ଅନ୍‌ଲାଇନ୍‌ରେ ବିକ୍ରି ହେବ ଓମ୍‌ଫେଡ୍‌ ଉତ୍ପାଦ

ଅର୍ଡରର ୩ ଘଣ୍ଟା ଭିତରେ ଘରେ ପହଞ୍ଚିବ

ଭୁବନେଶ୍ୱର: ଏଣିକି ଓମ୍‌ଫେଡ୍‌ର କ୍ଷୀର ଜାତୀୟ ଖାଦ୍ୟ ସାମଗ୍ରୀ ଅନ୍‌ଲାଇନ୍‌ରେ ମଗାଇ ହେବ। ଓମ୍‌ଫେଡ୍‌ କ୍ଷୀରଠୁ ନେଇ ପନିର୍‌, ଦହି, ଟେବୁଲ୍‌ ବଟର, ଦୁଗ୍ଧ ପାଉଡର, ମିଠା ଓ ଫ୍ଳେବର କ୍ଷୀର ସମେତ ଅନ୍ୟାନ୍ୟ କ୍ଷୀର ଜାତୀୟ ଖାଦ୍ୟ ସାମଗ୍ରୀ ଘରେ ବସି ଅର୍ଡର କରି ହେବ। ଅନ୍‌ଲାଇନ୍‌ରେ ଅର୍ଡର ଦେବାର ୩ ଘଣ୍ଟା ମଧ୍ୟରେ ଆପଣ ଅର୍ଡର କରିଥିବା ଓମ୍‌ଫେଡ୍‌ ଖାଦ୍ୟ ସାମଗ୍ରୀ ହାତ ପାହାନ୍ତାରେ ପାଇପାରିବେ। ଡିଜିଟାଲ୍‌ ଯୁଗରେ କ୍ଷୀର ସାମଗ୍ରୀକୁ ହାତ ପାହାନ୍ତାରେ ପହଞ୍ଚାଇବା ପାଇଁ ଓମ୍‌ଫେଡ୍‌ ଅନ୍‌ଲାଇନ୍‌ ମାର୍କେଟିଂ ସଂସ୍ଥା Grozip.com ସହ ହାତ ମିଳାଇଛି। ଏନେଇ ଓମ୍‌ଫେଡ୍‌ ଓ ଗ୍ରୋଜିପ୍‌ ଡଟ୍‌ କମ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓମ୍‌ଫେଡ୍‌ର ଚେୟାରମ୍ୟାନ୍‌ ସରୋଜିନୀ ମିଶ୍ର ଏବଂ ପରିଚାଳନା ନିର୍ଦେଶକ ବିଶାଲ ଗଗନ୍‌ଙ୍କ ଉପସ୍ଥିତିରେ ଓମ୍‌ଫେଡ୍‌ର ମାନବ ସମ୍ବଳ ମହାପ୍ରବନ୍ଧକ ବସନ୍ତ ମିଶ୍ର ଏବଂ Grozip.com ର ପ୍ରତିଷ୍ଠାତା ତଥା ସିଇଓ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି।
ସଂପ୍ରତି ଇ-ମାର୍କେଟିଂର ଚାହିଦାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍‌ର ବଜାରକୁ ବ୍ୟାପକ କରିବା ଏବଂ ଶ୍ୱେତ ବିପ୍ଳବ ଜରିଆରେ କ୍ଷୀରଚାଷୀଙ୍କୁ ସଶକ୍ତ କରିବା ପାଇଁ ହିଁ ଏହି ଇ ମାର୍କେଟିଂର ପରିକଳ୍ପନା କରାଯାଇଛି ବୋଲି କହିଛନ୍ତି ଓମ୍‌ଫେଡ୍‌ର ଚେୟାରମ୍ୟାନ୍‌ ସରୋଜିନୀ ମିଶ୍ର। ତେବେ ଏହି ସୁବିଧା ଏବେ କେବଳ ଭୁବନେଶ୍ୱର ଏବଂ କଟକରେ ଉପଲବ୍ଧ ହେବ। ପରବର୍ତୀ ପର୍ଯ୍ୟାୟରେ ଏହା ଅନ୍ୟ ସ୍ଥାନକୁ ସଂପ୍ରସାରିତ ହେବ।

ଓମ୍‌ଫେଡ୍‌ର ଏହି ବଳିଷ୍ଠ ପଦକ୍ଷେପ ଆଗାମୀ ଦିନରେ ଦୈନିକ କ୍ଷୀର ବିକ୍ରିରେ ଏକ ରେକର୍ଡ ସୃଷ୍ଟି କରିବ। ଏଇ କିଛି ମାସ ମଧ୍ୟରେ ଓମ୍‌ଫେଡ୍‌ ନିଜର ଅନ୍‌ଲାଇନ୍‌ ଗରାଖଙ୍କ ସଂଖ୍ୟା ୧ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଗଗନ କହିଛନ୍ତି। ନୂତନ ଜ୍ଞାନକୌଶଳର ବିନିଯୋଗ ସହ କ୍ଷୀରଚାଷୀଙ୍କ ଜୀବିକାକୁ ଏହା ସମୃଦ୍ଧ କରିବାରେ ସହାୟକ ହେବ। ସେହିପରି ଗୁଣମାନର ଓମ୍‌ଫେଡ୍‌ ଉତ୍ପାଦ ଗ୍ରାହକଙ୍କ ଦ୍ୱାର ମୁହଁରେ ପହଞ୍ଚାଇବା ସହ ନୂତନ ନିଯୁକ୍ତିରେ ମଧ୍ୟ ଏହା ସହାୟକ ହେବ ବୋଲି ଗ୍ରୋଜିପ୍‌ର ପ୍ରତିଷ୍ଠାତା ଆନନ୍ଦ ମିଶ୍ର କହିଛନ୍ତି। ଏହା ହୋଇପାରିଲେ ଓମ୍‌ଫେଡ୍‌ ଉତ୍ପାଦ ନିଜର ବଜାରକୁ ଆହୁରି ବ୍ୟାପକ କରିବା ସହ ଗ୍ରାହକଙ୍କ ପାଇଁ ଏହା ଅତ୍ୟନ୍ତ ସହଜ ହେବ ବୋଲି ଗ୍ରୋଜିପ୍‌ର ସହ ପ୍ରତିଷ୍ଠାତା ସୂର୍ଯ୍ୟ ସିଂହାରୀ କହିଛନ୍ତି।

ସମ୍ବନ୍ଧିତ ଖବର