ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ବହୁ ଚାଳକ ଲେନ୍ ଡ୍ରାଇଭିଂ ବ୍ୟବସ୍ଥାକୁ ମାନୁନାହାନ୍ତି। ବିଶେଷକରି ବାଇକ୍ ଓ ଅଟୋଚାଳକମାନେ ଏହି ବ୍ୟବସ୍ଥା ସହ ଅଭ୍ୟସ୍ତ ହୋଇପାରୁନାହାନ୍ତି। ସେମାନେ ଜାଣିଶୁଣି ଲେନ୍ ଡ୍ରାଇଭିଂକୁ ମାନୁ ନଥିବାରୁ ଏହି ରାସ୍ତାର ସବୁ ଟ୍ରାଫିକ୍ ଛକରେ ଅସମ୍ଭାଳ ଭିଡ଼ ହେଉଛି। ଫଳରେ ବହୁ ସମୟରେ ଆମ୍ବୁଲାନ୍ସ ବାଟ ନ ପାଇ ଫସି ରହୁଛି ଏବଂ ଜରୁରୀକାଳୀନ ଚିକିତ୍ସା ସେବା ପାଇବାକୁ ଥିବା ରୋଗୀମାନେ ସମସ୍ୟାରେ ପଡ଼ୁଛନ୍ତି।
ଏହି ରାସ୍ତାର ଡମଣା, ନାଲ୍କୋ, ପଟିଆ ଓ କିଟ୍ ଆଦି ଛକରେ ଦିନର ସବୁ ସମୟରେ ଭିଡ଼। ଟ୍ରାଫିକ୍ ନିୟନ୍ତ୍ରଣ ଦାୟିତ୍ବରେ ଥିବା କିଛି ବରିଷ୍ଠ ଟ୍ରାଫିକ୍ ଅଧିକାରୀଙ୍କ ମତାନୁଯାୟୀ ଲେନ୍ ଡ୍ରାଇଭ୍ ବାବଦରେ ସମସ୍ତେ ଜାଣିଛନ୍ତି। କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଯେତେ ଜରିମାନା କଲେ ବି କିଛି ସୁଫଳ ମିଳୁନାହିଁ। ବିଶେଷକରି ବାଇକ୍ ଆରୋହୀ ଓ ଅଟୋ ଚାଳକମାନେ ପାଳନକଲେ ଟ୍ରାଫିକ୍ ଛକର ବାମ ପାର୍ଶ୍ବ ରାସ୍ତା ଛାଡ଼ୁନାହାନ୍ତି। ଟିକିଏ ଫାଙ୍କା ପାଇଲେ, ସେମାନେ ସେଠାରେ ଗାଡ଼ି ରଖିଦେଉଛନ୍ତି। ପୂର୍ବରୁ ଲୋକେ ପାରାଲାଲ୍ ଡ୍ରାଇଭ୍ ବାବଦରେ ସଚେତନ ନଥିଲେ। ଏବେ ବହୁ ଚାଳକ ସଚେତନ ହେଲେଣି ଏବଂ ପାରାଲାଲ୍ ଡ୍ରାଇଭ୍ କରୁଛନ୍ତି। ତେଣୁ ଏହି ରାସ୍ତାରେ ପୂର୍ବ ଭଳି ଭିଡ଼ ହେଉନାହିଁ। କିନ୍ତୁ ଟ୍ରାଫିକ୍ ଛକର ସ୍ଥିତି ଭିନ୍ନ। ଚାରିଚକିଆ ଗାଡ଼ି ଚାଳକମାନେ ଟ୍ରାଫିକ୍ ଛକରେ ପଛକୁ ପଛ ପାରାଲେଲ୍ ଭାବେ ଅଟକୁଛନ୍ତି। ଅଥଚ ବାଇକ୍ ଆରୋହୀ ଓ ଅଟୋ ଚାଳକମାନେ ବାମ ପଟକୁ ଫାଙ୍କା ଦେଖି ଚାଲିଯାଉଛନ୍ତି। ସବୁବେଳେ ସେମାନଙ୍କୁ ଜଗିବା ସମ୍ଭବ ହେଉନାହିଁ।
ଫଳରେ ଟ୍ରାଫିକ୍ ଛକରେ ବହୁ ସମୟରେ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି। ଯେଉଁଦିନ ଯାଞ୍ଚ କରାଯାଉଛି, ପରିସ୍ଥିତି ଭିନ୍ନ। କିନ୍ତୁ ସବୁ ସମୟରେ ଯାଞ୍ଚ କରିବା ସମ୍ଭବ ହେଉନଥିବାରୁ ପୂର୍ବାବସ୍ଥା ସୃଷ୍ଟି ହେଉଛି। ଯେଉଁଦିନ ଗାଡ଼ି ଚାଳକମାନେ ଲେନ୍ ଡ୍ରାଇଭ୍ ପ୍ରତି ସଚେତନ ହେବ, କୌଣସି ଛକରେ ଟ୍ରାଫିକ୍ ଭିଡ଼ ସମସ୍ୟା ଦେଖାଯିବା ନାହିଁ। ଏନେଇ ଚନ୍ଦ୍ରଶେଖରପୁର ଅଞ୍ଚଳର ବରିଷ୍ଠ ନାଗରିକମାନେ କହିଛନ୍ତି ଯେ ଟ୍ରାଫିକ୍ ଛକରେ ଲେନ୍ ଡ୍ରାଇଭ୍ ବ୍ୟବସ୍ଥା ଏକ ପ୍ରକାର ପ୍ରହସନ ପାଲଟିଛି। ଏଥିପାଇଁ ଟ୍ରାଫିକ୍ ପରିଚାଳନା କ୍ଷେତ୍ରରେ ଥିବା ଦାୟିତ୍ବହୀନତା ବହୁ ପରିମାଣରେ ଦାୟୀ। ଲଗାତର ଯାଞ୍ଚ କରାଗଲେ, ଲୋକେ ଅଭ୍ୟସ୍ତ ହୋଇଯାଆନ୍ତେ। ମାତ୍ର ଲୋକଦେଖାଣିଆ ନୀତିରେ ଯାଞ୍ଚ କରାଯାଉଥିବାରୁ ଲୋକେ ମାନୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fshfshsffhs.jpg)