ଦ୍ବିତୀୟ ଦିନରେ ଉଚ୍ଛେଦ ଜାରି, ଭାଙ୍ଗିଲା ୩୬ ଦୋକାନ ଓ ଘର

ଭୁବନେଶ୍ବର: ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ କାମକୁ ତ୍ବରାନ୍ବିତ କରିବା ପାଇଁ ଗତକାଲି ବରମୁଣ୍ଡାରେ ଆରମ୍ଭ ହୋଇଥିବା ଉଚ୍ଛେଦ କାମ ଆଜି ବି ଜାରି ରହିଥିଲା। ବସ୍‌ଷ୍ଟାଣ୍ଡର ପ୍ରବେଶ ଓ ପ୍ରସ୍ଥାନରେ ଥିବା ପ୍ରାୟ ୩୬ଟି ଦୋକାନକୁ ଉଚ୍ଛେଦ କରାଯାଇଛି। ଏହାସହ ଉଚ୍ଛେଦରେ ଏକ ବସ୍ତିର ପ୍ରାୟ ୧୫ରୁ ଅଧିକ ଘର ରହୁଥିବାରୁ ତାକୁ ଆଗାମୀ ଦିନରେ ସର୍ବେକ୍ଷଣ କରାଯାଇ ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧୨ଟା ବେଳେ ବିଡିଏ ପ୍ରଥମେ ବସ୍‌ଷ୍ଟାଣ୍ଡର ପ୍ରବେଶ ପଥରୁ ଉଚ୍ଛେଦ ଆରମ୍ଭ କରିଥିଲା। ପରେ ବସ୍‌ଷ୍ଟାଣ୍ଡ୍‌ର ପଛପାର୍ଶ୍ବରେ ଥିବା ଦୋକାନ, ହୋଟେଲ୍, ଘର ଆଦି ଉଚ୍ଛେଦ କରିଥିଲା। ବହୁ ଲୋକ କୋର୍ଟରେ କେସ୍ ବିଚାର ଚାଲିଛି ଏବଂ ସ୍ଥିତାବସ୍ଥା ରହୁଛି ବୋଲି ଆଣି ଦସ୍ତାବିଜ୍ ଦେଖାଇଥିଲେ। ହେଲେ ବିଡିଏ କର୍ତ୍ତୃପକ୍ଷ କିଛି ନଶୁଣି ସବୁ ଜବରଦଖଲକୁ ଉଚ୍ଛେଦ କରିଥିଲେ। ଭରତପୁର ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ୧ ପ୍ଲାଟୁନ୍ ପୁଲିସ୍ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଉଚ୍ଛେଦରେ ପ୍ରାୟ ୧୮ଟି ଆଜବେଷ୍ଟ ଦୋକାନ, ୧୬ଟି ଆଜବେଷ୍ଟସ୍‌ ଘର, ୨ଟି ଇସ୍ତ୍ରୀ ଦୋକାନ ଉଚ୍ଛେଦ କରାଯାଇଥିଲା। ଆଗାମୀ ଏକ ସପ୍ତାହ ମଧ୍ୟରେ ତାରିଖ ସ୍ଥିର କରାଯାଇ ପୁଣି ଉଚ୍ଛେଦ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର