ଭୁବନେଶ୍ବର: ଦୋ ଘୁଣ୍ଟ ମୁଝେ ବି ପିଲା ଦେ ସରାବି..., ଇସ୍କ ସୁଫିଆନା..., ଚିପୁଡି ଦେଲୁ ଦିଲ୍ଟା..., ଭଳି ଗୀତରେ କମ୍ପୁଥିଲା ଉତ୍କଳ ମଣ୍ଡପ। ଡିଜେ ସାଉଣ୍ଡ୍ର ତାଳେତାଳେ ରଙ୍ଗିନ୍ ଆଲୋକରେ ଝିଲିମିଲି ପୋଷାକ ପିନ୍ଧି ନାଚୁଥିଲେ ସେଲିବ୍ରିଟି। ମଞ୍ଚ ତଳେ ବସିଥିବା ଦର୍ଶକଙ୍କ ପାଦ ବି ଆପେ ଆପେ ଗୀତର ତାଳେ ତାଳେ ଉଠୁଥିଲା। ଏସ୍.ଏମ୍ ଏଣ୍ଟରଟେନ୍ମେଣ୍ଟ ପକ୍ଷରୁ ଆୟୋଜିତ ‘ଓଲିଉଡ୍ ନାଇଟ୍ ୱେଲକମ୍ ୨୦୨୨ ଉତ୍କର୍ଷ ଆୱାର୍ଡ’ କାର୍ଯ୍ୟକ୍ରମ ଆଜି ଶୀତୁଆ ସଂଧ୍ୟାରେ ଏମିତି ଦର୍ଶକଙ୍କ ମଧ୍ୟରେ ଉଷ୍ମତା ଭରି ଦେଇଥିଲା। ମୁକ୍ତାକାଶ ମଞ୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଥିଲେ ହେଁ ଶେଷ ପର୍ଯ୍ୟନ୍ତ ଦର୍ଶକ ଏହାକୁ ଉପଭୋଗ କରିଥିଲେ।
ସ୍ୱରାଜ ଶ୍ରେଷ୍ଠ ଅଭିନେତା ଓ ଏଲିନା ଶ୍ରେଷ୍ଠ ଅଭିନେତ୍ରୀ
ଓଡ଼ିଆ ସିନେଜଗତରେ କାମ କରୁଥିବା କଳାକାରଙ୍କ ଉତ୍ସାହ ବୃଦ୍ଧି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି, ଓଡ଼ିଶା ହାଉସିଂବୋର୍ଡ କର୍ପୋରେସନ୍ର ଚେୟାରମ୍ୟାନ୍ ପ୍ରିୟଦର୍ଶୀ ମିଶ୍ର, ଆକାଶ ଇନ୍ଷ୍ଟିଚ୍ୟୁଟ୍ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୂରସିଂହ, ଗୁପ୍ତା ପାୱାରର ମହେନ୍ଦ୍ର ଗୁପ୍ତା, ବରିଷ୍ଠ ସିନେ କଳାକାର ଶ୍ରୀତମ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏସ୍ଏମ୍ ଏଣ୍ଟରଟେନ୍ମେଣ୍ଟ’ର ପ୍ରଯୋଜକ ଶୁଭମ୍ ମହାନ୍ତି ପୌରୋହିତ୍ୟ କରିଥିଲେ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ‘ଜୀବନବ୍ୟାପୀ ସାଧାନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ଅଶୋକ ପତି, ଶ୍ରେଷ୍ଠ ଅଭିନେତା ଭାବେ ସ୍ବରାଜ ବାରିକ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ ସିନେମା ଭାବେ ‘ଚକ୍ଷୁବନ୍ଧନ’କୁ ସମ୍ମାନିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍) ଭାବେ ଭୂମିକା ଦାଶ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଶ୍ରେଷ୍ଠ ଗୀତିକାର ଭାବେ ବସନ୍ତରାଜ୍ ସାମଲ, ସିନେମାଟୋଗ୍ରାଫି ରବୀନ୍ଦ୍ର ବେହେରା, ଶ୍ରେଷ୍ଠ କାହାଣୀକାର ଭାବେ ଦେବୀଦତ୍ତ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ନିର୍ଦ୍ଦେଶକ ସଂଜୟ କୁମାର ମହାକୁଡ଼ ଉତ୍ସବକୁ ପରିଚାଳନା କରିଥିବା ବେଳେ ଅଭିନେତା ପୂରିନ୍ଦର ନାୟକ ଓ ପିଙ୍କି ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ହିତେଶ ନାୟକ ଧନ୍ୟବାଦ ଦେଇଥିଲେ। ଏଥିରେ ଓଡ଼ିଆ ସିନେଜଗତର ବହୁ କଳାକାର ଉପସ୍ଥିତ ଥିଲେ।