ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ‘ଏନ୍ଇସିସି’ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ (ଓଲ୍ଫା) ବୁଧବାର ବିଳମ୍ବିତ ରାତିରେ ଆନ୍ଦୋଳନରୁ ଓହରିଯାଇଛି। ଏହା ସହ ଗତ ୨ ଦିନ ଧରି ଅଟକାଇଥିବା ଅଣ୍ଡା ଗାଡ଼ିଗୁଡ଼ିକୁ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା ପାଇଁ ଛାଡ଼ି ଦିଆଯାଇଛି। ଅଣ୍ଡା ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆସନ୍ତା ଶୁକ୍ରବାର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏଥିରେ ଉନ୍ନୟନ କମିସନର, ପ୍ରାଣୀ ସମ୍ପଦ ବିଭାଗ ସଚିବ ଓ ଅନ୍ୟ ଉଚ୍ଚ ଅଧିକାରୀଙ୍କ ସହ ‘ଓଲ୍ଫା’ର କର୍ମକର୍ତ୍ତାମାନେ ଯୋଗଦେବେ ବୋଲି ସୂଚନା ମିଳିଛି।
ରାଜ୍ୟରେ ପ୍ରାୟ ୨୦୦ ବଡ଼ ବଡ଼ ଲେୟର ଫାର୍ମ ରହିଛି। ଏହି ଫାର୍ମଗୁଡ଼ିକ ଯୋଗଦାନ ଫଳରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ବେଶ୍ ବୃଦ୍ଧି ପାଇଛି।
ରାଜ୍ୟ ଅଣ୍ଡା କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛି। ମାତ୍ର ଅଣ୍ଡାର ଦର ନିର୍ଧାରଣ କରୁଥିବା ଏନ୍ଇସିସି ଦେଶର କିଛି ବଡ଼ ବଡ଼ ସଂସ୍ଥା ସହ ସଲାସୁତୁରା କରି ଅଣ୍ଡା ମୂଲ୍ୟ କମ୍ ରଖୁଥିବା ଯୋଗୁଁ ରାଜ୍ୟର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କରୁ ଋଣ ନେଇ ଅନେକ ଚାଷୀ ସୁଝି ନ ପାରି ଦେବାଳିଆ ହୋଇ ଯାଇଛନ୍ତି। ପ୍ରାୟ ୩୦ଟି ଫାର୍ମ ବନ୍ଦ ହୋଇ ଯାଇଛି ଓ ଆହୁରି ୧୫ଟି ଫାର୍ମ ବନ୍ଦ ହେବା ଅବସ୍ଥାରେ। ରାଜ୍ୟରେ ପ୍ରାୟ ୫୦ ହଜାର ପ୍ରତ୍ୟକ୍ଷ ଓ ୨ ଲକ୍ଷ ପରୋକ୍ଷ ନିଯୁକ୍ତି ଦେଇଥିବା ଏହି କୁକୁଡ଼ା ଫାର୍ମଗୁଡ଼ିକ ବାରମ୍ବାର କ୍ଷତି ସହିବା ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି। ଅଣ୍ଡାଦିଆ କୁକୁଡ଼ା ଚାଷୀମାନଙ୍କ ନାର୍ଯ୍ୟ ଦାବିକୁ ଏନ୍ଇସିସି କ୍ରମାଗତ ଉପେକ୍ଷା କରୁଥିବାରୁ ଗତ ୪ ତାରିଖରେ ‘ଓଲ୍ଫା’ ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍ ନିକଟରେ ୬ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା।
ଚାଷୀଙ୍କୁ ସୁହାଉଥିବା ଅଣ୍ଡା ମୂଲ୍ୟ ନିର୍ଦ୍ଧାରଣ, ଅଣ୍ଡା ମୂଲ୍ୟ ହ୍ରାସ-ବୃଦ୍ଧି ପଦ୍ଧତି ଉଚ୍ଛେଦ, ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଅବଲମ୍ବନ, ଜାତୀୟସ୍ତରରେ ଏନ୍ଇସିସିରେ ଓଡ଼ିଶାର ପ୍ରତିନିଧିତ୍ୱ, ଏନ୍ଇସିସିରେ ଘରୋଇ ସଂସ୍ଥାର ନିୟନ୍ତ୍ରଣ ଉଚ୍ଛେଦ, ଲେୟର ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା। ତେବେ ଏନ୍ଇସିସି ସିଓଓ ଏସ୍. କୁମାର ୧୫ ଦିନ ମଧ୍ୟରେ ଏହାର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଥିବାରୁ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା। ମାତ୍ର ଏନ୍ଇସିସି କର୍ତୃପକ୍ଷ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ଗତ ୨ ଦିନ ଧରି ଅଣ୍ଡାଚାଷୀ ପୁଣିଥରେ ଆନ୍ଦୋଳକୁ ଓହ୍ଲାଇଥିଲେ।
ଫଳରେ ଶହ ଶହ ଅଣ୍ଡା ଗାଡ଼ି ଅଟକି ରହିବା ପରେ ଆନ୍ଧ୍ରର ଅଣ୍ଡା ବ୍ୟବସାୟୀମାନେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶ୍ରୀ ରେଡ୍ଡୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋନ୍ କରି ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ‘ଓଲ୍ଫା’ କର୍ତ୍ତୃପକ୍ଷ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି। ଓଡ଼ିଶାର ଅଣ୍ଡାଦିଆ କୁକୁଡ଼ା ଚାଷୀମାନେ ଏନ୍ଇସିସିର ମନୋମୁଖୀ କାର୍ଯ୍ୟ ଯୋଗୁଁ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ‘ଓଲ୍ଫା’ ପକ୍ଷରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ୫-ଟି ସଚିବଙ୍କ ଅବଗତ କରାଯାଇଛି। ଏହି କ୍ରମରେ ରାଜ୍ୟର ଲେୟର ଫାର୍ମର୍ସଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଆସନ୍ତା ଶୁକ୍ରବାର ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ‘ଓଲ୍ଫା’ ଅଧ୍ୟକ୍ଷ ମାନସରଞ୍ଜନ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇବା ସହ ରାଜ୍ୟର ଅଣ୍ଡା ଚାଷୀଙ୍କ ସ୍ୱାର୍ଥ ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଅଣ୍ଡା ଗାଡ଼ିର ଡ୍ରାଇଭର ଓ ସହାୟକଙ୍କୁ ଉତ୍ତମ ସତ୍କାର କରାଯାଇଛି। ଆନ୍ଧ୍ରର ଅଣ୍ଡା ଚାଷୀଙ୍କ ପ୍ରତି ମଧ୍ୟ ‘ଓଲ୍ଫା’ର ସହାନୁଭୂତି ରହିଛି। ତେବେ ଏନ୍ଇସିସିରେ ଚାଲିଥିବା ଦଲାଲରାଜ୍କୁ ଦୂର ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।