ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଓ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୋଟ ଗଣତି ପ୍ରକ୍ରିୟା ଓ ଏ ସଂକ୍ରାନ୍ତୀୟ ସମସ୍ତ ନୀତି ନିୟମ, ବିଭିନ୍ନ ପ୍ରାର୍ଥୀଙ୍କ ପ୍ରତିନିଧି ନିଯୁକ୍ତି, ଗଣନା କାର୍ଯ୍ୟରେ ସହଯୋଗ ପାଇଁ ଭୁବନେଶ୍ୱର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ମହେନ୍ଦ୍ର ପଣ୍ଡା, ଅତିରିକ୍ତ ଉପ-ଜିଲ୍ଲାପାଳ ନୀତିଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ନିଷ୍ପତ୍ତି ଅନୁଯାୟୀ ସକାଳ ୮ଟାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯିବ।

Advertisment

ପ୍ରାରମ୍ଭିକ ଭାବେ ପୋଷ୍ଟାଲ ବାଲଟ ଗଣନା ହେବ। ଏଥିସହ ଇଭିଏମ୍‌ ମାଧ୍ୟମରେ ନିଆଯାଇଥିବା ଭୋଟ୍‌ର ମଧ୍ୟ ଗଣନା କରାଯିବ। ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ବିଧାନସଭା କ୍ଷେତ୍ର ନିମନ୍ତେ ୧୨ଟି ଲେଖାଏଁ କାଉଣ୍ଟିଂ ଟେବୁଲ ଓ ଜଟଣୀ ବିଧାନସଭାକ୍ଷେତ୍ର ନିମନ୍ତେ ୧୪ଟି କାଉଣ୍ଟିଂ ଟେବୁଲ ବ୍ୟବସ୍ଥା କରାଯାଇଛି। ସେହିପରି ଭୁବନେଶ୍ବର ଲୋକସଭା କ୍ଷେତ୍ରର ଇଭିଏମ୍‌ ଭୋଟ ଗଣନା ନିମନ୍ତେ ୧୪ଟି ଟେବୁଲ ବ୍ୟବସ୍ଥା ହୋଇଛି। ପ୍ରତି ଟେବୁଲ ନିମନ୍ତେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର୍‌ ଓ ଇଭିଏମ୍‌ ନେବା ଆଣିବାରେ ସହଯୋଗ କରିବାକୁ ଜଣେ ସହାୟକ ନିଯୁକ୍ତ ରହିବେ। ଇତିମଧ୍ୟରେ ଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି। ଏଥିନିମନ୍ତେ ତ୍ରିସ୍ତରୀୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ପୂର୍ବଭଳି ପ୍ରାର୍ଥୀମାନେ ସମସ୍ତ ସହଯୋଗ ଜାରି ରଖିବେ ବୋଲି ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।