ପୁରୁଣା ଭୁବନେଶ୍ୱର: ରୋଷେଇଘରେ ବେଶ୍ କିଛି ଦିନ ବସା ବାନ୍ଧିରହିଥିଲା ନାଗସାପ। ବିସ୍ମୟର କଥା କେହି ଜାଣିପାରିଲେ ନାହିଁ। କେବଳ ସେତିକି ନୁହେଁ, ଏକ ସ୍ଲାବ୍ ତଳେ ନାଗସାପଟି ଏକାଥରକେ ଦେଢ଼ ଡଜନ ଅଣ୍ଡା ଦେଇଥିଲା। ଅଣ୍ଡାଗୁଡ଼ିକ ଫୁଟିବା ପରେ ଘଟଣା ଜଣାପଡ଼ିଲା। ଘର ଭିତରେ ନାଗଛୁଆମାନେ ସାଲୁବାଲୁ ହୋଇ ବୁଲିବା ପରେ ସମସ୍ତେ ଜାଣିଲେ। ସୌଭାଗ୍ୟକୁ କାହାର କିଛି କ୍ଷତି ହୋଇନାହିଁ। ନାଗଛୁଆମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜନବସତିଠାରୁ ଦୂରରେ ବଣୁଆ ଅଞ୍ଚଳରେ ଛାଡ଼ିଦିଆଯାଇଛି। କିନ୍ତୁ ମାଆ ନାଗୁଣୀର ପତ୍ତା ମିଳିନାହିଁ। ଅଣ୍ଡା ଦେବା ପରେ ମାଆ ନାଗୁଣୀ ଅନ୍ୟତ୍ର ଚାଲିଯାଇଥିବା ଅନୁମାନ କରାଯାଉଛି। ଘଟଣାଟି ଆଜି ପୁରୁଣା ଭୁବନେଶ୍ବରରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ଗୋସାଗରେଶ୍ୱରଛକସ୍ଥିତ କେ. ହରପ୍ରସାଦ ପାତ୍ରଙ୍କ ଘରେ କିଛି ପିଲା ମେସ୍ କରି ରହୁଥିଲେ। ଗତକାଲି ରାତି ପ୍ରାୟ ୧ଟାରେ ପିଲାମାନେ ହଠାତ୍ ୩ଟି ସାପଛୁଆ ଦେଖି ଘର ମାଲିକ ଶ୍ରୀ ପାତ୍ରଙ୍କୁ ଜଣାଇଥିଲେ। ଏନେଇ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦିଆଯାଇଥିଲା ଏବଂ କିଛି ସମୟ ପରେ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟ ରାଜେଶ ସୂତାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ସାପଛୁଆଗୁଡ଼ିକ ଏକ ବ୍ୟାଗ୍ ତଳକୁ ପଶିଯାଇଥାନ୍ତି। ଶ୍ରୀ ସୂତାର ୨ଟି ବ୍ୟାଗ୍କୁ ବାହାର କରି ତା’ ତଳୁ ୬ଟି ସାପଛୁଆ ଉଦ୍ଧାର କରିଥିଲେ। ସେତେବେଳେ ହିଁ ଜଣାପଡ଼ିଲା ଯେ ସେଗୁଡ଼ିକ ନାଗସାପଛୁଆ। ସେହି ରୋଷେଇଘର ଭିତରେ ଆଉ କେଉଁଠି ନିଶ୍ଚୟ ଅଣ୍ଡା କିମ୍ବା ସାପଛୁଆ ଅଛନ୍ତି ବୋଲି ଶ୍ରୀ ସୂତାର କହିଥିଲେ। ଘର ମାଲିକ ଶ୍ରୀ ପାତ୍ରଙ୍କ ଅନୁମତି ନେଇ ଶ୍ରୀ ସୂତାର ଚଟାଣର ଏକ ସନ୍ଦିଗ୍ଧ ଜାଗା(ସ୍ଲାବ୍ ତଳେ) ଖୋଳିବା ପରେ ପୁଣି ୮ଟି ନାଗଛୁଆ ବାହାରିଥିଲେ। ରାତି ଅଧିକ ହେବାରୁ ସାପଛୁଆ ଅଭିଯାନ ସେତିକିରେ ରହିଥିଲା ଏବଂ ଶ୍ରୀ ସୂତାର ୧୪ଟିଯାକ ନାଗଛୁଆ ନେଇ ଚାଲିଯାଇଥିଲେ। ଆଜି ପୂର୍ବାହ୍ଣ ୧୧ଟାରେ ପୁଣି ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟ ଅରୁଣ ବରାଳ ଉକ୍ତ ମେସ୍କୁ ଆସି ପୂରା ରୋଷେଇଘରକୁ ଯାଞ୍ଚ କରିଥିଲେ ଏବଂ ଆହୁରି ୪ଟି ଛୁଆ ଉଦ୍ଧାର କରିଥିଲେ।