ଭୁବନେଶ୍ୱର: ଓଡ଼ିଶା ଖଣି ନିଗମର ୬୩ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଗମର ଅଧ୍ୟକ୍ଷ ସଂଜୀବ ଚୋପ୍ରା ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, ଉଭୟ ଉତ୍ପାଦନ ଓ ବିକ୍ରିରେ ନିଗମ ବେଶ୍‌ ଅଭିବୃଦ୍ଧି କରିଛି। ରାଜ୍ୟରେ ଥିବା ଅନ୍ୟ ସରକାରୀ ଉଦ୍ୟୋଗରେ ଯେଉଁଭଳି ଭାବେ ଦୁର୍ନୀତିର ଛାପ ଦେଖିବାକୁ ମିଳିଥାଏ, ମାତ୍ର ଓଡ଼ିଶା ଖଣି ନିଗମରେ ଏହାର ଚିହ୍ନବର୍ଣ୍ଣ ନାହିଁ। କୋଟି କୋଟି ଟଙ୍କାର କାରବାର ସତ୍ୱେ ସମସ୍ତ ପ୍ରକାର ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ନିଗମରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଅନ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ତୁଳନାରେ ଯଥେଷ୍ଟ ଅଧିକ। ଏହାସହ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ଆପଣାଇବାରେ ଓଏମ୍‌ସି ମଧ୍ୟ ଆଗୁଆ ବୋଲି ଶ୍ରୀ ଚୋପ୍ରା କହିଛନ୍ତି। ଓଏମ୍‌ସର ପରିଚାଳନା ନିର୍ଦେଶକ ଆର.ଭିନିଲ କ୍ରିଷ୍ଣା କହିଲେ, ଉତ୍ପାଦନ ଓ ବିକ୍ରିରେ ଓଏମ୍‌ସି ବେଶ୍‌ ଅଭିବୃଦ୍ଧି କରିବାରେ ସକ୍ଷମ ହୋଇଛି। ୨୦୧୬/୧୭ ଆର୍ଥିକ ବର୍ଷରେ ମିଲିଅନ୍‌ ଟନ୍‌ ବ୍ୟବସାୟ ହୋଇଥିବା ବେଳେ ୨୦୧୭/୧୮ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୧୦.୪ପ୍ରତିଶତରେ ପହଞ୍ଚିଛି। ଏହା ମଧ୍ୟ ଆଗକୁ ବୃଦ୍ଧି ପାଇବ। ଗତବର୍ଷ ଏହା ୨୩୨୬.୨୦ କୋଟି ଟଙ୍କା ରହିଥିବା ବେଳେ ଏହା ବୃଦ୍ଧି ପାଇ ୨୮୫୦କୋଟି ଟଙ୍କାରେ ପହଞ୍ଚିଛି। ୨୦୧୭/୧୮ ଆର୍ଥିକ ବର୍ଷରେ ୮ମିଲିଅନ୍‌ ଉତ୍ପାଦନ ହୋଇଛି। ଓଏମ୍‌ସି ପକ୍ଷରୁ କୋଡ଼ିଙ୍ଗାମାଲିରେ ନୂଆ ବକ୍ସାଇଟ୍‌ ଖଣି ଉତ୍ପାଦନ ଆରମ୍ଭ ହୋଇଛି। ବକ୍ସାଇଟ ଉତ୍ପାଦନରେ ଯେଉଁ ଟାର୍ଗେଟ୍‌ ରହିଛି ତାହା ଚଳିତ ଆର୍ଥିକ ବର୍ଷରେ ହାସଲ କରିବାର ଲକ୍ଷ୍ୟ ରଖାଯାଇଛି। ଓଏମ୍‌ସିକୁ ମଧ୍ୟ ଏକ କୋଇଲା ଖଣି ଆବଣ୍ଟିତ ହୋଇଛି। ଆଗାମୀ କିଛି ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ଏହାସହ ନିଗମ କର୍ମଚାରୀଙ୍କ ୭ମ ବେତନ କମିସନ ଲାଗୁ କରିବା ନେଇ ଅର୍ଥ ବିଭାଗରୁ ଅନୁମତି ମିଳିସାରିଛି। ପ୍ରଥମ ସରକାରୀ ଉଦ୍ୟୋଗ ଭାବେ ଓଏମ୍‌ସିରେ ଖୁବଶୀଘ୍ର ଏହା ଲାଗୁ ହେବ। ଓଏମ୍‌ସି ପକ୍ଷରୁ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ସହାୟତା କରି ଆସୁଛି। ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି ଓ ହକି ବିଶ୍ୱ କପ୍‌ ପାଇଁ ଯଥେଷ୍ଟ ସହାୟତା କରିଛି। ଆଗାମୀ ଦିନରେ ସାମାଜିକ ଗଣମାଧ୍ୟମରେ ଜରିଆରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି ବୋଲି ଶ୍ରୀ କ୍ରିଷ୍ଣା କହିଥିଲେ।

Advertisment

ଏହି ଅବସରରେ କେନ୍ଦ୍ରୀୟ ତୈଳ ଓ ଖଣି ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦେଶକ ପ୍ରଫେସର ଧନୁଷ୍‌ଧାରୀ ମିଶ୍ରଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ସ୍ମରଣିକା ‘ସଂପର୍କ’ ଓ ଓଏମ୍‌ସିର ତ୍ରୈମାସିକ ପତ୍ରିକା ସମାଚାର ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ଓଏମ୍‌ସି ସାଂସ୍କୃତିକ ପରିଷଦର ସଭାପତି ନିରୁପମା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ପାଣ୍ଡବ ଚରଣ ମାହୁଁନ୍ତ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଉପ-ସଭାପତି ଅଭିରାମ ସାହୁ ଧନ୍ୟବାଦ ଦେଇଥିଲେ। ପରେ ଓଏମ୍‌ସି କର୍ମଚାରୀଙ୍କ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।