ବାରଙ୍ଗ: ସିମ୍ପାଞ୍ଜି ପରିବାରର ମୁଖିଆ ୩୪ ବର୍ଷର ବୃଦ୍ଧ ‘ଜୁଲୁ’ ବଦହଜମିର ଶୀକାର ହୋଇ ପ୍ରବଳ ବାନ୍ତି ଲାଗି ରହିବାରୁ ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। ଲାଗଲାଗ ବାନ୍ତିରେ ହାଲିଆ ହୋଇ ଜୁଲୁ ୬୦(କ) ଖୁଆଡର ବିଶ୍ରାମକକ୍ଷରେ ଗୋଟିଏ ଜାଗାରେ ଶୋଇ ରହିବାରୁ ନନ୍ଦନକାନନ କର୍ତୃପକ୍ଷଙ୍କ ଭିତରେ ଭାଳେଣି ପଡିଯାଇଥିଲା। ଖବର ପାଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ପହଞ୍ଚି ତା’ର ସ୍ବାସ୍ଥ୍ୟାବସ୍ଥା ଦେଖିଥିଲେ। ତା’ର ଚିକିତ୍ସା ପାର୍ଇ ତୁରନ୍ତ ଓୟୁଏଟିର ବିଶେଷଜ୍ଞ ପ୍ରାଣୀ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଇନ୍ଦ୍ରମଣୀ ନାଥଙ୍କ ସହଯୋଗ ଲୋଡାଯାଇଥିଲା। ପ୍ରଫେସର ନାଥ ଆସି ନନ୍ଦନକାନନର ଚିକତ୍ସକଙ୍କ ଉପସ୍ଥିରେ ତୁରନ୍ତ ସାଲାଇନ୍ ଲଗାଇ ଚିକିତ୍ସା କରିଥିଲେ। ଭିଟାମିନ୍ ଓ ମିନେରାଲ ଦେଇ ଚିକିତ୍ସା କରିବାର ପ୍ରାୟ ଚାରିଘଣ୍ଟା ପରେ ସେ କଡ଼ ଲେଉଟାଇ ଚାହିଁଥିଲା ଓ ବସିଥିଲା। ଜୁଲୁ ଅତ୍ୟନ୍ତ ର୍ଦୁର୍ବଳ ହୋଇ ପଡିଥିବାରୁ ଚଳପ୍ରଚଳ କରିବାକୁ ଶକ୍ତି ପାଉନାହିଁ।

Advertisment

ଶରୀରର ଶକ୍ତିବୃଦ୍ଧି ଲାଗି ତାକୁ ପ୍ରତି ଏକଘଣ୍ଟା ବ୍ୟବଧାନରେ ତରଳ ଶକ୍ତି ବର୍ଦ୍ଧକ (ଏନର୍ଜି ଡ୍ରିଙ୍କ୍) ଦେବାକୁ ପ୍ରଫେସର ନାଥ ନନ୍ଦନକାନନ ଚିକତ୍ସକଙ୍କୁ ପରାମର୍ଶ ଦେଇଥିଲେ। ରାତିସାରା ତା’ର ସ୍ବାସ୍ଥ୍ୟ ଅବସ୍ଥା ପ୍ରତି ନଜର ରଖିବାକୁ ସେ କହିଛନ୍ତି। ତାଙ୍କ ପରାମର୍ଶ ଅନୁସାର ନନ୍ଦନକାନନର ଚିକିତ୍ସକ ଓ କର୍ମଚାରୀ ଜଗିରହି ଚିକିତ୍ସା ଜାରି ରଖିଛନ୍ତି। ଜୁଲୁ ତରଳ ପାନୀୟ ପିଉଛି, ହେଲେ ଖାଦ୍ୟ ଖାଇବାକୁ ଆଗ୍ରହ ପ୍ରକାଶ କରୁନାହିଁ। ଅନ୍ୟ କିଛି ରୋଗ ହୋଇଥିବା ଆଶଙ୍କାରେ ତା’ର ରକ୍ତ ନମୂନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ତାକୁ ସୁସ୍ଥ କରିବା ପାଇଁ କର୍ତୃପକ୍ଷ ଓ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଜୁଲୁର ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ସୂଚନା ମିଳିଛି। ସେ ଉଠିବସି ପାରୁଛି, ଡାକିଲେ ମୁଣ୍ଡ ବୁଲାଇ ଚାହୁଁ ଥିବାର ସୂଚନା ମିଳିଛି। ଚାରିବର୍ଷ ତଳେ ଜୁଲୁ ସମାନ ଧରଣର ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ହେବାପରେ ସୁସ୍ଥ ହୋଇଥିଲା।

ସୂଚନାଯୋଗ୍ୟ ଯେ ପ୍ରଥମ କରି ନନ୍ଦନକାନନକୁ ୧୯୯୪ ମସିହା ଜୁନ୍ ୧୬ ତାରିଖରେ ସିଙ୍ଗାପୁର ଚିଡିଆଖାନାରୁ ଏକହଳ ସିମ୍ପାଞ୍ଜି ‘ଜୁଲୁ’କୁ ଓ ତା’ର ଜୀବନସାଥୀ ‘ପମ୍ପେଟା’ ସହିତ ଅଣାଯାଇଥିଲା। ନନ୍ଦନକାନନକୁ ଆସିବା ବେଳେ ଜୁଲୁର ବୟସ ୪ ବର୍ଷ ଥିଲା, ପମ୍ପେଟା ଥିଲା ସାଢେ ୩ ବର୍ଷର। ଜୁଲୁ ଏବେ ୩୪ ବର୍ଷର ବୁଢା। ନନ୍ଦନକାନନରେ ୩୦ ବର୍ଷ ହେଲା ରହି ଆସିଛି। ନନ୍ଦନକାନନରେ ପମ୍ପେଟା ଓ ଅନ୍ୟଏକ ମାଈ ସିମ୍ପାଞ୍ଜି ପୂର୍ଣ୍ଣିମାର ଗର୍ଭରୁ ଜନ୍ମିତ ୧୨ଟା ଯାକ ଶାବକ ଜୁଲୁ ଔରସରୁ ଜନ୍ମିତ। ସେମାନଙ୍କ ଭିତରୁ କିଛି ମରି ଯାଇଥିବାବେଳେ କାର୍ତ୍ତିକ ଓ ସୁଭଦ୍ରାଙ୍କୁ ଜିରାଫ ବଦଳରେ କଲିକତା ଚିଡିଆଖାନାକୁ ପଠାଯାଇଛି। ଏବେ ନନ୍ଦନକାନନରେ ପୂର୍ଣ୍ଣିମା, ରାକ୍ଷୀ, ଦୁର୍ଗା, ଲକ୍ଷ୍ମୀ ଓ ରାଜା ଅଛନ୍ତି। ବୁଢା ଜୁଲୁ ଓ ବୁଢୀ ପମ୍ପେଟା ସେମାନଙ୍କ ଜନ୍ମିତ ୫ ଛୁଆଙ୍କ ସହିତ ୭ ପ୍ରାଣୀ କୁଟୁମ୍ବ ଏକାଠି ରହୁଛନ୍ତି।