ଭୁବନେଶ୍ବର: ଓଡିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (ଓମସା) ପକ୍ଷରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ରାଜ୍ୟ ସରକାରଙ୍କ ପାଖରେ ଓମସା ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ଯଥାଶୀଘ୍ର ପୂରଣ ନହେଲେ ଫେବ୍ରୁଆରି ୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କୁହାଯାଇଛି। ତେବେ ଜାନୁଆରି ୧୬ରୁ ଓମସା ପକ୍ଷରୁ ଆନ୍ଦୋଳନ କରାଯିବା ନେଇ ଘୋଷଣା କରାଯାଇଥିଲେ ହେଁ ହକି ବିଶ୍ବକପ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।
ପୂର୍ବରୁ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିବା ବେଳେ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଓମସା ଅଭିଯୋଗ କରିଛି। ଓମସା ପକ୍ଷରୁ ରଖାଯାଇଥିବା ଦାବିଗୁଡ଼ିକ ହେଉଛି
• ଡ଼ାକ୍ତରମାନଙ୍କୁ କେନ୍ଦ୍ରୀୟ ହାରରେ (ଡିଏସିପି) ଦରମା ପ୍ରଦାନ।
• ୨୦୧୯ ମସିହାରେ ଆମ ରାଜ୍ୟ ସରକାର ଡିଏସିପି ନାମରେ ୭, ୧୪,୨୧ ବର୍ଷରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଛନ୍ତି । ସେଥିରେ ଯୁବବର୍ଗ ଓ ଅଭିଜ୍ଞ ଡାକ୍ତରମାନେ ଆଦୌ ଆର୍ଥିକ ଲାଭବାନ ହୋଇପାରୁନଥିବାରୁ ସରକାରୀ ଚାକିରି କରିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି।
• ଓଏମ୍ଏଚଏସ୍ କ୍ୟାଡ଼ର ଡ଼ାକ୍ତରଙ୍କ ପୁନଃର୍ବିନ୍ୟାସ ଦାବି।
• ଆଡ଼ହକ ଡ଼ାକ୍ତରଙ୍କ ସ୍ଥାୟୀ ନିଯୁକ୍ତି।
• ବାଧ୍ୟତାମୂଳକ କେବିକେ ଅଂଚଳରେ କାର୍ଯ୍ୟର ନିୟମାବଳୀକୁ ଉଚ୍ଛେଦ।
• ଡ଼ାକ୍ତରଙ୍କ ଅବସର ବୟସ ବୃଦ୍ଧି କରାନଯାଉ।
• ସରକାରୀ ଛୁଟିଦିନ ଉପଲବ୍ଧ ହୋଇପାରୁନାହିଁ।
ତେବେ ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଓମସା ସଭାପତି ନାରାୟଣ ରାଉତ କହିଛନ୍ତି, ‘ ଏ ସମସ୍ତ ଦାବି ନେଇ ୧୬ ତାରିଖ ଠାରୁ ଓମସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପରି ନିଆଯାଇଥିଲା। ଯେହେତୁ ଜାନୁଆରି ୧୩ ତାରିଖଠାରୁ ବିଶ୍ଵ ହକିକପ୍ ଓଡ଼ିଶାରେ ଆୟୋଜନ ହେଉଛି ଏବଂ ଏହା ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଫେବ୍ରୁଆରି ୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ବୋଲି ନିଷ୍ପରି ନିଆଯାଇଛି।’