ମୁଖ୍ୟମନ୍ତ୍ରୀ ହେ ଗୋଟେ ‘ବୁଢ଼ା ବାପା’ର ଗୁହାରି ଶୁଣ, ଏ ଜୀବନ ଜୀଇଁକି କି ଲାଭ?

ଭୁବନେଶ୍ବର : ଭେଣ୍ଡିଆ ପୁଅଟା ମୋ’ର ଅକାଳରେ ଚାଲିଗଲା। ପରିବାରର ମଙ୍ଗ ସମ୍ଭାଳି ଆସୁଥିବା ଆଶା ବାଡ଼ିଟା ୧୧ ବର୍ଷ ପୂର୍ବେ ଟ୍ରକ୍‌ ତଳେ ଚାପି ହେଇଗଲା। ପୁଲିସ୍‌ ପାଖକୁ ଦୌଡ଼ିଲି। ନ୍ୟାୟ ମିଳିଲାନି। ବୁଢ଼ା ବୟସରେ ୪ ବର୍ଷ କାଳ ବ୍ଲକ୍‌ ଅଫିସ୍‌କୁ ଦୌଡ଼ିଲା ପରେ ମିଳିଲା ମାତ୍ର ୧୦ ହଜାର ଟଙ୍କା। ହେଲେ ପୁଅକୁ ମାରିଥିବା ଟ୍ରକ୍‌, କି ଟ୍ରକ୍‌ ଚାଳକକୁ ଏଯାଏଁ ପୁଲିସ୍‌ ଧରି ପାରିଲାନି। ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଜଣେଇବି। ଏ ଜମିହୀନ ଗରିବ ବାପାକୁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଜାଗା ମାଗିବି। ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇବା ପାଇଁ ଗଂଜାମରୁ ଧାଇଁ ଆସିଥିବା ୭୮ ବର୍ଷୀୟ ଅଭିମନ୍ୟୁ ପାଣିଗ୍ରାହୀଙ୍କ ଛଳଛଳ ଆଖି ଓ ଥରଥର ଓଠର ଏ ଯନ୍ତ୍ରଣାଦାୟକ ଶବ୍ଦ କିନ୍ତୁ ଆଜିର ନୁହେଁ, ଦୀର୍ଘ ୧୧ ବର୍ଷର।

ବେଲଗୁଣ୍ଠାସ୍ଥିତ ଜିରୋଳିର ଅଭିମନ୍ୟୁ ଥିଲେ ୪ ଭାଇଙ୍କ ମଧ୍ୟରେ ସାନ ମଝିଆଁ। ବୟସ ବଢ଼ି ହାତକୁ ଦି ହାତ ହେବା ପରେ ଦୁନିଆର ଅଘୋଷିତ ନିୟମର ଅକଳରେ ସେ ବି ପଡ଼ିଥିଲେ। ଘର ଭାଗବଣ୍ଟାରେ ତାଙ୍କ ଭାଗରେ ପଡ଼ିଥିଲା ମାତ୍ର ୪ ହାତ ଚଉଡ଼ାର ପିତୃ ଅର୍ଜିତ ଜାଗା। ସେଇ ଅଣ ଓସାରିଆ ଜାଗାରେ ଚଳିବା ସମ୍ଭବ ‌ନଥିବାରୁ ସାନ ଭାଇକୁ ୧୦ ହଜାର ଟଙ୍କାରେ ସେ ଜାଗା ବିକି ଦେଇ ସେ ପ୍ରତାପୁର ଆମ୍ବବାଲିରେ ଘରଭଡ଼ା କରି ରହିଲେ। ଜଜମାନ କରି ନିଜ ପିଲାଙ୍କୁ ମଣିଷ କଲେ। ଅଭିମନ୍ୟୁଙ୍କ ଅଣ୍ଟାରେ ବଳ ସରି ଆସୁଥିବା ବେଳେ ବଡ଼ ପୁଅ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ବାପାଙ୍କ କାନ୍ଧରେ କାନ୍ଧ ମିଳାଇ ବଡ଼ ପରିବାରକୁ ବାଟେଇ ନେଉଥିଲା। ସବୁ ଠିକ୍‌ଠାକ୍‌ ଚାଲିଥିଲା। ମାତ୍ର ୨୦୦୮ ଡିସେମ୍ବର ୧୭ ତାରିଖର କାଳ ସଂଜ ତାଙ୍କ ସଂସାରରେ ଚଡ଼କ ପକାଇଲା। ଡାଲା ଅଟୋ ଚଳାଉଥିବା ପୂର୍ଣ୍ଣଚନ୍ଦ୍ର ନିଜ ଗାଡ଼ିରେ ଆଣିଥିବା ବୋଝକୁ ଉତାରି କଟକରୁ ଫେରୁଥିବା ବେଳେ ଚୌଦ୍ବାରଠାରେ ଏକ ୧୦ ଚକିଆ ଟ୍ରକ୍‌ ତାଙ୍କ ଗାଡ଼ିକୁ ଧକ୍କାଦେଇ ଚାଲିଗଲା। ଟ୍ରକ୍‌ ତଳେ ଡାଲା ଅଟୋ ସହ ଚାପି ହୋଇ ପୂର୍ଣ୍ଣଚନ୍ଦ୍ର ୩୯ ବର୍ଷ ବୟସରେ ଆରପାରିକୁ ଚାଲିଗଲେ।

ଏ ଅବେଳରେ ତାଙ୍କ ବଡ଼ ଝିଅ ଗୀତାଞ୍ଜଳି ସିନା ବାହା ହୋଇ ଯାଇଥିଲେ କିନ୍ତୁ ସାନପୁଅ ଓ ସାନ ଝିଅ ଲିଲିଙ୍କ ଦାୟିତ୍ବ ଥିଲା ଅଭିମନ୍ୟୁଙ୍କ କାନ୍ଧରେ। ଦୈନନ୍ଦିନ ଜୀବନରୁ ଯାହା କିଛି ଟଙ୍କା ସଂଚୟ କରିଥିଲେ ସେଥିରେ ଲିଲିଙ୍କୁ ବାହା ଦେଲେ। ଅଥଚ ଏତିକିରେ ତାଙ୍କର ଭାଗ୍ୟ ପରୀକ୍ଷା ସରିଲା ନାହିଁ। ବଡ଼ ଝିଅର ସ୍ବାମୀ ପାଗଳ ହୋଇଯିବାରୁ ସେ ଆସି ନିଜ ବାପାଙ୍କ ପାଖରେ ଭଡ଼ା ଘରେ ରହିଲେ। ସାନ ଝିଅ ଲିଲି ଯୌତୁକ ନିର୍ଯାତନାର ଶିକାର ହେବାରୁ ସେ ବି ଶାଶୁଘରୁ ଚାଲି ଆସି ବାପାଙ୍କ ପାଖରେ ରହିଲେ। ଏଭଳି ସ୍ଥିତିରେ ଅଭିମନ୍ୟୁଙ୍କ ପତ୍ନୀ ଭାଗ୍ୟଲତାଙ୍କର ପାରାଲିସିସ୍‌ ହୋଇଗଲା। ଠିକ୍‌ ଏଇ କଥା ତାଙ୍କ ମୁହଁରୁ ବାହାରିବା ମାତ୍ରେ ‌ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। କାନ୍ଦୁକାନ୍ଦୁ କହିଥିଲେ ଏ ଜୀବନ ଜୀଇଁ ଆଉ ଲାଭ ନାହିଁ।

ଏବେ ବି ଭାଗ୍ୟଲତା ଶଯ୍ୟାଶାୟୀ ଜୀବନ ବଞ୍ଚୁଛନ୍ତି। ସାନପୁଅ ବେଙ୍ଗାଲୁରୁରେ କାମ କରି ଯାହା ଟଙ୍କା ପଠାଏ ସେଥିରେ ଦୈନନ୍ଦିନ ଗୁଜୁରାଣ କଷ୍ଟେମଷ୍ଟେ ମେଣ୍ଟିଯାଉଥିଲେ ହେଁ ଔଷଧ କିଣିବା ପାଇଁ ତାଙ୍କୁ ବାର୍ଧକ୍ୟ ଭତ୍ତାକୁ ଅପେକ୍ଷା କରିବାକୁ ପଡ଼େ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅକୁହା ବେଦନା ଜଣାଇବାକୁ ସେ ୭ଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ମାତ୍ର ଏଯାଏଁ ଖଣ୍ଡେ ଜାଗା ପାଇପାରିନାହାନ୍ତି। ଠେଙ୍ଗା ଧରି ଚାଲିବାକୁ ବଳ ପାଉନି। ମାତ୍ର ସେଇଥିରେ ବି ସେ ଗଂଜାମରୁ ଭୁବନେଶ୍ବର ଦୌଡ଼ି ଆସନ୍ତି। ଏଇ ଆଶା ନେଇ ଯେ ‘କାଳେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିବେ’। ତାଙ୍କ ଭିତରେ ୧୧ ବର୍ଷ ତଳୁ ଜଳୁଥିବା କୋହକୁ ସାନ୍ତ୍ବନା ଦେବାକୁ ମୁଖ୍ୟମନ୍ତ୍ରୀ ସହାୟ ହେବେ।

ସମ୍ବନ୍ଧିତ ଖବର