ଧଉଳି: ଆଜି ଦ୍ବିତୀୟ ଦିବସ ରଜରେ ଧଉଳି ଶାନ୍ତିସ୍ତୂପରେ ପାଖାପାଖି ୫୦ ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଲୋକଙ୍କ ଭିଡ଼ ଏତେ ଜମିଥିଲା ଯେ ଜାତୀୟ ରାଜପଥରୁ ବସ୍ଷ୍ଟାଣ୍ଡ ଏବଂ ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଘଣ୍ଟାଘଣ୍ଟା ଧରି ଗାଡ଼ି ମଟର ଅଟକି ରହିଥିଲା। ଟ୍ରାଫିକ୍ ନିୟନ୍ତ୍ରଣ କରିବା ସ୍ଥାନୀୟ ପୁଲିସ ପାଇଁ କାଠିକର ହୋଇପଡ଼ିଥିଲା। ଦୀର୍ଘ ସମୟର ଧରି ପର୍ଯ୍ୟଟକମାନେ ଭିଡ ଭିତରେ ଫସି ରହିଥିଲେ। ସକାଳେ ପାଗ ଭଲ ଥିବା ସତ୍ତ୍ବେ ସେତେ ପର୍ଯ୍ୟଟକ ନଥିଲେ। କିନ୍ତୁ ଅପରାହ୍ଣରେ କ୍ରମାଗତ ଭାବେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଥିଲା। ସଂଧ୍ୟାରେ ଏକାମ୍ର ଗ୍ରାମୀଣ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଏହି ଉପଲକ୍ଷେ ମିକି ମାଉସ, ମୀନ ବଜାର, ଦୋଳି ବନ୍ଧା ଯିବା ସହ ୪୦ଟି ଷ୍ଟଲ୍ ଖୋଲିଥିଲା। ଏକାମ୍ର ଗ୍ରାମୀଣ ବିକାଶ ପରିଷଦ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ଧଉଳି ପାଦଦେଶ ଲୋକଙ୍କ ଗହଳି ଚହଳି ଲାଗି ରହିଥିଲା।
ସାମନ୍ତରାପୁର ‘ରଜ ମଉଜ’ ଆଜି
ଭୁବନେଶ୍ବର: ୫୯ ୱାର୍ଡ ଅନ୍ତର୍ଗତ ସାମନ୍ତରାପୁର ସରସ୍ବତୀ ମଣ୍ଡପ ନିକଟରେ ଆସନ୍ତାକାଲି (ଶୁକ୍ରବାର) ରଜ ମଉଜ ଅନୁଷ୍ଠିତ ହେବ। ସ୍ଥାନୀୟ କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଜଟଣୀ ବିଧାୟକ ସୁରଶ କୁମାର ରାଉତରାୟ, ଶ୍ରୀମୟୀ କର, ଆକାଶ ଦାସନାୟକ, ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଶ୍ବରଞ୍ଜନ ମହାନ୍ତି, ମଞ୍ଜୁଲତା କହଁର, ମନ୍ଦାକିନୀ କର, କର୍ପୋରେଟର୍ ଅମରେଶ ଜେନା, ଅଜିତ୍ ବେହେରା, ସନ୍ତୋଷ ସିଂହ, ଚନ୍ଦ୍ରଶେଖର ମଲିଆ, ନମିତା ମହାପାତ୍ର, ଶିବନାରାୟଣ ରାୟ, ଶିବପ୍ରସାଦ ବେହେରା, ନୃପେଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ସ୍ବନାମଧନ୍ୟ କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ।
ନୂଆଗାଁରେ ଧମାଲ କଲେ ସବ୍ୟାର୍ଚ୍ଚିତା, ମଣ୍ଟୁ ଛୁରିଆ
ପୁରୁଣା ଭୁବନେଶ୍ବର: ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ରଜ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମହାପାତ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ବିଶିଷ୍ଟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ‘ଲଚକ୍ ମଣି ବେବି ଲୋ….’ ଗାଇ ମଣ୍ଟୁ ଦର୍ଶକଙ୍କୁ ମଞ୍ଚ ତଳେ ନାଚିବାକୁ ବାଧ୍ୟ କରିଥିଳେ। ସେହିଭଳି ସେ ବିଭିନ୍ନ ଆଦିବାସୀ ଗୀତ ଗାଇ ଦର୍ଶକଙ୍କ ମନ କିଣିନେଇଥିଲେ। ସେହିପରି ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ମଧ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରିଥିଲେ। ଆଜି ଦିନବେଳା ୨୫ ବର୍ଷରୁ ଊର୍ଦ୍ଧ ବୟସ୍କଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମଞ୍ଚ ସଭାପତି ବସନ୍ତ କୁମାର ବରାଳ, ସମ୍ପାଦକ ଚିନ୍ମୟାନନ୍ଦ ବଡ଼ଜେନା ଓ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମଉଜ କଲେ ବରିଷ୍ଠ ନାଗରିକ
ଭୁବନେଶ୍ବର: ତୋଷାଳି ୱାର୍କସ କ୍ଲବ ପକ୍ଷରୁ ସତ୍ସଙ୍ଗ ବିହାରସ୍ଥିତ ମୁଖାର୍ଜୀ ପାର୍କରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ପାର୍କକୁ ପ୍ରାତଃ ଭ୍ରମଣରେ ଆସୁଥିବା ବରିଷ୍ଠ ନାଗରିକମାନେ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ କ୍ଲବର ସଭାପତି ସଂଗ୍ରାମ ରାଉତରାୟ, ସମ୍ପାଦକ ଅଶୋକ ଦାସ, ଯୁଗ୍ମ ସମ୍ପାଦକ ଦୀପ୍ତି ମିଶ୍ର, ହୃଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ନିଳିମା ଭଟ୍ଟାଚାର୍ଯ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।