ଲଜ୍ ଭିତରେ ବୃଦ୍ଧଙ୍କୁ ହତ୍ୟା ଘଟଣା : ସବୁଠି ନିରାଶା, ହରଡ଼ଘଣାରେ ପୁଲିସ

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେସନ ବଜାର ନିକଟ ଲଜ୍‌‌ରେ ରେଳବାଇ କର୍ମଚାରୀ ଟି.ଭି ରାଓଙ୍କ ହତ୍ୟା ଘଟଣାକୁ ଦୁଇ ଦିନ ବିତି ଗଲା। କିନ୍ତୁ ଏଯାଏ ପୁଲିସ ହତ୍ୟାକାରୀ ଚିହ୍ନଟ କରି ପାରିନାହିଁ। କିଏ ହତ୍ୟା କଲା, କାହିଁକି କଲା, ତାହା ସ୍ପଷ୍ଟ ହୋଇ ପାରିନାହିଁ। ଏଭଳି ପରିସ୍ଥିତିରେ ପୁଲିସ ହତ୍ୟାକାରୀକୁ କେମିତି ଗିରଫ କରିବ ତାକୁ ନେଇ ପ୍ରଶ୍ନ ଉଠିଲାଣି।

ଆଜି ପୁଲିସ ପୁଣି ଥରେ ଭୁବନେଶ୍ବର ଷ୍ଟେସନ୍‌ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ତନ୍ନତନ୍ନ କରି ଦେଖିଛି। କିନ୍ତୁ କେଉଁଠି ବି ଟି.ଭି ରାଓ ଓ ହତ୍ୟାକାରୀ ଯୁବକଙ୍କ ଫୁଟେଜ୍‌ ପାଇନାହିଁ। ପୁଲିସ ଏହାକୁ ନେଇ ହରଡ଼ଘଣାରେ ପଡ଼ିଛି। ଘଟଣା ଦିନ ପୁଲିସ ସେହି ଲଜ୍‌ରୁ ଜବତ କରିଥିବା ଏକ ନୂଆ ବହି( ସଦ୍ୟ କିଣା ହୋଇଥିବା) ଧରି ଖୋଳତାଡ଼ ଆରମ୍ଭ କରିଛି। ଜବତ ହୋଇଥିବା ବହି କେବଳ ଷ୍ଟେସନ୍‌ରେ ହିଁ ବିକ୍ରି ହୋଇଥାଏ। ତେଣୁ ପୁଲିସ ଜାଣିବାକୁ ଉଦ୍ୟମ କରିଛି ହତ୍ୟାକାରୀ ସେହି ବହିଟିକୁ କେଉଁ ଦୋକାନରୁ କିଣିଥିଲେ। ଏଥିପାଇଁ ପୁଲିସ ଷ୍ଟେସନ୍‌ରେ ବହି ଓ ପତ୍ରିକା ବିକ୍ରି କରୁଥିବା ସମସ୍ତ ଦୋକାନୀଙ୍କୁ ପଚରାଉଚରା କରିଛି। ସେହିପରି ସେଠାରେ ଲାଗିଥିବା ସିସି କ୍ୟାମେରା ମଧ୍ୟ ଯାଞ୍ଚ ଆରମ୍ଭ କରିଛି। କିନ୍ତୁ ପୁଲିସକୁ କୌଣସି ଠୋସ୍‌ ତଥ୍ୟ ମିଳିନାହିଁ। ସେହିପରି ପୁଲିସ ଆଜି ମୃତକଙ୍କ ମୋବାଇଲ୍‌ କଲ-ଡିଟେଲ୍ସ ଯାଞ୍ଚ କରିଛି। ସେ ଘଟଣା ଦିନ ଯେଉଁମାନଙ୍କ ସହ କଥାବାର୍ତା ହୋଇଛନ୍ତି, ସେମାନେ ସମସ୍ତେ ତାଙ୍କ ସମ୍ପର୍କୀୟ। କିନ୍ତୁ ଟି.ଭି ଏକାଧିକ ମୋବାଇଲ ବ୍ୟବହାର କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ସେହି ମୋବାଇଲର କଲ-ଡିଟେଲ୍ସ ଯାଞ୍ଚ କରିବାକୁ ଚାହିଁଛି। ସେହିପରି ପୁଲିସ ଆଜି ଷ୍ଟେସନ୍‌ରେ ଏକାଧିକ ଯୁବକଙ୍କୁ ପଚରାଉଚରା କରି ମୃତକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଟି.ଭି କେଉଁମାନଙ୍କ ସହିତ ମିଶୁଥିଲେ, ସେମାନଙ୍କୁ ସେ କିଛି ଆଗୁଆ ସୂଚନା ଦେଇଥିଲେ କି ? ସେହି ତଥ୍ୟ କାଢ଼ିବା ଲାଗି ପୁଲିସ ଲାଗି ପଡ଼ିଛି। କିନ୍ତୁ ଏଯାଏ ହତ୍ୟାକାରୀ ପତ୍ତା ପାଇ ପାରିନାହିଁ। ସବୁଆଡ଼େ କେବଳ ନିରାଶା ହିଁ ହାତରେ ଲାଗିଛି।

ସମ୍ବନ୍ଧିତ ଖବର