ଭୁବନେଶ୍ୱର(ହିତେଶ ନାୟକ): ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଥିବା କମିସନରେଟ୍ ପୁଲିସ୍ ଏବେ ବାଟବଣା ହୋଇଛି। ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥିଲେ ବି ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବରିଷ୍ଠ ନାଗରିକମାନେ ଘରେ ବସି ନିଜ ନାମ କମିସନରେଟ୍ ପୁଲିସ୍ରେ ପଞ୍ଜୀକରଣ କରିବା ପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଆପ୍ ଓ ହେଲ୍ପ ଲାଇନ୍ର ବ୍ୟବସ୍ଥା କରାଯାଇଥିଲା। ଖୋଦ ମୁଖ୍ୟମନ୍ତ୍ରୀ ଗତ ଜାନୁଆରି ୫ ତାରିଖରେ ଏହାକୁ ଉନ୍ମୋଚନ କଲେ। ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ଗୁରୁତର ସହ ନେବା ସହ ସେମାନଙ୍କ ସମସ୍ୟାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ନିର୍ଦେଶ ବି ଦେଲେ। ଆପ୍ ଉନ୍ମୋଚନର ହେବାର ୫ ମାସ ବିତିଯାଇଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଆଉ ପୂର୍ବରୁ ହେଉଥିବା ଅଫ୍ ଲାଇନ୍ ପଞ୍ଜୀକରଣରେ ବି ଅଚଳାବସ୍ଥା ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜୀକରଣ ହୋଇ ନ ପାରିବାର ମୁଖ୍ୟ କାରଣ ହେଲା ଥାନାଗୁଡ଼ିକରେ ଇଣ୍ଟର୍ନେଟ୍ଠାରୁ ଆରମ୍ଭ କରି କମ୍ପ୍ୟୁଟର ସିଷ୍ଟମ, ସ୍କାନର୍ ଓ ପ୍ରିଣ୍ଟର୍ ବହୁ ସମୟରେ ଅଚଳ ହୋଇପଡ଼ୁଛି। ସେଥି ପାଇଁ ନାମ ପଞ୍ଜୀକରଣ କରିବା ସମ୍ଭବ ହୋଇପାରୁ ନାହିଁ। ଥାନାଗୁଡ଼ିକୁ ଠିକ୍ ଭାବେ ଇଣ୍ଟର୍ନେଟ୍ ସଂଯୋଗ ଦିଆଯାଉ ନାହିଁ। ପର୍ଯ୍ୟାପ୍ତ ପରିମାଣର ଡାଟା ନ ଥିବାରୁ ଏହି ଡାଟା ସରିବା ପରେ ୪ଜି ସ୍ପିଡ୍ରୁ ଏହା ୨ଜି ସ୍ପିଡ୍କୁ କନଭର୍ଟ ହେଉଛି। ଫଳରେ ଗୋଟିଏ ଗୋଟିଏ ଡାଟା ଅପଲୋଡ୍ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ସେହିପରି ପୁରୁଣା କମ୍ପ୍ୟୁଟର ସିଷ୍ଟମ, ସ୍କାନର୍ ଓ ପ୍ରିଣ୍ଟର ଆହୁରି ସମସ୍ୟା ସୃଷ୍ଟି କରୁଛି। ଯେଉଁଥି ପାଇଁ ବେଳେବେଳେ ବରିଷ୍ଠ ନାଗରିକମାନେ ବିରକ୍ତ ହୋଇ ଫେରିଯାଉଛନ୍ତି।
ବିଭିନ୍ନ ସମୟରେ ବରିଷ୍ଠ ନାଗରିକମାନେ ପାରିବାରିକ ହିଂସା ଓ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କମିସନରେଟ ପୁଲିସକୁ ଚିନ୍ତାରେ ପକାଇଥିଲା। ତେଣୁ ସେମାନଙ୍କୁ କିଭଳି ସୁରକ୍ଷା ଦିଆଯିବ, ସେଥି ପାଇଁ ପ୍ରଥମେ ୨୦୦୫ ମସିହାରେ କମିସନରେଟ୍ ପୁଲିସ ଅଫ୍ ଲାଇନ୍ ନାମ ପଞ୍ଜୀକରଣ ଯୋଜନା ଆରମ୍ଭ କରିଥିଲା। ଏଥିପାଇଁ ସମସ୍ତ ଥାନାଗୁଡ଼ିକୁ ଦାୟିତ୍ୱ ଦେଇଥିଲା। ନିଜ ନିଜ ଅଞ୍ଚଳରେ ଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନାମ ପଞ୍ଜୀକରଣ କରି ତାଙ୍କ ସହ ନିୟମିତ ସମ୍ପର୍କରେ ରହିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୦୫ ମସିହାରେ ପ୍ରଥମ ପର୍ଯ୍ୟାୟରେ କମିସନରେଟ ପୁଲିସ ପାଖାପାଖି ୨୪୦ ଜଣ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ କାର୍ଡ ପ୍ରଦାନ କରିଥିଲା। କିନ୍ତୁ ବର୍ତମାନ ସୁଦ୍ଧା ମାତ୍ର ୧୨ ହଜାର ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଛି। ତେବେ ବରିଷ୍ଠ ନାଗରିକଙ୍କ ଗଦା ଗଦା ନାମ ପଞ୍ଜୀକରଣ ଫର୍ମ ଏବେ ବି ଥାନାଗୁଡ଼ିକରେ ପଡ଼ି ରହିଛି। ପୁଲିସ୍ କମିସନର୍ ଓ୍ଵାଇ ବି ଖୁରାନିଆ କହିଛନ୍ତି ଯେ ସବୁବେଳେ ବରିଷ୍ଠ ନାଗରିକଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଆଯାଉଛି। ପ୍ରତି ମାସରେ ସମସ୍ତ ଥାନା ଅଞ୍ଚଳର ବରିଷ୍ଠ ନାଗରିକଙ୍କ ନାମ ପଞ୍ଜୀକରଣ ଯାଞ୍ଚ୍ କରାଯାଉଛି। ବର୍ତମାନ ସୁଦ୍ଧା ଅନ୍ଲାଇନ୍ ମାଧ୍ୟମରେ ଏକ ହଜାରରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତିି। ଠିକ୍ ସମୟରେ ସେମାନଙ୍କୁ କାର୍ଡ ପ୍ରଦାନ କରାଯାଉଛି। ଯେଉଁମାନେ ଅନ୍ଲାଇନ୍ ପଞ୍ଜୀକରଣରେ ସମସ୍ୟା ସମ୍ମୁଖୀନ ହେଉଛନ୍ତି ସେମାନେ ଅଫ୍ ଲାଇନ୍ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ। ସେହିପରି ଯେଉଁ ଥାନାରେ ପଞ୍ଜୀକରଣ ପାଇଁ କମ୍ପ୍ୟୁଟର, ପ୍ରିଣ୍ଟର, ସ୍କାନର୍ ସମସ୍ୟା ରହିଛି, ସେଠାରେ ସେସବୁର ସୁବିଧା ଦେବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯିବ।