ବାପା ମ‌ା’ଙ୍କ ଋଣ ଶୁଝିବେ ଓମ୍‌କାର

ବାପା ଦରଜୀ ଦୋକାନରେ କାମ କରି ବଡ଼ କଷ୍ଟରେ ପରିବାର ଭରଣପୋଷଣ କରୁଛନ୍ତି। ଗତବର୍ଷଠାରୁ କରୋନା କଟକଣା ବାପାଙ୍କ ରୋଜଗାର ଉପରେ ପ୍ରତିବନ୍ଧକ ସାଜିଛି। ତେଣୁ ଭୋକ ଉପାସରେ ଦିନ କଟିବା ଭଳି ଅବସ୍ଥା। ତଥାପି ଅଭାବ କଷଣ ଓମ୍‌କାରଙ୍କ ପାଠପଢ଼ାରେ ବାଧକ ସାଜି ପାରିନି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଳ୍ପ କିଛି ନମ୍ବର ପାଇଁ ଗ୍ରେଡ୍‌ ଏ-୧ରୁ ବଞ୍ଚିତ ହୋଇଥିଲେ ବି ଚନ୍ଦ୍ରଶେଖରପୁର ରେଳବିହାର ଫେଜ୍‌-୧ ସରକାରୀ ହାଇସ୍କୁଲରେ ୮୯ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପର ହୋଇପାରିଛନ୍ତି ଓମ୍‌କାର।

ଗଞ୍ଜାମ ପାଇଲିପଡ଼ାରୁ ଆସି ଚନ୍ଦ୍ରଶେଖରପୁର ଡମଣା ବସ୍ତିରେ ରୁହନ୍ତି ଓମ୍‌କାରଙ୍କ ପରିବାର। ବାପା ବାବୁଲି ଦାଶ ପେସାରେ ଜଣେ ଦରଜୀ କାରିଗର। ଟେଲର ଦୋକାନରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ତେବେ ପୁଅ ଓମ୍‌କାର ଜଣେ ମେଧାବୀ ଛାତ୍ର ହୋଇଥିବାରୁ ସେ ମରିପଡ଼ି କଠିନ ପରିଶ୍ରମ କରି ସବୁ ସହଯୋଗ କରୁଥିଲେ। ଓମ୍‌କାର ମଧ୍ୟ ବାପା ମା’ଙ୍କ କଷ୍ଟକୁ ଅନୁଭବ କରି କଠିନ ପରିଶ୍ରମ କରୁଥିଲେ। ଏବର୍ଷ ମାଟ୍ରିକ ପରୀକ୍ଷାରେ ସେ ଅଧିକ ନମ୍ବର ରଖିବେ ବୋଲି ଆଶାୟୀ ଥିଲେ। ମାତ୍ର କୌଣସି ସମସ୍ୟାରୁ ସେ ୮୯ ପ୍ରତିଶତ ମାର୍କ ରଖିବାରେ ସକ୍ଷମ ହୋଇଛନ୍ତି। ପୁଅର ସଫଳତା ଉପରେ ପ୍ରତିକ୍ରିୟା ରଖି ବାବୁଲାଙ୍କ କହିବା ମହମାରୀ କରୋନା କଟକଣାରୁ ଲକ୍‌ଡାଉନ୍‌ ଲାଗୁ ହେଲା ଓ ଦୋକାନ ବଜାର ବନ୍ଦ ହୋଇଯିବାରୁ ତାଙ୍କ କାମ ବନ୍ଦ ହୋଇଗଲା। ତେଣୁ ଘର ଚଳିବା କଷ୍ଟକର ହୋଇପଡ଼ିଲା। ତେବେ ଅଭାବ ଅନଟନ ଭିତରେ ବି ଓମ୍‌କାର ଭଲ ନମ୍ବର ରଖି ପାରିଛି। ତେଣୁ ସେମାନେ ଭଗବ‌ାନଙ୍କ ନିକଟରେ କୃତଜ୍ଞ ‌ବୋଲି ବାବୁଲା କହିଛନ୍ତି।

ଏନେଇ ଓମ୍‌କାରଙ୍କ କହିବା କଥା ବାପାମା’ଙ୍କ ପରିଶ୍ରମ ଅଙ୍ଗେ ନିଭେଇଛି। ମୋ ସଫଳତା ପାଇଁ ସେମାନଙ୍କ ବ୍ୟାକୁଳତାକୁ ଉପଲବ୍‌ଧି କରିଛି। ସିଧାସଳଖ ପରୀକ୍ଷା ହୋଇଥିଲେ, ଅଧିକ ମାର୍କ ରଖିଥାନ୍ତି। ତେବେ ଆଗାମୀ ଦିନରେ କମ୍ପ୍ୟୁଟର ଇଂଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛି ଓ ଭଲ ପାଠ ପଢ଼ି ବାପାମା’ଙ୍କ ଋଣ ଶୁଝିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର