପଲାସା ଷ୍ଟେସନ୍‌ ନିକଟ ମନ୍ଦାସାରେ। ମାତ୍ର ଦୀର୍ଘ ବର୍ଷ ହେବ ଏଠାରେ ରହୁଥିଲେ। ଆପ୍ପାଲାମାଙ୍କ ଦୁଇ ଝିଅ ବିବାହ କରି ସାରିଛନ୍ତି। ପୁଅ ଟି. ସତ୍ୟନାରାୟଣଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇ ରଡ୍‌ ପଶିଥିବାରୁ ସେ ବି ଏକପ୍ରକାର ଅକ୍ଷମ। ମୃତକ ଆପ୍ପାଲାମାଙ୍କ ସ୍ବାମୀ ଟି. ମାଧିଆଙ୍କ ବୟସାଧିକ୍ୟ ଯୋଗୁଁ ତାଙ୍କ ଆଖିକୁ ଠିକ୍‌ରେ ଦେଖା ଯାଉନାହିଁ। ଏଭଳି ପରିସ୍ଥିତିରେ ଆପ୍ପାଲାମା ପରଘରେ ମୂଲ ଲାଗି ଘର ଚଳାଉଥିଲେ। ଗତକାଲି ସଂଧ୍ୟାରେ ଆପ୍ପାଲାମା ଗାନ୍ଧୀ ମାର୍କେଟ୍‌ କଣ୍ଟ୍ରୋଲ ଦୋକାନକୁ ଯିବାକୁ ବାହାରିଥିଲା। ଏହାର କିଛି ସମୟ ପୂର୍ବରୁ ସ୍ବାମୀ ମାଧିଆ ମଧ୍ୟ କୌଣସି କାମରେ ଘରୁ ବାହାରି ଯାଇଥିଲେ। ବର୍ଷା ହେଉଥିବାରୁ ପାଖ ପଡ଼ୋଶୀଙ୍କ ଘରୁ ଛତା ମାଗିଥିଲେ ଆପ୍ପାଲାମା। ମାତ୍ର ପଡ଼ୋଶୀଙ୍କ ଛତା ଘରର ଅନ୍ୟ କେହି ସଦସ୍ୟ ନେଇ ଯାଇଥିବାରୁ ସେ ମନା କରିଥିଲେ। ଏପରକି ପ୍ରବଳ ବର୍ଷା ହେଉଥିବାରୁ ଘରୁ ଅନ୍ୟତ୍ର ଯିବାକୁ ବାରଣ କରିଥିଲେ। ମାତ୍ର ତାଙ୍କ କଥା ନ ଶୁଣି କଣ୍ଟ୍ରୋଲ ଦୋକାନରୁ ସାମଗ୍ରୀ ଆଣିବା ପାଇଁ ଚାଲି ଯାଇଥିଲେ। ଫେରିବା ସମୟରେ ଘରଠାରୁ ମାତ୍ର ୩ଶହ ମିଟର ଦୂରରେ ଥିବା ଡ୍ରେନ୍‌ରେ ଭାସି ଯାଇଥିଲେ। ଶବ ବ୍ୟବଚ୍ଛେଦ ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ପରେ ପୁରୀରେ ଆପ୍ପାଲାମାଙ୍କ ଶବ ଦାହ କରାଯାଇଛି।

ଏହି ସମୟରେ ପୁଅ ସତ୍ୟନାରାୟଣଙ୍କୁ କିଏ ଜଣେ ଖବର ଦେଇଥିଲା ଘଟଣା ସଂପର୍କରେ। ପ୍ରବଳ ବର୍ଷାରେ ସେଠାରେ ପାଣି ଚାଲୁଥିବାରୁ ସହଜରେ ପତ୍ତା ମିଳି ନଥିଲା। ପୁଲିସକୁ ଖବର ଦିଆଯାଇଥିଲା। ହେଲେ ସେମାନେ ଖୋଜିବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିବା ସତ୍ୟନାରାୟଣ କହିଛନ୍ତି। ଶେଷରେ ବାଧ୍ୟ ହୋଇ ଭଙ୍ଗା ଗୋଡ଼ରେ ଅନ୍ୟ ପଡ଼ୋଶୀଙ୍କ ସହାୟତାରେ ଡ୍ରେନ୍‌ରେ ପଶି ନିଜ ମା’ଙ୍କୁ ଉଦ୍ଧାର କରିଥିଲେ। ମା’ଙ୍କ ଦେହାନ୍ତ ପରେ ପରିବାର ରୋଜଗାର ହରାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର