ଲଜ୍ ଭିତରେ ବୃଦ୍ଧଙ୍କୁ ହତ୍ୟା ମାମଲା : ସିସି କ୍ୟାମେରାରେ ହତ୍ୟାକାରୀ

୩ ଦିନ ପରେ ପୁଲିସକୁ ମିଳିଲା ସୁରାକ, ଚିହ୍ନଟ କରିବାକୁ ପରିବାରଲୋକଙ୍କୁ ଡାକରା

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେସନ ବଜାରସ୍ଥିତ ଏକ ଲଜ୍‌ ଭିତରୁ ପୂର୍ବତନ ରେଳବାଇ କର୍ମଚାରୀ ଟି.ଭି ରାଓଙ୍କ ହତ୍ୟା ଘଟଣାର ୩ ଦିନ ପରେ ଆଜି ପୁଲିସକୁ ସୁରାକ ମିଳିଛି। ତିନି ଦିନ କାଳ ଷ୍ଟେସନରେ ଲାଗିଥିବା ପାଖାପାଖି ୧ ହଜାର ସିସି କ୍ୟାମେରା ଯାଞ୍ଚ କରିବା ପରେ ଆଜି ସିସି କ୍ୟାମେରାରେ ଶ୍ରୀ ରାଓ ଓ ହତ୍ୟାକାରୀ ଯୁବକ ସାଙ୍ଗ ହୋଇ ଷ୍ଟେସନରୁ ବାହାରୁଥିବା ଦେଖା ଯାଉଛି। ସେହି ଯୁବକ ଜଣକ କିଏ ତା’ର ପରିଚୟ ଖୋଜିବା ଆରମ୍ଭ କରିଛି ପୁଲିସ। ଏଥିପାଇଁ ପୁଲିସ ମୃତ ଶ୍ରୀ ରାଓଙ୍କ ପରିବାର ଲୋକଙ୍କୁ ଭୁବନେଶ୍ବର ଡକାଇଛି।

୩ଦିନ ପରେ ପୁଲିସକୁ ଆଜି ଏକ ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ସେହି ସିସିଟିଭି ଫୁ‌ଟେଜରେ ଦୁହେଁ ବେଶ ହସଖୁସିରେ ୬ ନମ୍ବର ପ୍ଲାଟଫର୍ମରୁ ବାହାରି ସେହି ଲଜ୍‌ ଆଡକୁ ଯାଉଛନ୍ତି। ବାଟରେ କଥାବାର୍ତା ମଧ୍ୟ ହେଉଛନ୍ତି। ଯେମିତି ଜଣାପଡ଼ୁଛି ଦୁହେଁ ପରସ୍ପରକୁ ଚିହ୍ନିଛନ୍ତି। ତେବେ ସେହି ଯୁବକ ଜଣକ କିଏ, ତାଙ୍କର ମୃତ ଟି.ଭି ରାଓଙ୍କ ସହିତ ସମ୍ପର୍କ କ’ଣ ତାହା ଜାଣିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ପୁଲିସ ସେହି ଫୁଟେଜକୁ ଆଜି ଷ୍ଟେସନ ନିକଟରେ କେତେକ ଯୁବକ, କୁଲି ଆଦିଙ୍କୁ ଦେଖାଇଛି। ସେମାନେ ପୁଲିସକୁ କହିଛନ୍ତି, ସେହି ଯୁବକ ଜଣକ ବିଭିନ୍ନ ସମୟରେ ଟି.ଭି ରାଓଙ୍କ ପାଖକୁ ଆସୁଥିଲା। କିଛି ସମୟ ତାଙ୍କ ସହିତ ବିତାଇବା ପରେ ପୁଣି ଗାଏବ ହୋଇ ଯାଉଥିଲା। ସପ୍ତାହେ/ଦୁଇ ସପ୍ତା‌ହ ପରେ ଷ୍ଟେସନକୁ ଆସିଥାଏ। ଘଟଣା ଦିନ ଯୁବକ ଜଣକ ସାଙ୍ଗରେ ଏକ ବ୍ୟାଗ ଆଣିଥିଲା। ଆଉ ବୋଧହୁଏ ହତ୍ୟା କରିବାକୁ ଯୋଜନା କରିଥିଲା। କାରଣ ପୁଲିସ ଘଟଣା ଦିନ ସେହି ଲଜରୁ ଏକ ନୂଆ ଛୁରି ଜବତ କରିଥିଲା। ତେଣୁ ସେହି ଯୁବକଙ୍କର ମୃତ ଟି.ଭି ରାଓଙ୍କ ସହିତ ସମ୍ପର୍କ କ’ଣ ସେନେଇ ଅନୁସନ୍ଧାନ ଜାରି ରଖିଛି।

ଅନ୍ୟପକ୍ଷରେ ପୁଲିସ ସେହି ଯୁବକଙ୍କୁ ଚିହ୍ନଟ କରିବାକୁ ଟି.ଭି ରାଓଙ୍କ ପରିବାରକୁ ଭୁବନେଶ୍ବର ଡକାଇଛି। କାରଣ ପରିବାର ଲୋକ ଏବେ ଆନ୍ଧ୍ର ପ୍ରଦେଶର ପଲାସାରେ ଅଛନ୍ତି। ପୁଲିସ ସନ୍ଦେହ କରୁଛି ଯଦି ଦୁହେଁ ହସି ହସି ଷ୍ଟେସନରୁ ବାହାରି ଲଜକୁ ଯାଇଥିଲେ ଏବଂ ସେଠାରେ ବାପା-ପୁଅ ବୋଲି ପରିଚୟ ଦେଇଥିଲେ, ତେବେ ଟି.ଭି ରାଓଙ୍କୁ ସଂପୃକ୍ତ ଯୁବକ କାହିଁକି ହତ୍ୟା କଲା। ସେମାନଙ୍କ ମଧ୍ୟରେ କ’ଣ ଶତ୍ରୁତା ଥିଲା ନା ଟଙ୍କା ପାଇଁ ଏପରି ହୋଇଛି ତାହା ଜାଣିବା ପାଇଁ ପୁଲିସ ଦୋଛକିରେ ପଡ଼ିଛି। ଅନ୍ୟପକ୍ଷରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ହତ୍ୟାକାରୀ ଯୁବକକୁ ଚିହ୍ନଟ କରାଯିବା ପରେ ତାକୁ ଗିରଫ କରିବାକୁ ପୁଲିସ ଚଢ଼ଉ କରିବ।

ସମ୍ବନ୍ଧିତ ଖବର