ଚତୁର୍ଥ ଦିନରେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’: ମନ ମୋହିଲା କର୍ଣ୍ଣାଟକୀ କଣ୍ଠ ସଙ୍ଗୀତ

ଭୁବନେଶ୍ୱର: ‘ସୃଜନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ‘୨୮ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୨୨’ର ଆଜି ଥିଲା ଚତୁର୍ଥ ସନ୍ଧ୍ୟା। କର୍ଣ୍ଣାଟକୀ କଣ୍ଠ ସଙ୍ଗୀତର ପ୍ରଖ୍ୟାତ କଣ୍ଠଶିଳ୍ପୀ ବିଦ୍ୱାନ ସିକ୍କିଲ ଗୁରୁଚରଣଙ୍କ କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣରୁ ଆଜିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗମାଳ ସ୍ବରସ। ପରେ ପରେ ‌ସେ ରାଗ ଗଙ୍ଗାଭୂଷଣ ପରିବେଷଣ କରିଥିଲେ। ରସୋତ୍ତୀର୍ଣ୍ଣ ପରିବେଷଣ ଭାବାବେଗ ସହ ଶୁଦ୍ଧ ଉଚ୍ଚାରଣ ଓ ଗାମ୍ଭୀର୍ଯ୍ୟ ତଥା ଚିତ୍ତାକର୍ଷକ ସ୍ୱରରେ ସେ ଦୀର୍ଘ ସମୟ ଧରି ଦର୍ଶକଙ୍କୁ ଆହ୍ଲାଦିତ କରିଥିଲେ। ତାଙ୍କ ସହ ବେହେଲାରେ ଥିଲେ ଭି.ସଞ୍ଜୀବ ଓ ମୃଦଙ୍ଗରେ ଏନ୍‌.ସି ଭରଦ୍ୱାଜ ସହଯୋଗ କରିଥିଲେ।

ପରେ ପଶ୍ଚିମବଙ୍ଗରୁ ଆସିଥିବା ବିଦୁଷୀ ପରମିତା ମିତ୍ର ଓ ତାଙ୍କ ଅନୁଷ୍ଠାନ ‘ନୃତ୍ୟାଙ୍ଗନ୍‍ କଥକ କେନ୍ଦ୍ର’ର ଶିଳ୍ପୀମାନେ କଥକ ନୃତ୍ୟ ପରିବେଷଣ କରିଥିଲେ। ସେମାନେ ପ୍ରଥମେ ମହାମୃତ୍ୟୁଞ୍ଜୟ ମନ୍ତ୍ରରୁ ଉଦ୍ଧୃତ ‘ଶ୍ରୀମନ୍ଦିରାୟଣ’ ପରିବେଷଣ କରିଥିଲେ। ପରବର୍ତ୍ତୀ ଉପସ୍ଥାପନା ଥିଲା ‘ଧାମର’ ଯାହା ୧୪ଟି ମାତ୍ରା ଚକ୍ରରେ କଥକ ନୃତ୍ୟର ଅଭିନ୍ନ ଦିଗଗୁଡ଼ିକ ପ୍ରଦର୍ଶନ କରୁଥିଲା। ସେମାନଙ୍କର ଅନ୍ତିମ ଉପସ୍ଥାପନା ଥିଲା ‘ବାଦ୍ୟଚିତ୍ରା’। ଏହା ଏକ ମ୍ୟୁଜିକାଲ୍ ଡ୍ରମ୍ ଦ୍ୱାରା ଅଙ୍କିତ ଘୁଙ୍ଗୁର ଚିତ୍ରକୁ ଚିତ୍ରଣ କରିଥିଲା। ‘ବାଦ୍ୟଚିତ୍ରା’ ୪ଟି ବାଦ୍ୟଯନ୍ତ୍ର ଯଥା ପଖୋଜ, ଖୋଳ, ତବଲା ଓ ଢୋଲକୁ ସୁନ୍ଦର ଭାବରେ କଥକ ନୃତ୍ୟ ମାଧ୍ୟମରେ ଉପସ୍ଥାପିତ କରିଥିଲେ ଶିଳ୍ପୀମାନେ।

ଆଜି ସନ୍ଧ୍ୟାର ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‍ ପ୍ରୀତିରାୟ ଚାନ୍ଦ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ରାମହରି ଦାସ, କଳା ସମୀକ୍ଷିକା ତପତି ଚୌଧୁରୀ ଓ ଲେଖକ କେଦାର ମିଶ୍ର ଉପସ୍ଥିତ ଥିଲେ। ‘ସୃଜନ’ ଅନୁଷ୍ଠାନର ଫେସବୁକ୍‌ ପେଜ୍‌ ଓ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧାପ୍ରସାରଣ କରାଯାଉଛି। ଏହି ଉତ୍ସବର ପରିକଳ୍ପନା ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକାରୀ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର