ଓଏଲ୍‌ଏକ୍ସ, କ୍ବିକର‌୍‌ରେ ବଡ଼ ଷଡ଼୍‌ଯନ୍ତ୍ର : ଲୋଭ ଦେଖାଇ ଲୁଟୁଛନ୍ତି ଅପରାଧୀ

ଭୁବନେଶ୍ବର/କଟକ : ଆପଣ ଓଏଲ୍‌ଏକ୍ସ, କ୍ବିକର‌୍‌ ୱେବ୍‌ସାଇଟ୍‌ରୁ ଅଳ୍ପମୂଲ୍ୟରେ ଦାମୀ ଗାଡ଼ି କିମ୍ବା ଇଲୋକ୍ଟ୍ରନିକ୍ସ ପ୍ରଡକ୍ଟ କିଣୁଛନ୍ତି କି? ଅଜଣା ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର କିମ୍ବା ପେଟିଏମ୍‌ ଆକାଉଣ୍ଟର‌୍‌ରେ ସେଲର୍‌ଙ୍କ କହିବା ଅନୁଯାୟୀ ଟଙ୍କା ଜମା କରୁଛନ୍ତି କି? ଏଥିପ୍ରତି ସତର୍କ ରୁହନ୍ତି। ଅନ୍ତର୍ଜାତୀୟ ସାଇବର ଅପରାଧୀ ଗ୍ୟାଙ୍ଗ୍‌ ଏବେ ଓଏଲ୍‌ଏକ୍ସ, କ୍ବିକର‌୍‌ ମାଧ୍ୟମରେ ଗ୍ରାହକଙ୍କ ଟଙ୍କା ଲୁଟିବାକୁ ବଡ଼ଧରଣର ଷଡ଼୍‌ଯନ୍ତ୍ର କରିଥିବା ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।

କମ୍‌ ଦାମ୍‌ରେ ଦାମୀ ପ୍ରଡକ୍ଟ ବିକ୍ରି କରିବାର ଲୋଭ ଦେଖାଇ ଗ୍ରାହକଙ୍କ ଟଙ୍କା ଲୁଟୁଛନ୍ତି ଅପରାଧୀ। କୌଣସି ଅଜଣା ନମ୍ବରରୁ ଫୋନ୍‌ କଲ୍‌ ଆସୁଥିଲେ ‘ସାପ୍ଲସ୍‌ କଲର‌୍‌ ଇନ୍‌ଫୋ ଆପ୍ଲକେସନ୍‌’ ମାଧ୍ୟମରେ ଉକ୍ତ ନମ୍ବରର ଲୋକେସନ୍‌ ଯାଞ୍ଚ କରିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅନ୍‌ଲାଇନ୍‌ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ଅଜଣା ନମ୍ବରଟି ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରୁ ଆସିଛି, ଆପ୍ଲିକେସନ୍‌ ମାଧ୍ୟମରେ ଗ୍ରାହକ ସୂଚନା ପାଇପାରିବେ। କେବଳ ସେତିକି ନୁହେଁ, ସେଲର‌୍‌ଙ୍କ ଆକାଉଣ୍ଟ୍‌ରେ ଟଙ୍କା ଜମା କରିବା ପୂର୍ବରୁ ଆଇଏଫ୍‌ଏସ୍‌ସି କୋଡ୍‌ ମଧ୍ୟ ଗ୍ରାହକ ଇଣ୍ଟର‌୍‌ନେଟ୍‌ ମାଧ୍ୟମରେ ଯାଞ୍ଚ କରି ବ୍ୟାଙ୍କ୍‌ର ତଥ୍ୟ ଅବଗତ ହେବା ଜରୁରୀ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଓଏଲ୍‌ଏକ୍ସ କିମ୍ବା କ୍ବିକର‌୍‌ରେ ସାଇବର‌୍‌ ଅପରାଧୀମାନେ ଏବେ ଅଧିକ ସକ୍ରିୟ ଥିବାର ପ୍ରମାଣ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି। ଅନ୍ତର୍ଜାତୀୟ ସାଇବର‌୍‌ ଅପରାଧୀ ଗ୍ୟାଙ୍ଗ୍‌ ନିର୍ଦ୍ଦିଷ୍ଟ ଭାବେ ଉପରୋକ୍ତ ଦୁଇଟି ୱେବ୍‌ସାଇଟ୍‌ ମାଧ୍ୟମରେ ଅପରାଧ ଘଟାଇବା ପାଇଁ ଟାର୍ଗେଟ୍‌ କରିଛନ୍ତି। ମୋବାଇଲ୍‌ ଫୋନ୍‌, କାର‌୍‌, ବାଇକ୍‌ ସମେତ ଦାମୀ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ଅଳ୍ପ ମୂଲ୍ୟରେ ଏହି ୱେବ୍‌ସାଇଟ୍‌ରେ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଉଛନ୍ତି। ପ୍ରଡକ୍ଟର ସେଲର‌୍‌ ପରିଚୟ ଦେଉଥିବା ସାଇବର‌୍‌ ଅପରାଧୀ ଅଜଣା ବ୍ୟାଙ୍କ ଆକାଉଣ୍ଟ କିମ୍ବା ପେଟିଏମ୍‌ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଉଛନ୍ତି। ତେବେ ଗ୍ରାହକ ପ୍ରତ୍ୟକ୍ଷ ଭାବେ ପ୍ରଡକ୍ଟ ନ ଦେଖି ଅନ୍‌ଲାଇନ୍‌ରେ ଫଟୋ ଦେଖି ଟଙ୍କା ଜମା କରିଦେଉଥିବାରୁ ଠକାମିରେ ପଡ଼ୁଥିବା ଘଟଣା କ୍ରାଇମ୍‌ବ୍ରାଞ୍ଚର ଚିନ୍ତା ବଢ଼ାଇଛି। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅନ୍‌ଲାଇନ୍‌ରେ ଜିନିଷ କିଣୁଥିବା ଗ୍ରାହକଙ୍କୁ ସତର୍କ କରାଇଛି। କୌଣସି ଇଲୋକ୍ଟ୍ରନିକ୍ସ ସାମଗ୍ରୀ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅଜଣା ବ୍ୟାଙ୍କ ଆକାଉଣ୍ଟ କିମ୍ବା ପେଟିଏମ୍‌ ଆକାଉଣ୍ଟରେ ଜମା ନ କରିବାକୁ ବାରଣ କରାଯାଇଛି। ଜିନିଷ କିଣିବା ପୂର୍ବରୁ ସମ୍ପୃକ୍ତ ସେଲର‌୍‌ଙ୍କ ସତ୍ୟାସତ୍ୟ ଯାଞ୍ଚ କରିବା ନିହାତି ଆବଶ୍ୟକ। କାର‌୍‌ କିମ୍ବା ବାଇକ୍‌ ଘରେ ପହଞ୍ଚିବା ପୂର୍ବରୁ କୌଣସି ସେଲର‌୍‌ ଯଦି ପଞ୍ଜୀକରଣ ବାବଦ ଅର୍ଥ ଦାବି କରୁଛନ୍ତି, ତେବେ ଏଥିରେ ଭଳି ନ ଯିବାକୁ ପରାମର୍ଶ ଦିଆଯାଇଛି। ନଚେତ ଅପରାଧୀଙ୍କ ଟ୍ରାପ୍‌ରେ ପଡ଼ିଯିବାର ଯଥେଷ୍ଟ ଆଶଙ୍କା ରହିଛି। ବାହାର ରାଜ୍ୟର ଅପରାଧୀ ଅଳ୍ପ ମୂଲ୍ୟରେ ଦାମୀ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ବିକ୍ରି କରିବାକୁ ଅନ୍‌ଲାଇନ୍‌ରେ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି, ଏଥିରେ କେହି ଗ୍ରାହକ ନ ଫସିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର