ଟ୍ୟାକ୍ସ ଜମା ନାଁରେ ଅଢ଼େଇ ଲକ୍ଷ ଠକେଇ, ଲକ୍ଷ୍ନୌରୁ ବନ୍ଧା ହେଲେ ୩ ସାଇବର ଠକ

ବିହାରରେ ଲୁଚିଛି ମାଷ୍ଟରମାଇଣ୍ଡ୍‌

ଭୁବନେଶ୍ବର: ଆପଣ କେବିସି ଖେଳନ୍ତି କି? ୨୫ ଲକ୍ଷ ଟଙ୍କାର ଲଟେରି ଜିତିଛନ୍ତି। ଟ୍ୟାକ୍ସ ଜମା କଲେ ଆପଣଙ୍କ ଆକାଉଣ୍ଟରେ ଘଣ୍ଟାଏ ମଧ୍ୟରେ ୨୫ଲକ୍ଷ ଟଙ୍କା ଜମା ହୋଇଯିବ। ଏମିତି ପ୍ରଲୋଭନ ଦେଖାଇ ଜଣେ ଯୁବକଙ୍କଠାରୁ ୨ଲକ୍ଷ ୪୦ହଜାର ଟଙ୍କା ଠକି ନେଇଥିବା ୩ ସାଇବର୍‌ ଠକଙ୍କୁ ସାଇବର୍‌ ପୁଲିସ୍‌ ଲକ୍ଷ୍ନୌରୁ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ନୌର ମୋହିତ ସିଂ(୨୪), ମୋବିନ୍‌ କୁମାର(୨୫) ଏବଂ ବିହାରର ଦୀପକ କୁମାର(୨୫)। ଏହାସହ ପୁଲିସ୍‌ ୯୦ ହଜାର ଟଙ୍କା ଥିବା ସେମାନଙ୍କ ଏକ ଆକାଉଣ୍ଟକୁ ଅଚଳ କରିଦେଇଛି। ତେବେ ଏହି ଠକେଇର ମାଷ୍ଟରମାଇଣ୍ଡ୍‌ ବିହାରରେ ଲୁଚି ରହିଥିବା ଜଣାଯାଇଛି। ତେଣୁ ତାକୁ ଧରିବା ପାଇଁ ସାଇବର୍‌ ପୁଲିସ୍‌ ଯୋଜନା କରୁଥିବା ଜଣାଯାଇଛି। ସେ ଧରାପଡ଼ିଗଲେ ଏକ ବଡ଼ଧରଣର ଠକ ରୢାକେଟ୍‌ର ପର୍ଦ୍ଦାଫାସ୍‌ ହୋଇପାରିବ ବୋଲି ପୁଲିସ୍‌ ଆଶାବାଦୀ ରହିଛି। ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ପଚରାଉଚରା ଚଳାଇଛି। ମୋବାଇଲ୍‌ ନମ୍ବରଗୁଡ଼ିକ କେଉଁଠୁ ଆଣୁଥିଲେ? କାହା ଇସାରାରେ ଓ କେତେ ଦିନ ହେଲା ସେମାନେ ଏ ଅପରାଧରେ ସଂଶ୍ଲିଷ୍ଟ ଥିଲେ ଆଦି ପ୍ରଶ୍ନ କରିଥିବା ଜଣାଯାଇଛି। ସେମାନଙ୍କୁ ପୁଲିସ୍‌ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ବୋଲି ଜଣାଯାଇଛି।

ସୂଚନା ମୁତାବକ, ଗତ ମାସ ୨୬ ତାରିଖ ଦିନ ଏହି ୩ ସାଇବର ଲୁଟେରା ରାଜଧାନୀର ବାବୁରାମ ସାମଲ ନାମକ ଜଣେ ଯୁବକଙ୍କ ମୋବାଇଲ୍‌କୁ ମେସେଜ୍‌ ପଠାଇଥିଲେ। ସେ ଅନ୍‌ଲାଇନ୍‌ରେ କେବିସି ଖେଳି ୨୫ ଲକ୍ଷ ଟଙ୍କା ଜିତିଛନ୍ତି ବୋଲି ମେସେଜ୍‌ରେ ଉଲ୍ଲେଖ ରହିଥିଲା। ମେସେଜ୍‌ ପାଉ ପାଉ ବାବୁରାମ ସଙ୍ଗେସଙ୍ଗେ ଉକ୍ତ ନମ୍ବରକୁ କଲ୍‌ କରିଦେଇଥିଲେ। ସାଇବର୍‌ ଠକଙ୍କ ସବୁ କଥାରେ ସେ ହଁରେ ହଁ ଭରିବାରୁ ତାଙ୍କୁ ଜାଲରେ ଫସାଇବା ସାଇବର୍‌ ଠକଙ୍କ ପାଇଁ ସହଜ ହୋଇଯାଇଥିଲା। ଠକମାନେ ତାଙ୍କୁ ଜିଏସ୍‌ଟି ଏବଂ ଟ୍ୟାକ୍ସ ବାବଦ ୨ଲକ୍ଷ ୪୦ ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁ ବାବୁରାମ ଆଗପଛ ଚିନ୍ତା ନ କରି ସାଇବର୍‌ ଠକ ଦେଇଥିବା ୩ଟି ଆକାଉଣ୍ଟ‌ରେ ସବୁତକ ଟଙ୍କା ପଇଠ କରିବା ସହ ସେମାନଙ୍କୁ ଫୋନ୍‌କରି ଜଣାଇଥିଲେ। କିନ୍ତୁ ଏହା ପରେ ବି ତାଙ୍କ ଆକାଉଣ୍ଟକୁ ୨୫ ଲକ୍ଷ ଟଙ୍କା ନ ଆସିବାରୁ ସେ ପୁଣିଥରେ ଠକମାନଙ୍କୁ କଲ୍‌ କରିଥିଲେ। କିନ୍ତୁ ଆଉ ଫୋନ୍‌ ଲାଗି ନଥିଲା। ତେଣୁ ଠକାମିର ଶିକାର ହୋଇଥିବା ଜାଣିବା ପରେ ଗତ ୫ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ପୁଲିସ ଏକ ମାମଲା ରୁଜୁ କରି ନମ୍ବର ଟ୍ରାକିଂ କରିଥିଲା। ଗୋଟିଏ ଆକାଣ୍ଟରେ ୯୦ ହଜାର ଥିବା ଜଣାପଡ଼ିବା ପରେ ତୁରନ୍ତ ସେ ଆକାଉଣ୍ଟକୁ ପୁଲିସ୍‌ ଅଚଳ କରିଦେଇଥିଲା। ତେବେ ଠକମାନେ ଲକ୍ଷ୍ନୌରେ ଥିବା ଜାଣିବା ପରେ ଗତକାଲି ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ୩ ଲୁଟେରାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର