ଓଏଲ୍‌ଏକ୍ସ ଗାଡ଼ି ବିକ୍ରି ଠକେଇ ମାମଲା: କୋଟିପତି ଠକ ତୃପ୍ତିର ଗୁମର ଖୋଲୁଛି

ସାରା ରାଜ୍ୟରୁ ଅଭିଯୋଗକାରୀଙ୍କ ସୁଅ
କେବଳ ବଡ଼ଗଡ଼ ଥାନାରେ ହେଲାଣି ୨୧ ମାମଲା
୮ ବ୍ୟାଙ୍କ ଆକାଉଣ୍ଟ ଜବତ, ଏବେ ସୁଦ୍ଧା ମିଳିଛି ୧୦ ଲକ୍ଷ ଟଙ୍କା

ଭୁବନେଶ୍ବର : ଓଏଲଏକ୍ସରେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ବିଜ୍ଞାପନ ଦେଇ କୋଟିକୋଟି ଟଙ୍କା ଠକୁଥିବା କୁଖ୍ୟାତ ଠକ ତୃପ୍ତି ଦାସ ବିରୋଧରେ ଅଭିଯୋଗ ସଂଖ୍ୟା ଲମ୍ବିବାରେ ଲାଗିଛି। ବଲାଙ୍ଗୀର, ସମ୍ବଲପୁର, ସୋନପୁର, ନୂଆପଡ଼ା, ସୁନ୍ଦରଗଡ଼, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏମିତି ସାରା ରାଜ୍ୟରୁ ଅଭିଯୋଗକାରୀଙ୍କ ସୁଅ ଛୁଟିବାରେ ଲାଗିଛି। ତୃପ୍ତି ଗିରଫ ହେବା ପରଠାରୁ ଥାନାରେ ଅଭିଯୋଗ ଧରି ପହଞ୍ଚୁଛନ୍ତି ଠକାମିର ଶିକାର ବ୍ୟକ୍ତି। ଗାଡ଼ି ବିକ୍ରି ନାଁରେ କାହାଠୁ ୫ ଲକ୍ଷ ତ ଆଉ କାହାଠାରୁ ୨ ଲକ୍ଷ ଏମିତି କରି ଟଙ୍କା ଠକି ନେଇଛି ତୃପ୍ତି। ବୋଲେରୋ ଖଣ୍ଡେ କିଣି ରୋଜଗାର ଆଶାରେ ଥିବା ଚାକିରିଆ ହୁଅନ୍ତୁ କି ବ୍ୟବସାୟୀ, ପୁଲିସ କର୍ମଚାରୀ, ବେକାର ଯୁବକ ସମସ୍ତଙ୍କୁ ଚୂନ ଲଗାଇଛି। ଗୋଟିଏ ଗୋଟିଏ ଗାଡ଼ିକୁ ଏକାଧିକ ଲୋକଙ୍କୁ ଠକିଛି। ୭ ଦିନିଆ ରିମାଣ୍ଡରେ ଆସିଥିବା ତୃପ୍ତିକୁ ଆଜି ଦ୍ବିତୀୟ ଦିନରେ ମାରାଥନ୍ ଜେରା କରି ଅନେକ ତଥ୍ୟ ପାଇଛି ବଡ଼ଗଡ଼ ଥାନା ପୁଲିସ। ସେହିପରି ଥାନାରେ ଆଜି ଦିନତମାମ୍ ୧୫ରୁ ଅଧିକ ଅଭିଯୋଗ ପହଞ୍ଚିଛି। ତୃପ୍ତି ଗିରଫ ହେବା ପୂର୍ବରୁ ଓ ଆଜି ସୁଦ୍ଧା ବଡ଼ଗଡ଼ ଥାନାରେ ୨୧ଟି ମାମଲା ରୁଜୁ ହୋଇ ସାରିଲାଣି।

ତୃପ୍ତିର ବିଭିନ୍ନ ବ୍ୟାଙ୍କର ୮ଟି ପାସବୁକ୍ ଜବତ କରିଛି ପୁଲିସ। ସମସ୍ତ ବ୍ୟାଙ୍କର ବିବରଣୀ ପୁଲିସ ମଗାଇଥିବା ବେଳେ ଗୋଟିଏ ଆକାଉଣ୍ଡରେ ୧୦ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି। ଅନ୍ୟ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଆସିଲା ପରେ କେତେ ସମ୍ପତ୍ତି ରହିଛି ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।

ରଖିଥିଲା ବାଉନ୍ସର, ରିସେପ୍‌ସନ୍‌ରେ ସୁନ୍ଦର ଯୁବତୀ
କୁଖ୍ୟାତ ଠକ ତୃପ୍ତି ରାଜଧାନୀର ଚାରିଆଡ଼େ ବୁଲି ବୁଲି ଅଫିସ ଖୋଲୁଥିଲା। ଠକାମିର ଶିକାର ଲୋକ ଯେତେବେଳେ ପହଞ୍ଚି ଅଫିସରେ ଭିଡ଼ କରୁଥିଲେ ସେତେବେଳେ ଠିକଣା ବଦଳାଉଥିଲା। ଅନ୍ୟପକ୍ଷରେ ବାଉନ୍ସରଙ୍କୁ ଅଫିସରେ ନିଯୁକ୍ତି ଦେଇଥିଲା ସେ। ରିସେପ୍‌ସନ୍‌ରେ ସୁନ୍ଦରୀ ଯୁବତୀ ବସୁଥିଲେ। ଯେଉଁମାନେ ଗାଡ଼ି କିଣିବାକୁ ଆସୁଥିବା ଲୋକଙ୍କ ସହ ଡିଲ୍ କରୁଥିଲେ। ପୁଲିସ କିଛି କର୍ମଚାରୀଙ୍କର ବୟାନ ରେକର୍ଡ କରିଛି। ଆଜି ତୃପ୍ତିକୁ ଧରି ପୁଲିସ ଧଉଳି, ବ୍ରହ୍ମେଶ୍ବରପାଟଣା, ଟଙ୍କପାଣି ରୋଡର ସାଇବିହାର ଆଦି ଅଞ୍ଚଳକୁ ଯାଇଥିଲା। କିନ୍ତୁ ସେହି ସବୁ ଅଞ୍ଚଳରୁ ପୁଲିସକୁ ସେମିତି କିଛି ଖାସ୍ ସୂଚନା ମିଳିପାରି ନ ଥିଲା। ଏମିତି ଦିନତମାମ୍ ତୃପ୍ତି ଭୁଆଁ ବୁଲାଇଥିଲା।

ଅନ୍ୟ ଜିଲ୍ଲା ଲୋକଙ୍କୁ ଟାର୍ଗେଟ କରୁଥିଲା
ତୃପ୍ତିର ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ ଜିଲ୍ଲା ଲୋକଙ୍କୁ କମ୍ ଟାର୍ଗେଟ କରୁଥିଲା। କେବଳ ଯେଉଁମାନେ ଆସି ତା’ ଜାଲରେ ଫସନ୍ତି ସେମାନଙ୍କୁ ଠକେ। କିନ୍ତୁ ଦୂର ଜିଲ୍ଲାର ଲୋକମାନଙ୍କୁ ଟାର୍ଗେଟ କରେ ତୃପ୍ତି। ଉଦ୍ଦେଶ୍ୟ ହେଲା ଦୂର ଦୂରାନ୍ତରୁ ଲୋକମାନେ ଓଏଲଏକ୍ସରେ ଯୋଗାଯୋଗ କରନ୍ତି। ତୃପ୍ତି ଦିନ ଗଡ଼ାଇଲେ ମଧ୍ୟ ଦୂରରୁ ଲୋକମାନେ ଆସିପାରନ୍ତି ନାହିଁ। ଯାହାଫଳରେ ସେ ଲକ୍ଷ ଲକ୍ଷ ଟଙ୍କା ଠକିଚାଲେ। ଖୁବଶୀଘ୍ର ଏସବୁର ଗୁମର ଖୋଲିବ ବୋଲି ପୁଲିସ କହିଛି।

ପଦାକୁ ଆସିଲା ଠକ-ପୁଲିସ ଲିଙ୍କ୍, ତୃପ୍ତି ବିରୋଧରେ ଗୁରୁତର ଅଭିଯୋଗକୁ ଚାପି ଦେଇଥିଲା ପୁଲିସ‌
ଭୁବନେଶ୍ବର : ଓଏଲ୍‌ଏକ୍ସରେ ଗାଡ଼ି ବିକ୍ରି ବିଜ୍ଞାପନ ଦେଇ କୋଟି କୋଟି ଟଙ୍କା ଠକେଇ କରୁଥିବା ମୋଷ୍ଟ ଵାଣ୍ଟେଡ୍‌ ଠକ ତୃପ୍ତି ରଞ୍ଜନ ଦାସର ପୁଲିସ ଲିଙ୍କ୍‌ ପଦାକୁ ଆସିଛି। ୨୦୧୩ ମସିହାରେ ତୃପ୍ତି ଅନୁରୂପ ଢଙ୍ଗରେ ୨ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିଲା। ଏ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ମାମଲା ରୁଜୁ ନ କରି ଚାପି ଦେଇଥିଲା। କେବଳ ପୁଲିସ ନୁହେଁ, ଇଓଡବ୍ଲୁରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏଣୁ ତା’ର ସାହସ ବଢ଼ିବା ସହ ସେ ଗୋଟିଏ ପରେ ଗୋଟିଏ ଠକେଇ କରି ଚାଲିଥିଲା।

୨୦୧୩ ମସିହାରେ ଏଭଳି ଠକେଇର ଶିକାର ହୋଇଥିବା ଯୁବକ ହେଉଛନ୍ତି ବମିଖାଲର କାସିମ ମହମ୍ମଦ। ତୃପ୍ତି ତାଙ୍କୁ ଏକ ପୁରୁଣା ଟାଭେରା ଗାଡ଼ି ଦେବା ପାଇଁ ଜୁଲାଇ ୭ ତାରିଖରେ ଚୁକ୍ତି କରିଥିଲା। ଏଥିପାଇଁ ଅଗ୍ରୀମ ବାବଦକୁ କାସିମ ୨ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ। ୨୫ ଦିନ ଭିତରେ ଗାଡ଼ି ଦେବ କହି ତୃପ୍ତି ଆଉ ଗାଡ଼ି ଦେଇନଥିଲା। ସେତେବେଳେ ତୃପ୍ତିର ନୂଆଗାଁରେ ଥିବା ଗଣପତି ମୋଟର୍ସକୁ ସେ ବାରମ୍ବାର ଦଉଡ଼ିଥିଲେ ମଧ୍ୟ ତୃପ୍ତି ଗାଡ଼ି ଦେଇନଥିଲା କି ଟଙ୍କା ମଧ୍ୟ ଫେରାଇ ନଥିଲା। ବରଂ ଅଫିସକୁ ଆସିଲେ ହତ୍ୟା କରିବାକୁ ଧମକ ଦେଇଥିଲା। ଏଣୁ କାସିମ ହତାଶ ହୋଇ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ମାମଲା ରୁଜୁ କରି ନ ଥିଲା। ଦୀର୍ଘ ଦିନ ଥାନା ଦଉଡ଼ିବା ପରେ କାସିମ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ। ଇଓଡବ୍ଲୁ ମାମଲା ରୁଜୁ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। କିଛି ଦିନ ଦଉଡ଼ିବା ପରେ କାସିମ ହତାଶ ହୋଇ ନିରବ ରହିଥିଲେ। ଏବେ ତୃପ୍ତି ଗିରଫ ହେବା ପରେ ସେ ଏ ବାବଦରେ ବଡ଼ଗଡ଼ ଥାନାକୁ ଯାଇ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର