ଭୁବନେଶ୍ବର: ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରିଛନ୍ତି। ଦୁଗ୍ଧ ଉତ୍ପାଦନକୁ ଆଗାମୀ ପାଞ୍ଚ ବର୍ଷରେ ଦ୍ୱିଗୁଣିତ କରିବା ପାଇଁ ମିସନ ମୋଡ୍‌ରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ଗୋପାଳନ, ମଇଁଷି ପାଳନ, ବୀମାକରଣ, ମାଈ ବାଛୁରୀ ପାଳନ, ଘାସ ଚାଷ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେପଟେ ଓମଫେଡ୍ ସର୍ବକାଳୀନ ରେକର୍ଡ କାରବାର କରିଛି। ଓମ୍‌ଫେଡ୍‌ ୨୦୨୩-୨୪ ଆର୍ଥିକ ବର୍ଷରେ ୮୫୫ କୋଟି ଟଙ୍କାର କାରବାର କରିଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ସମସ୍ତ ରେକର୍ଡକୁ ଭାଙ୍ଗି ୧୦୨୮ କୋଟି ଟଙ୍କାର କାରବାର କରିଛି। ଚଳିତ ବର୍ଷ କାରବାର ଆହୁରି ବୃଦ୍ଧି ଲକ୍ଷ୍ୟ ରଖାଯାଇଛି।

Advertisment

ଦୈନିକ ଦୁଗ୍ଧ ଉତ୍ପାଦନ ୬ ଲକ୍ଷ ଲିଟର ଟପିଲା, ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟିରୁ ଅଧିକ ସହାୟତା

ଗୋପାଳନ ତଥା ଦୁଗ୍ଧ ଚାଷକୁ ଏକ ଶିଳ୍ପରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଘାସ ଚାଷଠାରୁ ଆରମ୍ଭ କରି ବାୟୋ ଗ୍ୟାସ୍ ଉତ୍ପାଦନ ଓ ବିକ୍ରି ପର୍ଯ୍ୟନ୍ତ, ସମସ୍ତ କ୍ଷେତ୍ରରେ ଉନ୍ନତି ଆଣି ଚାଷୀଙ୍କୁ ଆର୍ଥିକ ରୂପେ ସଶକ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଦୁଗ୍ଧ ଚାଷୀଙ୍କୁ ଗତ ଜୁନ ୧ ତାରିଖଠାରୁ ଲିଟଲ ପିଛା ୩ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଦର ବଢ଼ିବା ପରେ ଚାଷୀମାନେ ଓମ୍‌ଫେଡ୍‌କୁ ଅଧିକ ଦୁଗ୍ଧ ଦେବା ଆରମ୍ଭ କରିଛନ୍ତି। ପୂର୍ବରୁ ଦୈନିକ ୫ ଲକ୍ଷ ୯୦ ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଥିଲା। ଏବେ ଦୈନିକ ୬ ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ସଂଗ୍ରହ ହେଉଛି ବୋଲି ଓମଫେଡ୍‌ର ସାଧାରଣ ପରିଚାଳକ(ବିତ୍ତ) କହିଛନ୍ତି।

ସେ କହିଛନ୍ତି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ସୋନପୁରଠାରେ ଦୈନିକ ୫୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଅରିଲୋସ୍ଥିତ ଓମଫେଡ୍ ଡାଏରିରେ ପୂର୍ବରୁ ଆଇଓସିଏଲଠାରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ଆସି ବ୍ୟବହାର ହେଉଥିଲା। ଗତ ବର୍ଷଠାରୁ ଗେଲ୍ ଇଣ୍ଡିଆ ଲିମିଟେଡ୍‌ଠାରୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ବ୍ୟବହାର କରାଯାଉଛି। ଏହାଦ୍ୱାରା ମାସକୁ ୩୦ଲକ୍ଷରୁ ଅଧିକ ଟଙ୍କା ସଂଚୟ ହୋଇପାରୁଛି।