ଭୁବନେଶ୍ୱର (ସରୋଜ କୁମାର ରାଉତ) : ପତ୍ନୀଙ୍କ ଗଳଗଣ୍ଡ ରୋଗ ଭଲ କରିବାକୁ କେତେ ଆଶାରେ ସେ ବାଲେଶ୍ୱରରୁ ଧାଇଁ ଆସିଥିଲେ ରାଜଧାନୀ। କେହି ଜଣେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ବାଢ଼ିଲେ ସାହାଯ୍ୟ ମିଳିବ। ହେଲେ ସରଳ ବିଶ୍ୱାସୀ ବେନିମାଧବ ରାଜଧାନୀ ଆସି ଫସିଗଲେ। ପ୍ରଥମେ ଠକ ହାବୁଡ଼ରେ ପଡ଼ି ଉଧାର କରି ଆଣିଥିବା ଟଙ୍କାତକ ହରାଇଲେ, ପରେ ଜେରକ୍ସ କରିବାକୁ ଯାଇ ରାଜଧାନୀ ଭିଡ଼ରେ କେଉଁଠି ହଜିଗଲେ ଯେ ଆଉ ତାଙ୍କର ପତ୍ତା ମିଳୁନି। ଆଉ ଏବେ ବେନିମାଧବଙ୍କୁ ନ ପାଇ ବାହୁନି ହେଉଛନ୍ତି ବୃଦ୍ଧା ପତ୍ନୀ ଶକୁନ୍ତଳା ଓ ଶାଳକ ଗୌରାଙ୍ଗ।
ସୋମବାର ସକାଳେ ବାଲେଶ୍ୱର ଭୀମପୁରା ଅଞ୍ଚଳର ବୃଦ୍ଧ ବେନିମାଧବ ସାହୁ ଟ୍ରେନ୍ରୁ ଓହ୍ଲାଇ ସ୍ତ୍ରୀ ଓ ଶଳାଙ୍କୁ ସହ ଅଭିଯୋଗ ପ୍ରକୋଷ୍ଠ ଆଡ଼କୁ ଆସୁଥିବା ବେଳେ ଜଣେ ଯୁବକ ଉପରେ ପଡ଼ି କହିଲା, କୁଆଡ଼େ ଯାଉଛ ମଉସା? ବାଟଘାଟ ଜାଣିନଥିବା ସରଳ ବୃଦ୍ଧ ଜଣକ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଉଛୁ। ଟିକେ ବାଟଟା କହିଦେବେ? ଏତିକି ଶୁଣୁଶୁଣୁ ଯୁବକ ଜଣକ ବୃଦ୍ଧଙ୍କୁ ଫୁସୁଲାଇ କହିଲା, ମୁଁ ପରା ଅଭିଯୋଗ ପ୍ରକୋଷ୍ଠର ଜଣେ କର୍ମଚାରୀ। ତୁମକୁ ୩ ଲକ୍ଷ ଟଙ୍କା ସାହାଯ୍ୟ କରାଇଦେବି। ତେବେ ଟଙ୍କା ପାଇବା ପାଇଁ ତୁମକୁ ଏକ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବାକୁ ପଡ଼ିବ। ତେଣୁ କିଛି ଟଙ୍କା ଦେବାକୁ ପଡ଼ିବ। ରାଜଧାନୀର ବାଟେଘାଟେ ଯେ ଏମିତି ଠକମାନେ ଅଛନ୍ତି ତାହା ତାଙ୍କୁ ମାଲୁମ୍ ନଥିଲା। ଅଜଣା ସହରରେ ଅଚିହ୍ନା ଲୋକଙ୍କ ଭିଡ଼ ଭିତରେ ସରଳ ବେନିମାଧବ ବିଲକୁଲ୍ ଫସି ଯାଇଥିଲେ। ତେଣୁ ଠକ କଥାରେ ଭାସିଯାଇ ସେ ପଡ଼ୋଶୀଙ୍କଠାରୁ ଉଧାର କରି ଆଣିଥିବା ସମସ୍ତ ୧୫୦୦ ଟଙ୍କା ଦେଇ ଦେଇଥିଲେ।
ଟଙ୍କା ପାଇଯିବା ପରେ ଯୁବକ ଜଣକ ତାଙ୍କୁ ସାଙ୍ଗରେ ଧରି କ୍ୟାପିଟାଲ ହସ୍ପିଟାଲ୍ ଯାଇଥିଲା। ଆଉ ତାଙ୍କୁ ଓପିଡିର ଏକ ରେଜିଷ୍ଟ୍ରସନ୍ କାଗଜ ଧରାଇ ଦେଇ ସ୍ତ୍ରୀ ଓ ଶଳାଙ୍କ ଦସ୍ତଖତ ନେଇ ଆସ ବୋଲି କହିଥିଲା। ତେବେ କିଛି ସମୟ ପରେ ବେନିମାଧବ ଦସ୍ତଖତ କାଗଜ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ବେଳକୁ ଠକ ଜଣକ ଗାଏବ ହୋଇଯାଇଥିଲା। ବିକଳ ହୋଇ ବୃଦ୍ଧ ବେନିମାଧବ ତାକୁ ଯେତେ ଖୋଜିଲେ ମଧ୍ୟ ପାଇ ନ ଥିଲେ। ଯୁବକ ଜଣକ ଯେ ତାଙ୍କୁ ଠକି ଦେଇ ଚାଲି ଯାଇଛି, ତାହା ତାଙ୍କର ହୃଦବୋଧ ହୋଇଥିଲା। କାନମୁଣ୍ଡା ଆଉଁସି ତିନିହେଁ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ।
ତେବେ ଦୁଃଖ ତାଙ୍କର ଏତିକିରେ ସରିନଥିଲା। ସକାଳ ପ୍ରାୟ ୧୦ଟାବେଳେ ବେନିମାଧବ ଅଭିଯୋଗ ପ୍ରକୋଷ୍ଠର ଜଣେ କର୍ମଚାରୀଙ୍କ କହିବା ଅନୁସାରେ କିଛି କାଗଜପତ୍ର ଜେରକ୍ସ କରିବାକୁ ଯାଇଥିଲେ। ମାତ୍ର ସେଇ ଯେ ଗଲେ, ଆଉ ଫେରି ନ ଥିଲେ। ଶକୁନ୍ତଳା ଓ ତାଙ୍କ ଭାଇ ଗୌରାଙ୍ଗ ଢେର୍ ସମୟ ଧରି ଅପେକ୍ଷା କରି ନିରାଶ ହେବା ପରେ ବେନିମାଧବଙ୍କୁ ଖୋଜି ଆଣିବାକୁ କେତେ ଲୋକଙ୍କୁ ନେହୁରା ହୋଇଥିଲେ। ସେମାନଙ୍କ ଦୁଃଖ ଶୁଣି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସ୍ୱେଚ୍ଛାସେବୀ ସୁଶାନ୍ତ କୁମାର ସାହୁ ଓ ରକି ଦାଶ। ସେମାନେ ବି ବେନିମାଧବଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଥିଲେ। କିନ୍ତୁ କେଉଁଠି ତାଙ୍କ ପତ୍ତା ମିଳିନଥିଲା। ସେମାନଙ୍କ ସହଯୋଗରେ ଶକୁନ୍ତଳା ଓ ଗୌରାଙ୍ଗ କ୍ୟାପିଟାଲ ଥାନାରେ ବେନିମାଧବଙ୍କ ନିଖୋଜ ସଂପର୍କର୍ରେ ଜଣାଇବା ସହ ରାତିରେ ବାଲେଶ୍ୱର ଫେରିଥିଲେ। କିନ୍ତୁ ସାଙ୍ଗରେ ବେନିମାଧବ ନଥିବାରୁ, ବାଟସାରା ଲୁହ ଗଡ଼େଇ ଫେରିବାକୁ ପଡ଼ିଥିଲା ଶକୁନ୍ତଳାଙ୍କୁ। ରାଜଧାନୀରେ ଅମାନବିକତାର ଦୃଶ୍ୟ ତାଙ୍କ ମନରୁ ଯାଉନଥିଲା।