ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍) କର୍ମଚାରୀମାନଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଆଇଟିଆଇ ପ୍ରମାଣପତ୍ର ଥାଇ ମଧ୍ୟ ଅର୍ଧକୁଶଳୀ ଶ୍ରେଣୀରେ ୮ବର୍ଷ ହେଲା କାମ କରୁଥିବା ଏହି କର୍ମଚାରୀ ତଥା ଜୁନିଅର୍ ଟେକ୍ନିସିଆନ୍ମାନେ ବାରମ୍ବାର ନିଜ ନ୍ୟାର୍ଯ୍ୟ ଦାବି ଉପସ୍ଥାପନ କରି ଆସୁଛନ୍ତି। କିନ୍ତୁ ଓପିଟିସିଏଲ୍ କର୍ତ୍ତୃପକ୍ଷ ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି ବୋଲି ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ଅଭିଯୋଗ କରିଛି। କର୍ତ୍ତୃପକ୍ଷଙ୍କ ଏହି ଖାମଖିଆଲି ମନୋଭାବ ଓ ଶ୍ରମିକମାରଣ ନୀତି ବିରୋଧରେ ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।
ଏକ ପ୍ରେସ୍ ବିବୃତିରେ ମହାସଂଘର ସାଧାରଣ ସଂପାଦକ ସତ୍ୟବ୍ରତ ପରିଡ଼ା କହିଛନ୍ତି, ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡର ନିୟମ ଅନୁଯାୟୀ, ରାଜ୍ୟର ଅନ୍ୟ ସମସ୍ତ ବିଦ୍ୟୁତ୍ ଉତ୍ପାଦନ ଏବଂ ପରିବେଷଣ ସଂସ୍ଥାର କର୍ମଚାରୀମାନେ ପଦୋନ୍ନତି ପାଉଛନ୍ତି। କିନ୍ତୁ ଓପିଟିସିଏଲ୍ କର୍ତ୍ତୃପକ୍ଷ ଏହାର ଆଇଟିଆଇ କର୍ମଚାରୀଙ୍କୁ ଏଥିରୁ ବଞ୍ଚିତ କରିଛି। ନିକଟ ଅତୀତରେ ତିନି ମାସ ମଧ୍ୟରେ ପଦୋନ୍ନତି ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଦୀର୍ଘ ସାତ ମାସ ବିତି ଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସର୍ଭିସ୍ ରେଗୁଲେସନ୍ କରିବା ସମୟରେ କର୍ତ୍ତୃପକ୍ଷ ଶିଳ୍ପ ବିବାଦ ଆଇନ ଧାରା ୯(ଏ) ଅନୁସାରେ ସଂଘମାନଙ୍କ ସହ ଆଲୋଚନା କରିବାର ନିୟମ ଥିବା ବେଳେ ଏହାକୁ ଅଣଦେଖା କରାଯାଇ ବୋର୍ଡ ମିଟିଂ ମାଧ୍ୟମରେ କର୍ମଚାରୀମାନଙ୍କ ସର୍ଭିସ୍ ରେଗୁଲେସନ୍ କରିବା ପାଇଁ ଚେଷ୍ଟା କରାଯାଉଛି। ଅନ୍ୟପକ୍ଷରେ ବରିଷ୍ଠତା ତାଲିକାରେ ବିଭ୍ରାଟ ସଂଶୋଧନ ପରିବର୍ତ୍ତେ କର୍ମଚାରୀମାନଙ୍କୁ ନାଲି ଆଖି ଦେଖାଉଛନ୍ତି ଓପିଟିସିଏଲ୍ କର୍ତ୍ତୃପକ୍ଷ। ତେଣୁ ଓପିଟିସିଏଲ୍ କର୍ତ୍ତୃପକ୍ଷଙ୍କ ଏତାଦୃଶ ଅଣପେସାଦାର ଆଚରଣ ଜାରି ରହିଲେ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂପାଦକ ଶ୍ରୀ ପରିଡ଼ାଙ୍କ ସମେତ କାର୍ଯ୍ୟକାରୀ ସଭାପତି ଜ୍ଞାନରଂଜନ ଭୋଇ, ସଂଗଠନ ସଂପାଦକ ବିସ୍ମୟ ହୋତା ପ୍ରମୁଖ ଚେତାଇ ଦେଇଛନ୍ତି।