କିଟ୍‌ ସମାବର୍ତନ ସମାରୋହ: ଯୁବଶକ୍ତି, ବୌଦ୍ଧିକ କ୍ଷମତା ବଳରେ ଭାରତ ବିଶ୍ବର ନେତୃତ୍ବ ନେବ: ଓମ୍‌ ବିର୍ଲା

ଭୁବନେଶ୍ବର: ଆମ ଯୁବଶକ୍ତି, ବୌଦ୍ଧିକ କ୍ଷମତା ଓ ବୈଷୟିକ ଜ୍ଞାନ ହିଁ ଭାରତକୁ ଆଗାମୀ ଦିନରେ ବିଶ୍ବର ନେତୃତ୍ବ ନେବାରେ ସହାୟକ ହେବ। ଅନ୍ୟ ଉନ୍ନତ ରାଷ୍ଟ୍ରରେ ଜ୍ଞାନକୌଶଳର ଦ୍ରୁତ ବିକାଶ ହେଉଛି ସତ, ମାତ୍ର ଆମ ନିକଟରେ ଥିବା ବିପୁଳ ଯୁବଶକ୍ତି ହିଁ ଭାରତର ପ୍ରଗତିରେ ମେରୁଦଣ୍ଡ ପାଲଟିବ। ଏହା କହିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। କିଟ୍‌ (କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି) ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଶ୍ରୀ ବିର୍ଲା କହିଲେ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ହିଁ ଦ୍ରୁତ ପରିବର୍ତନ ଆଣୁଛି। ତେଣୁ ଏହା ସହ ତାଳ ଦେଇ ସୃଜନ ଓ ବୈଷୟିକ ଜ୍ଞାନକୁ ଉପଯୋଗ କରି ଦେଶର ସେବାରେ ବ୍ରତୀ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଏକଥା ବି କହିଲେ, ଦୀକ୍ଷାନ୍ତ ସମାରୋହ ପ୍ରତି ବିଦ୍ୟାର୍ଥୀଙ୍କ ପାଇଁ ଏକ ସନ୍ଧିକ୍ଷଣ ସମୟ। କଡ଼ା ପରିଶ୍ରମ ଓ ସାଧନାର ସିଦ୍ଧିର ଦିନ। ମାତାପିତାଙ୍କ ସଂସ୍କାର, ଗୁରୁଙ୍କ ତପସ୍ୟା ଓ ତୁମର ନିଷ୍ଠା ଯୋଗୁଁ ତୁମେ ଏପରି ସମ୍ମାନର ଅଧିକାରୀ ହୋଇପାରିଛ। ଏହା ସତ୍ତ୍ବେ ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା। ବିଦ୍ୟାର୍ଥୀମାନେ ନୂଆ ଢଙ୍ଗରେ ରଚନାତ୍ମକ ଚିନ୍ତନ କରିବାରେ ସିଦ୍ଧହସ୍ତ। ଏହା ହିଁ ଭବିଷ୍ୟତରେ ଆମର ବିରାଟ ଶକ୍ତି ଭାବେ ଉଭା ହୋଇ ଦେଶକୁ ନେତୃତ୍ବ ଦେବାରେ ପ୍ରମୁଖ ଭୂମିକା ନେବ ବୋଲି ସେ କହିଛନ୍ତି। ଏଥିସହ ସେ କିସ୍‌ରେ ୩୦ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପଢ଼ୁଥିବା ଦେଖି ଅଭିଭୂତ ହେବା ସହ ଅନ୍ୟର ଉକ୍ତିକୁ ଉଦ୍ଧାର କରି ଅଚ୍ୟୁତ ସାମନ୍ତଙ୍କୁ ‘ଶିକ୍ଷାର ବିଶ୍ବକର୍ମା’ ବୋଲି କହିଥିଲେ। ରାଜନୈତିକ କ୍ଷେତ୍ରରେ ରାଷ୍ଟ୍ରର ଉନ୍ନତ ପରିଚାଳନା ପାଇଁ ଆସନ୍ତା ଦିନରେ ରାଜନୀତି ବିଷୟରେ ‘କିଟ୍‌’ରେ ପିଏଚ୍‌ଡିର ବ୍ୟବସ୍ଥା କରାଯାଉ ବୋଲି ସେ ପରାମର୍ଶ ଦେଇଥିଲେ।

ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ, ସଂପ୍ରତି ବିଶ୍ବ ତାପମାନ ଓ ଜଳବାୟୁ ପରିବର୍ତନ କ୍ଷେତ୍ରରେ ସମସ୍ୟା ଗମ୍ଭୀର ହେଉଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ଆଜିର ଯୁବପିଢ଼ି ଗବେଷଣା କରିବା ଉଚିତ୍‌। କବି ସମ୍ରାଟ ଉପେନ୍ଦ୍ର ଭଂଜ ଓ କାଳିଦାସ କୌଣସି ଡିଗ୍ରି ପାଇନଥିଲେ। ମାତ୍ର ସେମାନେ ସୃଜନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିଲେ। ତେଣୁ ଡିଗ୍ରି ଅପେକ୍ଷା ଜ୍ଞାନ ହିଁ ବଡ଼। ଏହି ଜ୍ଞାନ ଯଦି ଦେଶର ହିତରେ ଲାଗିପାରେ, ତେବେ ଶୈକ୍ଷିକ ଜୀବନ ସଫଳ ହୁଏ। କିଟ୍‌ ଡିମ୍‌ଡ ଟୁ ବି ୟୁନିଭର୍ସିଟିର କୁଳାଧିପତି ପ୍ରଫେସର ବେଦ ପ୍ରକାଶ କହିଲେ, ଛାତ୍ରମାନେ କିଛି କରିବା ଆଗରୁ ଆଗେ ନିଜକୁ ଗଢ଼ିବା ପାଇଁ ୪ଟି ସ୍ତମ୍ଭକୁ ଦମ୍ଭ କରନ୍ତୁ। କୌଣସି ଜିନିଷକୁ ‘ନା’ କୁହନ୍ତୁ ନାହିଁ, ନିଜକୁ ପରିପ୍ରକାଶର କଳା ଆହରଣ କରନ୍ତୁ, ନେତୃତ୍ବ ନେବାର ଦକ୍ଷତାକୁ ବିକାଶ କରନ୍ତୁ, ନିଜକୁ ଭଲ କରି ଜାଣନ୍ତୁ ବୋଲି ସେ କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପକୁଳାଧିପତି ପ୍ରଫେସର୍‌ ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର୍‌ ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଓ କୁଳସଚିବ ପ୍ରଫେସର୍‌ ଜ୍ଞାନରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସାମଗ୍ରିକ ଶ୍ରେଷ୍ଠତ୍ବ ପାଇଁ ତ୍ରିସା ଚାଟାର୍ଜୀ, ସ୍ବାଗତ ଖଟେଇ ଓ ବୈଦେହୀ ଘୋଷଙ୍କୁ ପ୍ରତିଷ୍ଠାତା ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ୨୦ଜଣଙ୍କୁ କୁଳାଧିପତି ସ୍ବର୍ଣ୍ଣ ପଦକ, ୨୩ ଜଣଙ୍କୁ କୁଳପତି ରୌପ୍ୟପଦକ, ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସ୍ବର୍ଣ୍ଣପଦକ, ପିପିଏଲ୍‌ ସ୍ବର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ୮୫ଜଣ ଗବେଷକ ପଣ୍ଡିତଙ୍କୁ ପିଏଚ୍‌ଡି ଡିଗ୍ରି ସହ ୫୪୩୯ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଓ ୧୦୫୪ ଜଣଙ୍କୁ ସ୍ନାତକୋତ୍ତର ଡିଗ୍ରି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର