ପୁଣି ପିଲାଙ୍କ ଖୁସିରେ ବାଧକ ସାଜିଛି କରୋନା: ଏଥର ବି ମିଳିବନି ସମର୍‌ କ୍ୟାମ୍ପ୍‌ ମଜା, ଭର୍ଚୁଆଲ୍‌ ମାଧ୍ୟମରେ ହେବ ଦକ୍ଷତା ବିକାଶ

ଭୁବନେଶ୍ବର: ଖରାଦିନ ଆସିଲେ ସହରିଆ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଭରିଦିଏ ସମର କ୍ୟାମ୍ପ୍‌। ବର୍ଷ ସାରା ପାଠ ବୋଝରେ ଥକି ପଡ଼ିଥିବା କା‌ନ୍ଧ ଖରା ଆସିଲେ ସଳଖି ଉଠେ। ପାଠରୁ ମୁକ୍ତି ମିଳିବ, ପୁଣି ପାଠ ବାହାରେ କେତେ କୌତୁକିଆ କଥା ଶିଖିବାକୁ ମିଳିବ, ଦକ୍ଷତା ବିକାଶର ଅବକାଶ ମିଳିବ; ସେ ନେଇ ପିଲାମାନଙ୍କ ମନରେ ପୁଲକ ଭରିଯାଏ। କିନ୍ତୁ ଏ କାରୋନା ମହାମାରୀ ଯେମିତି ଚଳିତ ବର୍ଷ ସବୁ କିଛିରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି। ପିଲା‌ଙ୍କ ଖୁସିରେ ପୁଣି ବାଧକ ସାଜିଛି। ରାଜଧାନୀରେ କ୍ରମଶଃ କରୋନା କାୟା ମେଲାଉଥିବାରୁ ନା ଛୁଟିରେ ମାମୁଘର ବୁଲି ହେବ ନା ନୂଆ ନୂଆ ସାଙ୍ଗମାନଙ୍କ ସହ ସମର କ୍ୟାମ୍ପ୍‌ର ମଜା ଉଠେଇ ହେବ।

ଖରା ଦିନର ଗରମ ଓ ବିରକ୍ତିକର ଦିନଗୁଡ଼ିକୁ କାଟିବାରେ ବି ସମର୍‌ କ୍ୟାମ୍ପ୍‌ର ଏକ ବଡ଼ ଭୂମିକା ରହୁଥିଲା। ବିଶେଷତଃ ଏପ୍ରିଲରୁ ବିଭିନ୍ନ ସ୍କୁଲରେ ସମର୍‌ କ୍ୟାମ୍ପ୍‌ ଆରମ୍ଭ ହୋଇଯାଏ। ସାଙ୍ଗମାନଙ୍କ ସହ ନାଚ, ଗୀତ, ପର୍ଯ୍ୟଟନ ସ୍ଥାନ ଭ୍ରମଣଠାରୁ ଆରମ୍ଭ କରି ସୁଇମିଂର ମଜା ନେଇ ହେଉଥିଲା ଏହି କ୍ୟାମ୍ପରେ। ଏନେଇ ଅଭିଭାବକସ୍ତରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଥିଲା। ଗତ କିଛି ବର୍ଷ ହେଲା ରାଜଧାନୀରେ ‘ସମର କ୍ୟାମ୍ପ୍‌’ର କ୍ରେଜ୍‌ ବଢ଼ିଥିଲା। ଏହା ପିଲାମାନଙ୍କ ମଧ୍ୟରେ କହିବା କୌଶଳ ବଢ଼ାଇବା ସହ ପିଲାମାନଙ୍କୁ ଅଧିକ ସ୍ମାର୍ଟ ହେବାରେ ସାହାଯ୍ୟ କରୁଥିଲା। କିନ୍ତୁ ଗତବର୍ଷ ଭଳି ଚଳିତ ବର୍ଷ ଏ ସବୁ ହୋଇପାରିବ ନାହିଁ। ଛୋଟପିଲାଙ୍କ ସ୍କୁଲଗୁଡ଼ିକ ବନ୍ଦ ରହିବା ସହ ଚଳିତ ବର୍ଷ ସମର୍‌ କ୍ୟାମ୍ପ୍‌ରେ ବି ଅଘୋଷିତ ତାଲାବନ୍ଦ ହୋଇଛି। ତେବେ କିଛି କିଛି ସ୍କୁଲରେ ବିଜ୍ଞାନ ଓ କାରିଗରୀ କୌଶଳର ବ୍ୟବହାର କରି ପିଲାମାନଙ୍କ ଖରା ଛୁଟିକୁ ଗଠନମୂଳକ କରିବା ପାଇଁ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହୋଇଛି। ଏଥିରେ ପିଲାମାନଙ୍କ ପାଠ୍ୟକ୍ରମ ବ‌ାଦ୍‌ ଅନ୍‌ଲାଇନ୍‌ ଷ୍ଟୋରି ଟେଲିଂ, ଆର୍ଟ, ସିଙ୍ଗିଙ୍ଗ ଓ ଚିତ୍ରାଙ୍କନ ଶିଖାଯାଉଛି।

ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ
ଅଙ୍କୁର ପ୍ଲେ ସ୍କୁଲ ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା କହିଛନ୍ତି, ବର୍ଷେ କାଳ ଘରୁ ନ ବାହାରି, ସାଙ୍ଗସାଥୀଙ୍କ ବିନା ତଥା କ୍ଲାସ୍‌ ରୁମ୍‌ ପାଠ ପଢ଼ାରୁ ଦୂରେଇ ପିଲାମାନେ ଧୈର୍ଯ୍ୟହରା ହୋଇପଡ଼ିଲେଣି। ଭର୍ଚୁଆଲ ମିଡିଆ ସେମାନଙ୍କୁ ବାନ୍ଧି ରଖିବାରେ ଆଉ ଯେମିତି ସକ୍ଷମ ନୁହେଁ। ଏକ ପ୍ରକାର ମାନସିକ ଚାପରେ କବଳିତ ହୋଇ ଗଲେଣି ଶିଶୁମାନେ। ସେମାନଙ୍କୁ ଏହି ମାନସିକ ଚାପରୁ ଦୂରେଇବା ତଥା ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଏଥର ଆମେ ‘ଭର୍ଚୁଆଲ୍‌ ସମର କ୍ୟାମ୍ପ’ରେ ଯୋଗକୁ ଅଧିକ ଗୁରୁତ୍ବ ଦେଇଛୁ। ଏଥିସହ ନାଚ, ଗୀତ, ଗପ କୁହା, କାଦୁଅ କଳା, ଚିତ୍ରାଙ୍କନ ଓ ବିଭିନ୍ନ ଦକ୍ଷତା ବିକାଶର କାର୍ଯ୍ୟକ୍ରମ ବି ରହିଛି। ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ଅଙ୍କୁର ପ୍ଲୋ ସ୍କୁଲ’ର ଭର୍ଚୁଆଲ ସମରକ୍ୟାମ୍ପ। ତେବେ ଅଧିକ ଦିନ ଆଉ ଏହି ଭର୍ଚୁଆଲ୍‌ ମିଡିଆ ପିଲାଙ୍କୁ ବାନ୍ଧି ରଖିପାରିବ ନାହିଁ। ଖୋଲା ଆକାଶ ତଳେ, ସାଙ୍ଗସାଥୀ ମେଳରେ ଯେଉଁ ସମରକ୍ୟାମ୍ପ ହୁଏ ତାହା ଏହି ଇଣ୍ଟରନେଟ୍‌ ଯୁଗ ପୂରଣ କରିବାରେ ସକ୍ଷମ ନୁହେଁ।

ପିଲାଙ୍କ ବ୍ୟକ୍ତିତ୍ବ ବିକାଶରେ ସାହାଯ୍ୟ କରେ
ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଜେନେରାଲ ମ୍ୟାନେଜର୍‌ (କମ୍ୟୁନିକେସନ୍‌) ଶରତ କର କହିଛନ୍ତି, ପାଠ ପିଲାମାନଙ୍କୁ ଜ୍ଞାନ ଦେଇଥାଏ। ଆଉ ସମର୍‌ କ୍ୟାମ୍ପ୍‌ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପିଲାମାନଙ୍କୁ ଅଧିକ ସ୍ମାର୍ଟ କରିବା ସହ ସେମାନଙ୍କ ବ୍ୟକ୍ତିତ୍ବ ବିକାଶରେ ସାହାଯ୍ୟ କରିଥାଏ। କିନ୍ତୁ କରୋନା ମହାମାରୀ ଓ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଗତବର୍ଷଠାରୁ ସମର୍‌ କ୍ୟାମ୍ପ୍‌ ପ୍ରାୟ ବନ୍ଦ ରହିଛି। ଯାହା କିଛି ସମ୍ଭବ ଅନ୍‌ଲାଇନ୍‌ ହିଁ କରାଯାଉଛି। ଅଭିଜ୍ଞ ପ୍ରଶିକ୍ଷକମାନଙ୍କୁ ଆଣି ଚିତ୍ରାଙ୍କନ, ବିଭିନ୍ନ ପ୍ରକାର ଆର୍ଟ, ୱେଷ୍ଟ୍‌ ଟୁ ଆର୍ଟ, ଷ୍ଟୋରି ଟେଲିଂ, ନୃତ୍ୟ, ଗୀତ, ଯୋଗ ଆଦିର ତାଲିମ୍‌ ଦେବାର ବ୍ୟବସ୍ଥା କରାଯାଇଛି। ଯଦିଓ ଶାରୀରିକ ଭାବେ ଉପସ୍ଥିତ ରହି ସମର୍‌ କ୍ୟାମ୍ପ ଅପେକ୍ଷା ଭର୍ଚୁଆଲ୍‌ ମାଧ୍ୟମର ସମର୍‌ କ୍ୟାମ୍ପ୍‌ ଶତପ୍ରତିଶତ ଉପଯୋଗୀ ନୁହେଁ; ତଥାପି ପିଲାମାନଙ୍କ ଏସବୁ ସହ ସଂଶ୍ଳିଷ୍ଟ କରି ରଖିବାରେ ଏହି ଭର୍ଚୁଆଲ୍ ମାଧ୍ୟମ ବହୁ ମାତ୍ରାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ସମର୍‌ କ୍ୟାମ୍ପ୍‌ରେ ଓଡ଼ିଶାର ସଂସ୍କୃତିକୁ ଗୁରୁତ୍ବ
ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ମ୍ୟାନେଜର ବସନ୍ତ କୁମାର ତ୍ରିପାଠୀ କହିଛନ୍ତି, ବଢ଼ୁଥିବା କରୋନା ସଂକ୍ରମଣ ଦେଖିଲେ ଚଳିତ ବର୍ଷ ବି ସମର କ୍ୟାମ୍ପ୍‌ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଗଲାଣି। ଏଣୁ ଚଳିତ ବର୍ଷ ଆମେ ଏବେଠାରୁ ଅନ୍‌ଲାଇନ୍‌ ସମର୍‌ କ୍ୟାମ୍ପ୍‌ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛୁ। ଏଥିସହ କୁନି କୁନି ପିଲାମାନଙ୍କ ମଧ୍ୟରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ସଚେତନତା ଓ ଜ୍ଞାନ ବୃଦ୍ଧି ଉପରେ ଚଳିତ ଥରର ସମର୍‌ କ୍ୟାମ୍ପ୍‌ରେ ଦୃଷ୍ଟି ଦିଆଯାଇଛି। ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି, ସେଥିରେ ରହିଥିବା ଆମ ପରମ୍ପରା ଓ ସଂସ୍କୃତିକୁ ନେଇ ପିଲାମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକଳାପର ଆୟୋଜନ କରାଯାଉଛି। ଏଥିସହ ବିଭିନ୍ନ ପ୍ରକାର କଳା ପ୍ରଶିକ୍ଷଣ ଉପରେ ବି ଧ୍ୟାନ ଦିଆଯାଉଛି। କ୍ଲେ ଆର୍ଟ, କାଗଜ ତିଆରି ବିଭିନ୍ନ ଘରସଜ୍ଜା ସ‌ାମଗ୍ରୀ ପ୍ରସ୍ତୁତ, ଚିତ୍ରାଙ୍କନ, ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁରୁ ସୁନ୍ଦର ସୁନ୍ଦର ବ୍ୟବହାର ଉପଯୋଗୀ ଜିନିଷ ପ୍ରସ୍ତୁତି ଆଦିକୁ ଅନ୍‌ଲାଇନ୍‌ ସମରକ୍ୟାମ୍ପରେ ଶିଖାଯାଉଛି। ପୁଣି ଯୋଗ, ନୃତ୍ୟ ଓ ସଙ୍ଗୀତ ଆଦିକୁ ମଧ୍ୟ ଏହି ଅବସରରେ ଅଧିକ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର