ଅପରେସନ୍‌ ପରେ ଦୃଷ୍ଟିଶକ୍ତି ହରାଇଲେ ବୃଦ୍ଧ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗରେ ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିବା ଅଭିଯୋଗ ହୋଇଛି। ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୮୫ବର୍ଷ ବୟସ୍କ ବୃଦ୍ଧ ଆଉ ଦେଖି ପାରୁ ନ ଥିବା କହିଛନ୍ତି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଥିବା ଲେନ୍‌ସ ବିକ୍ରି ହେଉଥିବା ଅଭିଯୋଗ ଆସୁଥିବା ବେଳେ ଏବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ବିଭାଗୀୟ ଡାକ୍ତରଙ୍କୁ ଅଡ଼ୁଆରେ ପକାଇଛି।

ସୂଚନା ଅନୁଯାୟୀ, ଝାରପଡ଼ା ଅଞ୍ଚଳର ଲକ୍ଷ୍ମଣ ବେହେରା ଗତବର୍ଷ ଅକ୍ଟୋବର ମାସରେ କ୍ୟାପିଟାଲ ହସ୍ପିଟାଲରେ ନିଜର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଲକ୍ଷ୍ମଣଙ୍କ ଦୁଇ ଆଖିରେ ମୋତିଆବିନ୍ଦୁ ହୋଇଥିବା କହିଥିଲେ। ତେଣୁ ଗୋଟିଏ ଆଖିର ଅସ୍ତ୍ରୋପଚାର କରିବା ପରେ ଅନ୍ୟ ଆଖିର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଡାକ୍ତର। ଗତବର୍ଷ ଅକ୍ଟୋବର ୨୧ତାରିଖରେ ଲକ୍ଷ୍ମଣଙ୍କ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ବାମ ଆଖିରେ ଅସ୍ତ୍ରୋପଚାର ହୋଇଥିଲା। ଏହାର ୩ଦିନ ପରେ ତାଙ୍କର ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲା। ୨୨ଦିନ ପରେ ସେ ସବୁକିଛି ଦେଖିପାରିବେ ବୋଲି ଡାକ୍ତର ତାଙ୍କୁ କହିଥିଲେ। ତେବେ ଅସ୍ତ୍ରୋପଚାର ହେବାର ୩ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ଲକ୍ଷ୍ମଣଙ୍କ ବାମ ଆଖିକୁ କିଛି ଦେଖା ଯାଉନାହିଁ। ତେବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଘଟଣାରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ କୌଣସି ଅଭିଯୋଗ ହୋଇ ନ ଥିବା ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର