ଚିକିତ୍ସାଧୀନ ଅବସ୍ଥାରେ ଅପରିଚିତ ବୃଦ୍ଧାଙ୍କ ମୃତ୍ୟୁ

ଖଣ୍ଡଗିରି : ରାଜରାସ୍ତା କଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ ଅପରିଚିତା ବୃଦ୍ଧାଙ୍କ ଆଜି ମୃତ୍ୟୁ ହୋଇଯାଇଛି। ତାଙ୍କ ଆନୁମାନିକ ବୟସ ୭୦ ବର୍ଷ ହେବ। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ଶବ ସଂରକ୍ଷଣ ଗୃହରେ ରଖିଛି ଓ ବୃଦ୍ଧାଙ୍କ ପରିଚୟ ପାଇବା ପାଇବା ପାଇଁ ଉଦ୍ୟମ କରୁଥିବା ସୂଚନା ଦେଇଛି। ପୁଲିସ ସୂଚନାନୁସାରେ ଗତ ୧୬ ତାରିଖରେ ଏହି ବୃଦ୍ଧାଜଣଙ୍କୁ ଏକ ସ୍ବେଚ୍ଛାସେବୀ ସଂଗଠନ ଖଣ୍ଡଗିରିର ରାଜରାସ୍ତା କଡ଼ରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଇଥିଲେ। ସ୍ଥାନୀୟ ଲୋକେ ଏହି ବୃଦ୍ଧାଙ୍କୁ ରାସ୍ତାକଡ଼ରେ ସଂକଟାପନ୍ନ ଅବସ୍ଥାରେ ପଡ଼ିଥିବା ଦେଖି ଉକ୍ତ ସଂଗଠନକୁ ଖବର ଦେଇଥିଲେ। ସେତେବେଳେ ବୃଦ୍ଧାଜଣଙ୍କ ବେଶ୍‌ କିଛି ଦିନ ଧରି ଅନାହାରରେ ଥିବା ଭଳି ଜଣାପଡ଼ୁଥିଲେ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ତେବେ ସେ କେଉଁଠାରୁ ଆସି ରାସ୍ତାକଡ଼ରେ ପଡ଼ି ରହିଥିଲେ, ତାହା ଜଣାପଡ଼ିନଥିଲା। ଏମିତିକି ସେ ମାନସିକ ବିକାରଗ୍ରସ୍ତ କି ନା ତାହା ସ୍ପଷ୍ଟ ହୋଇନଥିଲା। କାରଣ ଉଦ୍ଧାର କଲାବେଳକୁ ତାଙ୍କ ଅବସ୍ଥା ସଂଗିନ୍ ହୋଇପଡ଼ିଥିଲା। ଏବେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଲୋକ ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ଅନାହାର ମୃତ୍ୟୁ ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର