ଭୁବନେଶ୍ୱର : କହିଲା, ଚାଲ୍ ପାର୍କ ଯିବୁ। ମଠ ବୁଲିକି ଆସିବୁ। ଏତେଦିନ ପରେ ପୁଅଟା ଡାକିଲା ଯେ, ସରାଗରେ ବାହାରି ପଡ଼ିଲି। ବାଟରେ ଛାଡ଼ିଦେଇ କହିଲା, ଏଇଠୁ ଆଉଛି। କେଜାଣି କୁଆଡ଼େ ଗଲା। ଆଉ ଆସିଲାନି। ସତରେ କ’ଣ ସେ ମତେ ଛାଡ଼ିକି ପଳେଇଲା। ଶୀତୁଆ ସଂଜରେ ଏକ ପରିତ୍ୟକ୍ତ ଖାଲ ନିକଟରେ ଥରଥର କଣ୍ଠରେ ଏମିତି ଆବେଗିକ ଅଭିବ୍ୟକ୍ତି ରଖୁଥିଲେ ଜଣେ ୮୫ ବର୍ଷର ବୃଦ୍ଧା। ନାଁ ତାଙ୍କର ସାବିତ୍ରୀ ଦେଇ। ଘର ଭୀମଟାଙ୍ଗି ଅଞ୍ଚଳରେ। ଥରଥର ଶରୀର, ଧୁଡ଼ୁଧୁଡ଼ୁ ଚମ ଏବଂ ଆଖିରେ ନିଗିଡ଼ି ଆସୁଥିବା ଧାରଧାର ଲୁହରେ ସେ ଗୋଟାପଣେ ଲହୁଲୁହାଣ ହେଇ ଯାଉଥିଲେ।
ଦିନ ପ୍ରାୟ ସାଢ଼େ ୨ଟା କି ୩ଟା ସମୟ। ପୁଅ ସାର୍ଟ ପ୍ୟାଣ୍ଟ୍ ପିନ୍ଧି ବାହାରିବା ପରେ ମା’ଙ୍କୁ ଧରି ପହଞ୍ଚିଥିଲା ୬ନମ୍ବର ଗଙ୍ଗନଗରସ୍ଥିତ ପୋଷ୍ଟମୋର୍ଟମ ଗୃହ ନିକଟରେ। ମୁଁ ଟିକେ ଆସୁଛି କହି ସେଇଠି ମା’କୁ ଛାଡ଼ି ଦେଇ ପୁଅ ତା ବାଟରେ ଚାଲିଗଲା। ଗଲା ବେଳେ ଏକ ପରିତ୍ୟକ୍ତ ଖାଲ ନିକଟରେ ଦୁଇପାଖେ ୨ଟି ଲୁଗା ଟାଣି ଦେଇ ମା’କୁ ବସେଇ ଦେଇଥିଲା। ଯାହା ହେଉ ପୁଅର ଅନ୍ତତଃ ଏତିକି ଦରଦ ତ ଉଚ୍ଛୁଳିଥିଲା।
ଖାଲ ଭିତରେ ଆଣ୍ଠୁଏ ଉଚ୍ଚର ପାଣିରେ ବୃଦ୍ଧା ବସିଥିବା ଜାଗା ସନ୍ତେଇ ଯାଇଥିଲା । ଗନ୍ଧରେ ନାକ ଫାଟି ପଡ଼ୁଥିଲା। ହେଲେ ତାଙ୍କ ଦୁଷ୍ଟ ପୁଅ କାଳେ ପୁଣି ଫେରି ଆସି ତାଙ୍କୁ ଘରକୁ ଡାକି ନେବ ସେଇ ଆଶାରେ ସେ ଜାଗା ଛାଡ଼ି ଯିବାକୁ ପ୍ରସ୍ତୁତ ନଥିଲେ। ଚାହୁଁଚାହୁଁ ୨ଶହରୁ ଊର୍ଧ୍ୱ ଲୋକ ଗଦା ହୋଇଗଲେ। ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ଶେଷରେ ପିସିଆର୍ ଆସି ପହଞ୍ଚିବା ପରେ ପୁଲିସ୍ ବି ତାଙ୍କୁ ବୁଝେଇଲେ। ହେଲେ ସାବିତ୍ରୀ ଫେରିବାକୁ ପ୍ରସ୍ତୁତ ନଥିଲେ। ସମସ୍ତେ ବିଫଳ ହେବା ପରେ ଡକରା ପଡ଼ିଥିଲା ଗଙ୍ଗନଗରସ୍ଥିତ ନିରାଶ୍ରୟଙ୍କ ସହର ଆଶ୍ରୟସ୍ଥଳୀର ସ୍ୱେଚ୍ଛାସେବୀ ମାତୃମୟୀ ପ୍ରିୟଦର୍ଶିନୀଙ୍କୁ। ଯାହା ୨ଶହ ଲୋକଙ୍କ ହାତେ ନହେଲା ଝିଅଟିଏ ଭଳି ମାତୃମୟୀ ବୁଝାଇବା ପରେ ତାହା ସମ୍ଭବ ହେଲା। ଶେଷରେ ମାତୃମୟୀଙ୍କ ସମେତ ଲୋପାମୁଦ୍ରା ପାଇକରାୟ ଓ ସୁବ୍ରତ କୁମାର ନାୟକ ସାବିତ୍ରୀଙ୍କୁ ଧରି ଆଶ୍ରୟସ୍ଥଳୀକୁ ନେଇଥିଲେ। ଆଶ୍ରୟସ୍ଥଳୀକୁ ଯିବା ବେଳେ ବୃଦ୍ଧା ଜଣକ ଏତେ ଡରି ଯାଇଥିଲେ ଯେ, ଆଶ୍ରୟସ୍ଥଳୀରେ ପହଞ୍ଚିବା ପର୍ଯ୍ୟନ୍ତ ସେ ବାରମ୍ବାର ପଚାରୁଥିଲେ ତମେ ମତେ ନେଇ ଆଉ କୋଉଠି ଛାଡ଼ି ଦବନି ତ? ଏମିତି ଡରିମରି ସେଠାରେ ପହଞ୍ଚିବା ପରେ ଯାହା ବୁଢ଼ୀ ମା’ଜଣଙ୍କ କହିଥିଲେ ତାହା ସମସ୍ତଙ୍କୁ ଆବାକ୍ କରିଦେଇଥିଲା।
ସାବିତ୍ରୀଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀ କାଳେ ଆଉ ଜଣଙ୍କୁ ବିବାହ କରିଛନ୍ତି। ତେଣୁ ସ୍ୱାମୀ ପଚାରୁ ନଥିବାରୁ ସେ ପିଲାମାନଙ୍କ ପାଖେ ଆଶ୍ରା ନେଇଥିଲେ। ୨ ପୁଅ ବୋଲି ସେ ସ୍ୱାମୀଙ୍କ ଅଭାବବୋଧକୁ ପାସୋରି ଦେଇଥିଲେ। ଫଳ କିନ୍ତୁ ଓଲଟା ହୋଇଥିଲା। ନିଜ ପେଟ ପାଇଁ ତାଙ୍କୁ କାହା ଦୋକାନ ଓଳେଇ ଦେବାକୁ ପଡ଼ୁଥିଲା ତ କାହା ଘରେ ବୋଲହାକ କରିବାକୁ ପଡ଼ୁଥିଲା। ସେଥିରେ ବି ତାଙ୍କର ଅଭିଯୋଗ ନଥିଲା। ପୁଅମାନେ ଦୁଇ ଓଳା ପେଟ ପୂରା ଖାଇବାକୁ ପଛେ ନଦିଅନ୍ତୁ, କିନ୍ତୁ ତାଙ୍କ ମୁହଁ ଚାହିଁ ଦେଇ ବାକି ଜୀବନ ବଞ୍ଚିଯିବାକୁ ସେଇ ଘରେ ପଡ଼ି ରହିଥିଲେ। କିନ୍ତୁ ସେତକ ବି ନୋହିଲା। ପେଟ ହାଙ୍କି ଯାଉଥିବାରୁ ମାତୃମୟୀ ତାଙ୍କୁ ଖାଇଦେବାକୁ କହିିଥିଲେ। କିନ୍ତୁ ସେ କହିଥିଲେ, ମୋର ଭୋକ କେବେଠୁ ମରିଯାଇଛି ଲୋ ମା’।
ଏନେଇ ଆଡ୍ଭୋକେଟ୍ ଅଶୋକ କୁମାର ବଡ଼ପଣ୍ଡାଙ୍କ ମତାମତ ଲୋଡ଼ିବାରୁ ସେ କହିଥିଲେ, ଏମିତି ଘଟଣା ଘଟିଲେ ପୁଲିସ୍ ନିଜ ଆଡ଼ୁ କେସ୍ କରିପାରିବ। ବାପା ମା’ ଯଦି ନିଜ ଆଡ଼ୁ ଏନେଇ ଅଭିଯୋଗ କଲେ, ତେବେ କୋର୍ଟ ତୁରନ୍ତ ତାଙ୍କର ଭରଣପୋଷଣ ପାଇଁ ୧୨୫ ଧାରା ଅନୁଯାୟୀ ନିର୍ଦେଶ ଦେବ। ଏହାକୁ ଉଲ୍ଲଂଘନ କଲେ ସେଇ ସନ୍ତାନମାନଙ୍କ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ବଡ଼ପଣ୍ଡା କହିଛନ୍ତି।
ତେବେ ଆଶ୍ରମକୁ ଆସିବା ପରେ ନିଜ ବୟସର ଅନ୍ୟ ବୃଦ୍ଧାମାନଙ୍କୁ ସେଠାରେ ଦେଖି ମନରେ ପୁଣି ସାବିତ୍ରୀଙ୍କର ବଞ୍ଚିବାର ଆଶା ଜାଗିଛି। ମାତ୍ର ପରିଣତ ବୟସରେ ପରିତ୍ୟକ୍ତ ବସ୍ତୁଟିଏ ଭଳି ତାଙ୍କୁ ଫୋପାଡ଼ି ଦେଇଥିଲେ ହେଁ ଛନ୍ଦ କପଟହୀନ ସେଇ ମା’ର ବିଶ୍ୱାସ ଥିଲା ତା’ଙ୍କ ପୁଅ ଫେରିବ। କିନ୍ତୁ ଏମିତିକା ପୁଅମାନେ କ’ଣ ସତରେ ଫେରନ୍ତି...