ପୁରୁଣା ଭୁବନେଶ୍ୱର : ସ୍ଥାନୀୟ ପୁନାମା ଗେଟ୍ ଓଭରବ୍ରିଜ୍ ତଳେ ରେଲୱେ ଲାଇନ୍ କଡ଼ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି, ଡୁମୁଡୁମା ଫେଜ୍-୨, ପ୍ଲଟ୍ ନଂ ୫୦୩ରେ ରହୁଥିବା ଅନାମ ନାୟକ(୬୫)। ଜିଆର୍ପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନାମ ଆଜି ଭୋରୁ ତାଙ୍କ ଗ୍ରାମ ବାଣପୁର ଯାଉଥିଲେ। ସେ ବଗିର ଗେଟ୍ ପାଖରେ ଠିଆ ହୋଇଥିବା ବେଳେ ତାଙ୍କ ଗୋଡ଼ ଖସି ଯିବାରୁ ଏହି ଅଘଟଣ ଘଟିଥିଲା। ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ଏନେଇ ଜିଆର୍ପିକୁ ସୂଚନା ଦେଇଥିଲେ। ସେଠାରେ ପଡ଼ିଥିବା ମୋବାଇଲ୍ ନମ୍ବରରୁ ଜିଆର୍ପି ତାଙ୍କ ପରିବାରଲୋକଙ୍କୁ ଜଣାଇବା ସହ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ
ଭୁବନେଶ୍ବର : ରାଜୀବଭବନ ନିକଟ ଗଳି ରାସ୍ତାରୁ କ୍ୟାପିଟାଲ ଥାନା ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ। ତାଙ୍କ ପରିଚୟ ମିଳିପାରି ନାହିଁ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଜଣେ ବ୍ୟକ୍ତି ସଜ୍ଞାହୀନ ଅବସ୍ଥାରେ ପଡ଼ି ଥିବା ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ କ୍ୟାପିଟାଲ ଥାନା ପୁଲିସ ଖବର ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅପେରା ଦେଖିବାକୁ ଯାଇ ଜୀବନ ଗଲା
ବାଲିଅନ୍ତା : ଅପେରା ଦେଖିବାକୁ ଯାଇ ଜଣେ ଯୁବକଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଅନ୍ତା ଥାନା ଅଧୀନ ଖମଙ୍ଗ ମେଲଣ ପଡ଼ିଆରେ। ଖମଙ୍ଗ ମେଲଣ ପଡ଼ିଆରେ ଗତ ୨ ଦିନ ଧରି ଅପେରା ଚାଲିଥିଲା। ଆଜି ଶେଷ ରାତି ହୋଇଥିବାରୁ ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ ୧୧ଟା ୩୦ରେ ଅପେରା ଦେଖିବାକୁ ଯାଇଥିବା ଖମଙ୍ଗ ଗାଁର ପ୍ରଫୁଲ୍ଲ ସୁନ୍ଦରାୟଙ୍କ ବଡ଼ପୁଅ ଲକି ସୁନ୍ଦରାୟ(୨୫) ପେଣ୍ଡାଲରେ ଥିବା ଲୁହା ଖୁଣ୍ଟକୁ ଧରି ଦେବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଲାଖି ରହିଥିଲେ। ଅନ୍ୟ ଲୋକମାନେ ଚେୟାରରେ ବାଡ଼େଇ ତାଙ୍କୁ ଖୁଣ୍ଟରୁ ଅଲଗା କରିଥିଲେ। ତୁରନ୍ତ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଅପେରା ପାର୍ଟିର ଚେୟାର ଫିଙ୍ଗା ଫୋପଡ଼ା କରିବା ସହ ଭଙ୍ଗାରୁଜା କରିଥିଲେ। ଗ୍ରାମବାସୀ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ଅପେରା ବନ୍ଦ ରହିଥିଲା।
ମୃତଦେହ ଉଦ୍ଧାର
ବାରଙ୍ଗ : ନନ୍ଦନକାନନ ଥାନା ପୁଲିସ ବାରଙ୍ଗ-ନନ୍ଦନକାନନ ନୂଆ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ବାରଙ୍ଗ ଥାନା ଅଧୀନ ଷ୍ଟେସନ ବଜାର ତେଲେଙ୍ଗା ସାହିର ବେଣୁ ତିରିଆ(୫୨)। ଆଜି ଅପରାହ୍ନରେ ମୃତଦେହ ପଡ଼ିଥିବା ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ଯାଇଥିଲା। ମୃତଦେହଟି ଦୁଇଦିନ ତଳର ବୋଲି ପୁଲିସ ଅନୁମାନ କରୁଛି। ବେଣୁ ଜଣେ ଶ୍ରମିକ ଓ ସାମାନ୍ୟ ମନସିକ ବିକାରଗ୍ରସ୍ତ ଥିବା ପୁଲିସ ଜାଣିବାକୁ ପାଇଛି।