ଚଳଚ୍ଚିତ୍ରକୁ କଳା ଭାବିଲେ ଓଲିଉଡ ସ୍ଥିତି ସୁଧୁରିବ: ହରିହର

ନୃତ୍ୟକ୍ଷେତ୍ରରେ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ଅନ୍ୟ ଏକ ପରିଚୟ ଦେଇଥିବା ସ୍ବତନ୍ତ୍ର ବ୍ୟକ୍ତିତ୍ବ ହେଲେ ହରିହର ଦାଶ। ୨୦୧୦ ମସିହାରେ ‘ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ୍’ ରିଅଲିଟି ସୋ’ ତାଙ୍କୁ ଦେଇଥିଲା ପରିଚୟ। ମାଇକେଲ୍ ଜ୍ୟାକ୍‌ସନ ଡ୍ୟାନ୍ସ ମୁଭ୍ ହେଉ ଅବା ଲକିଂ ଆଣ୍ଡ୍ ପପିଂ, ବ୍ରେକ୍ ଡ୍ୟାନ୍ସ ଓ ବଲିଉଡ୍ ନୃତ୍ୟଶୈଳୀ ସହ ହାଉସ୍ ନୃତ୍ୟର ଫୁଜନ୍; ସବୁଥିରେ ଏବେ ସେ ମାହିର। ଦୀର୍ଘ ଦିନ ଧରି ବିଦେଶରେ ନିଜ ନୃତ୍ୟ ପ୍ରଦର୍ଶନ ପରେ ଏବେ ଭୁବନେଶ୍ବରରେ ‘ଲିପ୍ସ୍ ଅନ୍ ବିଟ୍ସ୍’ ଓ ‘ଡିଭାଇନ୍ ଡ୍ୟାନ୍ସ ଆଣ୍ଡ୍ ମ୍ୟୁଜିକ୍ ଏକାଡେମି’ ଦୁଇଟି ନୃତ୍ୟନୁଷ୍ଠାନ ଖୋଲି ଓଡ଼ିଆ ପିଲାଙ୍କୁ ପାଶ୍ଚାତ୍ୟ ନୃତ୍ୟ ଶିଖାଉଛନ୍ତି। ଏଥିସହ ତାଙ୍କର ଓଲିଉଡର ୨ଟି ଚଳଚ୍ଚିତ୍ର ‘ମୁଁ ପ୍ରେମୀ ମୁଁ ପାଗଳ’ ଓ ‘ହେ ପ୍ରଭୁ ଦେଖା ଦେ’ ପରଦାକୁ ଆସି ସାରିଥିବା ବେଳେ ‘ଦୁଇ ଦୁଗୁଣେ ପାଞ୍ଚ’, ‘ସବୁ ଏ ଲଭ୍ ପାଇଁ’ ଚଳଚ୍ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ରହିଛି। ଚଳିତ ସପ୍ତାହରେ ଓଡ଼ିଶାର ଏହି ନୃତ୍ୟ ବ୍ୟକ୍ତିତ୍ବଙ୍କ ସହ ସାକ୍ଷାତକାର।

ପ୍ରତିଭାକୁ ପ୍ରୋତ୍ସାହିତ କରିବା ଦିଗରେ ରିଅଲିଟି ସୋ’ କେତେ ଦୂର ସହାୟକ ହୋଇଥାଏ?
ବହୁ ପ୍ରତିଭାଙ୍କୁ ନେଇ ଏକ ବଡ଼ ମଞ୍ଚରେ ରିଅଲିଟି ସୋ’ ହୋଇଥାଏ। ଏଥିରେ ପ୍ରତିଭାମାନଙ୍କୁ ଅଧିକ ମାର୍ଜିତ ହେବାକୁ ସୁଯୋଗ ମିଳିଥାଏ। ଏଥିସହ ସୋ’ ଟିଭିରେ ପ୍ରସାରିତ ହେଉଥିବାରୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆସିବାରେ ସହଜ ହୋଇଥାଏ। ଏଠାରେ ପ୍ରତିଭାଙ୍କୁ ଭଲ ପ୍ରଶିକ୍ଷକଙ୍କ ଦ୍ବାରା ତାଲିମ ଦିଆଯାଏ। ଫଳରେ ସେମାନଙ୍କ ପ୍ରତିଭାର ଆହୁରି ପରିସ୍ଫୁଟନ ହୋଇପାରେ। କିନ୍ତୁ ରିଅଲିଟି ସୋ’ ସଫଳତାର ସଂଜ୍ଞା ନୁହେଁ, ପ୍ରଥମ ପାହାଚ ମାତ୍ର।

ଓଡ଼ିଶାରେ ନୃତ୍ୟର ସ୍ଥିତି କିଭଳି ରହିଛି?
ଓଡ଼ିଶୀ ନୃତ୍ୟ ଜରିଆରେ ବିଶ୍ବ ଦରବାରରେ ଆମେ ବହୁତ ଆଗରୁ ହିଁ ଶୀର୍ଷ ସ୍ଥାନରେ ରହିଆସିଛୁ। କିନ୍ତୁ ବର୍ତ୍ତମାନ ବିଭିନ୍ନ ପାଶ୍ଚାତ୍ୟ ନୃତ୍ୟଶୈଳୀ ସହ ଅନ୍ତର୍ଜାତୀୟ ନୃତ୍ୟରେ ମଧ୍ୟ ଓଡ଼ିଆମାନେ ପାରଙ୍ଗମ ହେଲେଣି। ବ୍ରେକ୍ ଡ୍ୟାନ୍ସ, ପପିଂ, ଲକିଂ, ହାଉସ୍ ଓ କଣ୍ଟେମ୍ପୋରାରି ଆଦିର ଚାହିଦା ଏବେ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଢେର ଅଧିକ ରହିଛି। ୨୦୧୦ରେ ମୁଁ ‘ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ୍’ ଯାଉଥିବା ସମୟ‌ରେ ଓଡ଼ିଶାରେ ପାଶ୍ଚାତ୍ୟ ନୃତ୍ୟ ଶିଖିବା ପାଇଁ ନୃତ୍ୟାନୁଷ୍ଠାନ ନଥିଲା। ମୁଁ ନିଜେ ବିଭିନ୍ନ ଭିଡିଓ ସଂଗ୍ରହ କରି ଓ ବାହାରକୁ ଯାଇ ନୃତ୍ୟ ଶିଖିଥିଲି। କିନ୍ତୁ ଆଜି ୧୨ ବର୍ଷ ପରେ ଓଡ଼ିଶାର ସବୁ ସହରରେ ପାଶ୍ଚାତ୍ୟ ନୃତ୍ୟ ଶିଖିବାକୁ ବହୁଗୁଡ଼ିଏ ଅନୁଷ୍ଠାନ ଖୋଲିଗଲାଣି।

ଆପଣଙ୍କ ମତରେ ଫ୍ୟାସନ୍‌ର ଅର୍ଥ କ’ଣ?
ନିଜକୁ ଯାହା ଆରାମ ଓ ସହଜ ଅନୁଭବ କରାଏ ତାହା ହିଁ ଆମକୁ ଅଧିକ ଫ୍ୟାସନେବୁଲ୍ ଲୁକ୍ ଦେଇପାରେ। କାରଣ ଆମେ ଯାହା ପିନ୍ଧିଲେ ଆରାମ ପାଉ, ତାହାକୁ ଏକ ଷ୍ଟାଇଲିଷ୍ଟ୍ ୱେରେ ଆମେ କ୍ୟାରି କରିପାରୁ। ଏଥିସହ ସ୍ଥାନ, କାଳ ଓ ପାତ୍ର ଦେଖି ଆମେ ପୋଷାକ ଚୟନ କରିବା ଜରୁରୀ। ସେହିଭଳି ଅଧିକ ଚକ୍‌ମକ୍ ପୋଷାକ ଅପେକ୍ଷା ସାଧା ଲୁକ୍ ମୋର ଅଧିକ ପସନ୍ଦ। ଧଳା, କଳା ଓ ଗ୍ରେ ରଙ୍ଗର ପୋଷାକ ମୋର ଅଧିକ ପସନ୍ଦ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ଥିତିକୁ ନେଇ କ’ଣ କହିବେ?
ମୁଁ ବର୍ତ୍ତମାନ ସୁଦ୍ଧା ୪ଟି ଓଡ଼ିଆ ଚଳଚ୍ଚିତ୍ର କରିସାରିଛି। କିନ୍ତୁ ଏବେ ଧୀରେଧୀରେ ଓଡ଼ିଆ ଚଳଚ୍ଚିତ୍ରର ମାନ କମିବାରେ ଲାଗିଛି। କାହାଣୀଠାରୁ ଆରମ୍ଭ କରି ଚରିତ୍ର, ସ୍ଥାନ, ବଜେଟ୍‌କୁ ନେଇ ଆଉ ଏବେ ପରୀକ୍ଷାନିରୀକ୍ଷା ହେଉନାହିଁ। ଓଲିଉଡ୍ ଏବେ ଭଲ କାହାଣୀ ଲେଖକ ଅଭାବ ଦେଇ ଗତି କରୁଛି। ହୁଏତ ଏହି ଅଭାବବୋଧ ପ୍ରତି ଆମେ ଏବେଠାରୁ ଧ୍ୟାନ ଦେଲେ ଆଉ ୫/୬ ବର୍ଷ ପରେ ଓଲିଉଡ୍ ଭଲ ସ୍ଥିତିକୁ ଆସିପାରିବ। ଚଳଚ୍ଚିତ୍ରକୁ ଏକ କଳା ନ ଭାବି ଆମେ ବ୍ୟବସାୟ ଭାବି ସାରିଛୁ। ଫଳରେ ଏହି ଦୁଃସ୍ଥିତି ଦେଇ ଆମେ ଗତି କରୁଛୁ। ଆମେ ଆମ ମୌଳିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣର ସାହସୀ ନିଷ୍ପତ୍ତି ନେଉ ନାହେଁ। ଆମେ ନିରାପଦରେ ରହି ଖେଳିବାକୁ ଚାହୁଁଛେ, ଫଳରେ ପଛରେ ପଡ଼ିଯାଇଛେ।
ଓଲିଉଡ୍‌ରେ ଆପଣ ନୃତ୍ୟଭିତ୍ତିକ ସିନେମା ନିର୍ମାଣ କରିବାକୁ ଚାହାନ୍ତି କି?
ଇଚ୍ଛା ତ’ ବହୁତ ଥିଲା। କିନ୍ତୁ ବହୁ ଉଦ୍ୟମ ପରେ ଜାଣିବାକୁ ପାଇଲି ଯେ, ଓଲିଉଡ୍ ଏବେ ନୃତ୍ୟଭିତ୍ତିକ ସିନେମା ନିର୍ମାଣ ସ୍ଥିତିରେ ନାହିଁ। ବଜେଟ୍‌, ସିନେମା ହଲ୍ ଓ ଦର୍ଶକଙ୍କ ଅଭାବ ଏହାର ମୁଖ୍ୟ କାରଣ।

ଫାଙ୍କା ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ନୃତ୍ୟ ପରେ ପିଆନୋ ବଜାଇବା ମୋର ସବୁଠାରୁ ବଡ଼ ସଉକ। ସକାଳୁ ଉଠି ପ୍ରତିଦିନ ମୁଁ ପିଆନୋ ବଜାଏ। ଏହାଛଡ଼ା କ୍ରିକେଟ ଖେଳିବା ଓ ବହି ପଢ଼ିବା ମୋର ପସନ୍ଦ। ମୋ ଘରେ ମୁଁ ଗୋଟିଏ ଛୋଟ ଗ୍ରନ୍ଥାଗାର ମଧ୍ୟ କରିଛି।

ସମ୍ବନ୍ଧିତ ଖବର