ସୁଟିଂ ଫ୍ଲୋର୍‌କୁ ଏବେ ଫେରିପାରିବନି ଓଲିଉଡ୍‌

୭ଟି ଚଳଚ୍ଚିତ୍ର ସୁଟିଂ ସରି ରିଲିଜ୍‌ ହେବାକୁ ବାକି /ବଲିଉଡ୍‌ଶୈଳୀରେ ନିର୍ମାଣ କୌଶଳ ଆପଣାଇବା ଅସମ୍ଭବ

ଭୁବନେଶ୍ବର : ଲକ୍‌ଡାଉନ୍‌ ଅବଧି ସରି ନାହିଁ। କିନ୍ତୁ ସୁଟିଂ ଆରମ୍ଭ ନେଇ ବଲିଉଡ୍‌ ପକ୍ଷରୁ ଖସଡ଼ା ପ୍ରସ୍ତୁତ ହୋଇଗଲାଣି। ସୁଟିଂ ବେଳେ ସରକାରଙ୍କ ସବୁ ସତର୍କତା ମାନି କାମ ଆରମ୍ଭ କରିବାକୁ ସିନେମା ଦୁନିଆ ବ୍ୟଗ୍ର ହେଲାଣି। ମାତ୍ର ଓଡ଼ିଆ ସିନେ ଶିଳ୍ପ (ଓଲିଉଡ୍‌) ସାହସ ଜୁଟାଇ ପାରୁନାହିଁ। ସିନେମା ନିର୍ମାଣ ବେ‌ଳେ ଅନ୍ୟୁନ ୭୦ରୁ ୮୦ ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ପଡ଼େ। ଯଦି ବଲିଉଡ୍‌ ଭଳି ଓଲିଉଡ୍‌ ମଧ୍ୟ ସେ ସମସ୍ତ ନିୟମକୁ ଅନୁସରଣ କରି ସିନେମା ନିର୍ମାଣ କରିବ, ତେବେ ଏହା ଅତ୍ୟନ୍ତ ବ୍ୟୟବହୁଳ ହେବ। ଯେଉଁ ପ୍ରଯୋଜକମାନେ ବି ଅଧିକ ଖର୍ଚ୍ଚାନ୍ତ ହୋଇ ସିନେମା ନିର୍ମାଣ କରିବେ, ତାହା ମୁକ୍ତିଲାଭ କରିବା ପରେ ଯେ ସେଇ ପୁଞ୍ଜି ଫେରିପାଇବେ, ସେଥିରେ ମଧ୍ୟ ଗ୍ୟାରେଣ୍ଟି ନାହିଁ।

ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ପତି କହିଛନ୍ତି, ବଲିଉଡ୍‌ ଏକ ବୃହତ୍‌ ଶିଳ୍ପଜଗତ। ସେଠାରେ ସୁଟିଂ ଆରମ୍ଭ ପାଇଁ ଅଣ୍ଟା ଭିଡ଼ିବା ଅର୍ଥ ଯେ ଏହାକୁ ଓଲିଉଡ୍‌ ଅନୁକରଣ କରାଯାଇପାରିବ, ତାହା ଭାବିବା ଭୁଲ୍‌। ପ୍ରଥମତଃ ସରକାର ଓ ସ୍ବାସ୍ଥ୍ୟ ବିଭାଗର ଅନୁମତି ଲୋଡ଼ା। ଦ୍ବିତୀୟ କଥା ହେଉଛି, ଚଳଚ୍ଚିତ୍ର ନିର୍ମାଣ ପାଇଁ କେଉଁ ଗାଇଡ୍‌ଲାଇନ୍‌ ବାଧ୍ୟତାମୂଳକ ହେବ? ଯଦି ବଲିଉଡ୍‌କୁ ଅନୁକରଣ କରାଯିବ, ତେବେ ନିଶ୍ଚିତ ଫିଲ୍ମ ପ୍ରଡକ୍ସନ ଖର୍ଚ୍ଚ ବୃଦ୍ଧି ପାଇବ। ପୁଣି ଲକ୍‌ଡାଉନ୍‌ ପରେ ସିନେମା ନିର୍ମାଣ ହେବା ଅର୍ଥ ଏହାକୁ ପକେଇ ନରଖି ତୁରନ୍ତ ରିଲିଜ୍‌ କରିବାକୁ ପଡ଼ିବ। ଯେତେ ଭଲ ଫିଲ୍ମ ହେଲେ ମଧ୍ୟ ଏବେ ଆର୍ଥିକ ସ୍ଥିତି ଯାହା, ଲୋକେ ଯେ ସିନେମା ଦେଖିବାକୁ ହଲ୍‌କୁ ଆସିବେ ତା’ର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ଏସବୁ ସତ୍ତ୍ବେ ଓଡ଼ିଆ ସିନେମା ନିର୍ମାଣ ଯେଭଳି ସ୍ବାଭାବିକ ହୋଇପାରିବ ଏବଂ ସୀମିତ ଖର୍ଚ୍ଚରେ ଏହି କାର୍ଯ୍ୟ ତୁଲା ଯାଇପାରିବ, ସେ ଦିଗରେ ଚଳଚ୍ଚିତ୍ର ବିଶେଷଜ୍ଞ, ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ସଂଘର ବ୍ୟକ୍ତିମାନେ ବସି ଚିନ୍ତା କରିବା ଆବଶ୍ୟକ ବୋଲି ‌ସେ କହିଛନ୍ତି। ଶ୍ରୀ ପତିଙ୍କ ସୂଚନା ମୁତାବକ, ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ପ୍ରଯୋଜନାରେ ସେ ଅନୁଭବଙ୍କୁ ନେଇ ଏକ ଫିଲ୍ମ କାମ ଆରମ୍ଭ କରିଦେଇଥିଲେ। ପ୍ରି-ପ୍ରଡକ୍ସନ୍‌ କାମ ମୋଟାମୋଟି ସରିଥିଲା। ସୁଟିଂ ଫ୍ଲୋରକୁ ଯିବା ପୂର୍ବରୁ କରୋନା ଦାଉ ସାଧିଲା। ସେ ଏକଥା ମଧ୍ୟ କହିଛନ୍ତି, ସିନେମା ଶିଳ୍ପରେ ପ୍ରତ୍ୟକ୍ଷ ଭାବେ ପାଖାପାଖି ୪ହଜାର ବ୍ୟକ୍ତି ଜଡ଼ିତ। ବଲିଉଡ୍‌ ପରି ସବୁ ଅଭିନେତାଙ୍କ ପାଇଁ ସ୍ବତନ୍ତ୍ର ମେକଅପ୍‌ମ୍ୟାନ୍‌, ପରିଧାନଠୁ ଆରମ୍ଭ କରି ଖାଦ୍ୟପେୟ ଗ୍ରହଣ କରିବାର ବିଧି ଆପଣାଇବା ଏବଂ ଅନ୍ୟ ସବୁ ସତର୍କତା ଅବଲମ୍ବନ କରିବା ବ୍ୟୟବହୁଳ ହେବ।

ଚଳଚ୍ଚିତ୍ର ସୁଟିଂ ଯଦିଓ ନିକଟରେ ସମ୍ଭବ ନୁହେଁ କିନ୍ତୁ ଧାରାବାହିକ ସୁଟିଂ ଆରମ୍ଭ କରାଯାଇପାରିବ ବୋଲି କହିଛନ୍ତି ସିନେ ପ୍ରଯୋଜକ ଅକ୍ଷୟ ପରିଜା। ତାଙ୍କ କହିବା ମୁତାବକ, ଆମେ ଏବେ ବି ସବୁଜ ସଙ୍କେତକୁ ଚାହିଁ ବସିଛୁ। ମାତ୍ର ସିନେମାରେ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଥିବାରୁ ଏହା ନିକଟ ଭବିଷ୍ୟତରେ ସମ୍ଭବ ହେବା ଭଳି ଲାଗୁନାହିଁ। କିନ୍ତୁ ଧାରାବାହିକ ସୁଟିଂ ଆରମ୍ଭ ସମ୍ଭବତଃ କରାଯାଇପାରିବ। ରାଜ୍ୟରେ ଅଦ୍ୟାବଧି ୧୮ଟି ଧାରାବାହିକ ଚାଲୁଥିବା ବ‌େଳେ ଦେଢ଼ ହଜାର ବ୍ୟକ୍ତିବିଶେଷ ଏହା ସହ ଜଡ଼ିତ। ନିର୍ଦ୍ଦିଷ୍ଟ ପରିବେଶରେ ସତର୍କତା ଆପଣାଇ ଧାରାବାହିକ ସୁଟିଂ କରାଯାଇପାରିବ ବୋଲି ମୋର ଆଶା। ତେବେ ସିନେମା ଅଧିକ ଖର୍ଚ୍ଚ କରି ନିର୍ମାଣ କଲେ ମଧ୍ୟ ‌ଲୋକେ ଦେଖିବାକୁ ଆସିବେ ନା ନାହିଁ ତାହା କହିବା ମୁସ୍କିଲ୍‌ ବୋଲି ସେ କହିଛନ୍ତି।

ଏବେ ସୁଦ୍ଧା ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର, ସହିଦ ରଘୁ ସର୍ଦାର, ତୁ ମୋର ନିହାତି ଦରକାର, ଲଭ ଫିଭର, ହୀରାଲାଲ ମୋତିଲାଲ, ଯେତେ ଗୋରି ସେତେ ଷ୍ଟୋରି, ଟିକେ ଲଭ ଟିକେ ଟ୍ବିଷ୍ଟ ଭଳି ଚଳଚ୍ଚିତ୍ର ନିର୍ମାଣ ସରିଥିବା ବେଳେ ରିଲିଜ୍ ହେବାକୁ ବାକି ରହିଛି। ବାବୁସାନଙ୍କ ସିନେମା ‘ବିଦ୍ୟାରାଣ’ ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ ୩ଟି ଗୀତ ସୁଟିଂ ପରେ ଅଟକି ରହିଛି। ରଜକୁ ଦୃଷ୍ଟି ରଖି ଅନୁଭବଙ୍କ ସିନେମା ସୁଟିଂ ଆରମ୍ଭ ହେବାକୁ ଯାଉଥିବା ବ‌େଳେ ତାହା ବି ଅଟକି ଯାଇଛି। ରଜ ଫିଲ୍ମ ବଜାର ଯେ ଏଥର ଫିକା ପଡ଼ିବ, ତାହା ନିଶ୍ଚିତ ହୋଇସାରିଲାଣି। ଯଦିଓ ୭ଟି ଫିଲ୍ମ ସୁଟିଂ ଓ ପୋଷ୍ଟ ପ୍ରଡକ୍ସନ କାମ ସରି ରିଲିଜ୍ ପାଇଁ ପ୍ରସ୍ତୁତ ଅଛି, କିନ୍ତୁ କେହି ବି ରିସ୍କ ନେଇ ରଜରେ ଫିଲ୍ମ ରିଲିଜ୍‌ କରିବା ସପକ୍ଷରେ ନାହାନ୍ତି।

ସମ୍ବନ୍ଧିତ ଖବର