ଉତ୍ସାହ ଭରୁଛି ‘ଓଲିସ୍‌ ଲ୍ୟାଣ୍ଡ’

ଭୁବନେଶ୍ବର : ରଙ୍ଗବେରଙ୍ଗର ଆଲୋକମାଳା ଓ ସୁନ୍ଦର କାରୁକାର୍ଯ୍ୟରେ ଝଲସୁଛି କଳିଙ୍ଗ ଷ୍ଟାଡିୟମ୍‌। ଷ୍ଟାଡିୟମ୍‌ରେ ସବୁଠାରୁ ଆକର୍ଷଣ ସାଜିଛି ‘ଓଲିସ୍‌ ଲ୍ୟାଣ୍ଡ’। ଷ୍ଟାଡିୟମ୍‌ର ତିନି ନମ୍ବର ଗେଟ୍‌ରେ ପ୍ରବେଶ କଲେ ଉଭୟ ପାଖରେ ‘ଓଲିସ୍‌ ଲ୍ୟାଣ୍ଡ’ ରହିଛି। ଏଠାରେ ଆଖିଝଲସା ବିଭିନ୍ନ କରୁକାର୍ଯ୍ୟ କରାଯାଇଛି। ରାତି ହେଲେ ଏହା ଆହୁରି ସୁନ୍ଦର ଦେଖାଯାଉଛି। ହକି ଷ୍ଟିକ୍‌ରେ ଗେଟ୍‌, ଅଶୋକଚକ୍ର, ଲଭ୍‌ ସିମ୍ବଲ, ସେଲ୍‌ଫି ଜୋନ୍‌ ପରି ଆହୁରି ଅନେକ କଳାକୃତି ରହିଛି। ଆଜି ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ଯାଇଥିଲା। ଫଳରେ ହଜାରହଜାର ସଂଖ୍ୟାରେ ହକିପ୍ରେମୀ ‘ଓଲିସ୍‌ ଲ୍ୟାଣ୍ଡ’କୁ ଆସି ମଜା ନେଇଥିଲେ। ଓଲି ସହ ସେଲ୍‌ଫି ଉଠା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଛବି ସହ ଫଟୋ ଉଠାଇବାକୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।

ଏଥିସହ ହକି ଉପକରଣ ସହ ଖାଦ୍ୟ ଓ ପାନୀୟ ଷ୍ଟଲ୍‌ ବି ରହିଛି। କୋରାପୁଟ କଫିଠାରୁ ଆରମ୍ଭ କରି ପ୍ରତିଷ୍ଠିତ ହୋଟେଲ୍‌ର ଷ୍ଟଲ୍‌ ଖୋଲାଯାଇଛି। ସେହିପରି ମିଲେଟ୍‌ରେ ପ୍ରସ୍ତୁତ ଖାଦ୍ୟର ଏକ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯାଇଛି। ଯେଉଁଠି ମିଲେଟ୍‌ରୁ ପ୍ରସ୍ତୁତ ମଣ୍ଡା, କାକରା, ଆରିସା ପିଠା, ଲଡ଼ୁ, ଖୁରୁମା, କେକ୍‌ ସହ ବରା, ଚପ୍‌ ପ୍ରଭୃତି ଭୁବନେଶ୍ବର ତ୍ରିଶକ୍ତି ମହିଳା ପରିଷଦ ଦ୍ବାରା ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ତେବେ ମ୍ୟାଚ୍‌ ଚାଲୁଥିବା ସମୟରେ ଏହି ସ୍ଥାନକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। କେବଳ ଟିକେଟ୍‌ଧାରୀମାନେ ମ୍ୟାଚ୍ ଦିନରେ ପ୍ରବେଶ କରିପାରିବେ। ମ୍ୟାଚ୍ ନଥିବା ଦିନରେ, ସମସ୍ତଙ୍କ ପାଇଁ ମାଗଣା ପ୍ରବେଶ ରହିଛି।

ସମ୍ବନ୍ଧିତ ଖବର