ଚନ୍ଦ୍ରଶେଖରପୁର : ବିଷାକ୍ତ କଳାଧୂଆଁ ଛାଡ଼ି ରାଜଧାନୀ ଆକାଶକୁ ପ୍ରଦୂଷିତ କରୁଛି ଓମ୍ଫେଡ୍। କ୍ଷୀରକୁ ପାଉଡର୍ କରିବା ନିମନ୍ତେ କେବଳ ମେସିନ୍ ଆରମ୍ଭ ହେବା ସମୟରେ ହିଁ ଏପରି କଳାଧୂଆଁ ବାହାରିଥାଏ। ତେଣୁ ଓମ୍ଫେଡ୍କୁ ଦିନକୁ ଏକ ନିର୍ଦ୍ଦିଷ୍ଟ ସମୟରେ କିଛି ସମୟ ପାଇଁ ମାତ୍ର ଏପରି କରିବାକୁ ଅନୁମତି ମିଳିଛି। ଯେହେତୁ ଓମ୍ଫେଡ୍ ଅଦ୍ୟାବଧି ପ୍ରକ୍ରିୟାକରଣ ସେକ୍ସ୍ନରେ ଇନ୍ଧନ ଭାବରେ ଫର୍ନେସ୍ ଅଏଲ୍ ବ୍ୟବହାର କରୁଛି, ତେଣୁ ଏହି ଇନ୍ଧନ ବ୍ୟବହାର ଫଳରେ ସ୍ଟାକ୍ରୁ ବାହାରୁଥିବା ଘନ କଳାଧୂଆଁ ବାୟୁ ପ୍ରଦୂଷଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ। ଶରୀର ପକ୍ଷରେ ମଧ୍ୟ ଏହି ବିଷାକ୍ତ ଗ୍ୟାସ୍ ଅତ୍ୟନ୍ତ କ୍ଷତିକାରକ। ପରିବେଶ ସୁରକ୍ଷା ଆଇନକୁ ଉଲ୍ଲଙ୍ଘନ କରି ଦିନକୁ ଅନେକ ଥର ଏପରି କରୁଥିବାରୁ ରାଜଧାନୀର ବାୟୁମଣ୍ଡଳକୁ ଫର୍ନେସ୍ ଅଏଲ୍ ପୋଡ଼ା ବିଷାକ୍ତ କଳା ଧୂଆଁ ଆଚ୍ଛନ୍ନ କରି ରଖୁଛି। ମୁଖ୍ୟ ରାସ୍ତା କଡ଼ରେ ଥିବା ଓମ୍ଫେଡ୍ର ଏହି ପ୍ଲାଣ୍ଟ୍ର ଏପରି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସ୍ଥାନୀୟ ବାସିନ୍ଦା ଅନେକ ଅଭିଯୋଗ ମଧ୍ୟ କରିଛନ୍ତି। ଏହି ବିଷାକ୍ତ ଗ୍ୟାସ୍ ସିଧାସଳଖ ବାୟୁରେ ମିଶୁଥିବାରୁ ପରିବେଶ୍ବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ଘଟଣାକୁ ଗୁରୁତର ସହିତ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି) ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଓମ୍ଫେଡ୍ର ଏମ୍ଡିଙ୍କୁ ଏକ ନୋଟିସ୍ ଜାରି କରାଯାଇଛି। ଏସ୍ପିସିବିର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ ଏହି ନୋଟିସ୍ ଜାରି କରିଛନ୍ତି। ସଂସ୍ଥା ଆକାଶକୁ ଛାଡ଼ୁଥିବା ଘନ କଳା ଧୂଆଁ ସଂପର୍କରେ ଜନସାଧାରଣଙ୍କଠାରୁ ଅନେକ ଅଭିଯୋଗ ପାଇବା ପରେ ଫର୍ନେସ୍ ଅଏଲ୍ ବଦଳରେ ଏଲ୍ପିଜି ବ୍ୟବହାର କରିବାକୁ ନୋଟିସ୍ରେ ଉଲ୍ଲେଖ କରିଛନ୍ତି। ଫଳରେ ପରିବେଶ ପ୍ରଦୂଷଣ କମ୍ ହୋଇପାରିବ। ଫର୍ନେସ୍ ଅଏଲ୍ ବଦଳରେ ଏଲ୍ପିଜି ବ୍ୟବହାର ବ୍ୟବସ୍ଥା ଯଥାଶୀଘ୍ର କରି ଏସ୍ପିସିବି ଆଞ୍ଚଳିକ କାର୍ଯ୍ୟାଳୟକୁ ଜଣାଇବାକୁ ନୋଟିସ୍ରେ କୁହାଯାଇଛି।
ଏମିତିରେ ରାଜଧାନୀରେ ଗାଡ଼ିମୋଟର ସଂଖ୍ୟାରେ ଦ୍ରୁତ ବୃଦ୍ଧି ଓ ବ୍ୟାପକ ନିର୍ମାଣ କାର୍ଯ୍ୟ ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ିଚାଲିଛି। ଏହା ଉପରେ ଓମ୍ଫେଡ୍ର ଏମିତି କାମ ରାଜଧାନୀ ଆକାଶକୁ ପ୍ରଦୂଷିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପରିବେଶବିତ୍ମାନେ ମତ ଦେଇଛନ୍ତି। ରାଜ୍ୟରେ ଥିବା ଅନ୍ୟାନ୍ୟ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନିଗୁଡ଼ିକ ମଧ୍ୟରୁ ଅଧିକାଂଶ ଫର୍ନେସ୍ ଅଏଲ୍ କିମ୍ବା ଡିଜେଲ ବ୍ୟବହାର କରୁଥିବା ଜଣାପଡ଼ିଛି। ମାତ୍ର ଓମ୍ଫେଡ୍ ପକ୍ଷରୁ ଏଲ୍ପିଜି ବ୍ୟବହାର ପାଇଁ ମାର୍ଚ ମାସରେ ହୋଇଥିବା ଏକ ବୋର୍ଡ ମିଟିଂରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ମାତ୍ର ସେହି ନିଷ୍ପତ୍ତି କେବଳ ଆଲୋଚନାରେ ହିଁ ସୀମିତ ରହିଯାଇଛି। କାର୍ଯ୍ୟକାରୀ ହେବାର କୌଣସି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ। ୨୦୧୭ ଏପ୍ରିଲ୍ ମାସରେ ଏହି ସଂସ୍ଥାର ନୂତନ ଏମ୍ଡି ଭାବରେ ବିଶାଲ୍ ଗଗନ ଦାୟିତ୍ୱ ନେଇଥିଲେ। ମାତ୍ର ବର୍ଷେ ଅତିକ୍ରମ କରିଥିଲେ ମଧ୍ୟ ଓମ୍ଫେଡ୍ର ପରିଚାଳନା ଓ ଲାଭରେ ବିଶେଷ କିଛି ଅଗ୍ରଗତି କରିଥିବା ଦୃଷ୍ଟିକୁ ଆସିନି। ତେବେ ଏସ୍ପିସିବି ଆଞ୍ଚଳିକ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନୋଟିସ୍ ଉପର ଓମ୍ଫେଡ୍ କେଉଁ ପ୍ରକାର କାର୍ଯ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା।