ଭୁବନେଶ୍ୱର : ମନମୁଖୀଭାବେ ବିଦ୍ୟୁତ୍ ବିଲ୍ ଲଦି ଦେଇଥିବା ସେସୁ ବିରୋଧରେ ଲଢ଼େଇ କରିଥିବା ଜଣେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନ୍ୟାୟ ଦେଇଛନ୍ତି ଆମ୍ବୁଡ୍ସମ୍ୟାନ୍। ଅଧିକ ୧୫ ହଜାର ଟଙ୍କା ଗଣି ନେଇଥିବା ସେସୁ ଉକ୍ତ ଅର୍ଥକୁ ପୁଣି ଫେରାଇବ ବୋଲି ଆମ୍ବୁଡ୍ସମ୍ୟାନ୍ ନିର୍ଦ୍ଦେଶ ଦେବା ପରେ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିଛି। ଜଟଣୀ ପୌରାଞ୍ଚଳ ଶ୍ରୀରାମ ନଗର ବାସିନ୍ଦା ଶାଶ୍ବତୀ ମହାନ୍ତିଙ୍କୁ ଓଇଆର୍ସିର ଆମ୍ବୁଡ୍ସ୍ମ୍ୟାନ୍ଙ୍କ ଏହି ନ୍ୟାୟ ପ୍ରଦାନ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ମୁତାବକ, ୨୦୧୯ ଏପ୍ରିଲ ମାସରୁ ଶ୍ରୀମତୀ ମହାନ୍ତିଙ୍କ ମିଟର ରିଡିଂ ନିଆଗଲା ନାହିଁ। ମେ’ ମାସରେ ବାତ୍ୟା ଫନି ଯୋଗୁଁ ମାସ ସାରା ବିଜୁଳି ସଂଯୋଗ ନଥିଲା ଓ ଜୁନ୍ ମାସରେ ମରାମତି କାମ ପାଇଁ ବହୁ ସମୟରେ ବିଦ୍ୟୁତ୍ ନଥିଲା। ଜୁନ୍ ମାସରେ ତାଙ୍କର ଏପ୍ରିଲ୍ ଓ ମେ ମାସର ବିଲ୍ ଆସିଲା। ଦୁଇ ମାସରେ ୩୨୦୭ ୟୁନିଟ୍ ପାଇଁ ୧୮ ହଜାର ୧୬୭ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ସେ ଏହାର ପ୍ରତିବାଦ କରିବାରୁ ତାଙ୍କ ମିଟର ଖରାପ ଦର୍ଶାଇ ସେସୁ ତାଙ୍କୁ ନୂଆ ମିଟର ଲଗାଇବାକୁ ପରାମର୍ଶ ଦେଲା। ତେଣୁ ସେ ସେହି ବର୍ଷ ଜୁଲାଇ ୨୩ ତାରିଖରେ ନୂଆ ମିଟର କିଣି ସେସୁ କାର୍ଯ୍ୟାଳୟରେ ଜମା ଦେଲେ। ୪ ମାସ ପରେ ନଭେମ୍ବର ୬ ତାରିଖରେ ସେସୁ ତାଙ୍କ ଘରେ ଉକ୍ତ ନୂଆ ମିଟର ଲଗାଇଲା। ଇତିମଧ୍ୟରେ ସେସୁ ବଳକା ଦେୟ ଆଦାୟ କରିବା ପାଇଁ ତାଙ୍କର ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବ ବୋଲି ଧମକ ଦେଲା। ଏହାର ପ୍ରତିବାଦ କରି ଶ୍ରୀମତୀ ମହାନ୍ତି ନ୍ୟାୟ ଆଶାରେ ଜିଆରଏଫର ଦ୍ବାରସ୍ଥ ହୋଇଥିଲେ। ଜିଆର୍ଏଫ୍ ମିଟର ଟାମ୍ପରିଂ କଥା ଉଠାଇ ତାଙ୍କୁ ବିଲ୍ ପଇଠ କରିବାକୁ ବାଧ୍ୟ କଲେ। ତେଣୁ ବାଧ୍ୟ ହୋଇ ଶ୍ରୀମତୀ ମହାନ୍ତି ୧୮ ହଜାର ୧୬୭ ଟଙ୍କା ଜମା କଲେ। କିନ୍ତୁ ଆଶା ନ ଛାଡ଼ି ସେ ଶେଷରେ ଆମ୍ବୁଡ୍ସ୍ମ୍ୟାନ୍ଙ୍କ ଦ୍ବାରସ୍ଥ ହୋଇଥିଲେ। ଶେଷରେ ଆମ୍ବୁଡ୍ସ୍ମ୍ୟାନ୍ ଏହି ମାମଲାର ବିଚାର କରି ତାଙ୍କ ଉପରେ ମାତ୍ର ୩ ହଜାର ୨୨୮ଟଙ୍କାର ବିଲ୍ ଚାର୍ଜ କରିବା ସହ ଅବଶିଷ୍ଟ ୧୪ ହଜାର ୯୩୯ ଟଙ୍କା ସେସୁ ତାଙ୍କୁ ଫେରାଇବ ବୋଲି ଆଦେଶ ଦେଇଛନ୍ତି।