ଚନ୍ଦ୍ରଶେଖରପୁର: ନିଜକୁ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ବୋଲି ମିଛ ପରିଚୟ ଦେବା ସହ ଜଣେ ଯୁବକଙ୍କୁ ଚାକିରିର ଲୋଭ ଦେଖାଇ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିବା ଧୂର୍ତ୍ତ ଗୌରାଙ୍ଗ ସାହୁକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ଦୁଇ ଦୁଇଟି ଠକେଇ ମାମଲାରେ ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ପୁଲିସ ସୂଚନାନୁସାରେ ଅଭିଯୋଗକାରୀ ଶ୍ରୀକାନ୍ତ ସାହୁ ଜଣେ ରୢାପିଡୋ ବାଇକ୍‌ ଚାଳକ। ସେ ପ୍ରତିଦିନ ଅଭିଯୁକ୍ତ ଗୌରାଙ୍ଗକୁ ଚକେଇସିହାଣି ଅଞ୍ଚଳରୁ ବାଇକ୍‌ରେ ଆଣି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାଡ଼ୁଥିଲେ। ଧୂର୍ତ୍ତ ଗୌରାଙ୍ଗ ବି ନିଜକୁ ବିଶ୍ବବିଦ୍ୟାଳୟର ଜଣେ ବଡ଼ ଅଧିକାରୀ ବୋଲି ଶ୍ରୀକାନ୍ତଙ୍କୁ କହିଥିଲା।

Advertisment

ବିଶ୍ବବିଦ୍ୟାଳୟର ଲାଇବ୍ରେରିରେ ଏକ ପୋଷ୍ଟ ଫାଙ୍କା ରହିଛି ଏବଂ ସେଥିରେ ଚାକିରି କରାଇଦେବ ବୋଲି ଗୌରାଙ୍ଗ କହି ଶ୍ରୀକାନ୍ତଙ୍କୁ ପ୍ରଲୋଭିତ କରିଥିଲା। ଏଥିପାଇଁ ସେ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲା। ରୢାପିଡୋ ବାଇକ୍‌ ଚଳାଇ କିଛି ପଇସା ରୋଜଗାର କରୁଥିବା ଶ୍ରୀକାନ୍ତ ଯୋଗାଡ଼ କରି ତାକୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ଧୂର୍ତ୍ତ ଗୌରାଙ୍ଗ ଗାଏବ୍‌ ହୋଇଯାଇଥିଲା। ଠକାମିର ଶିକାର ହେବା ବୁଝିବା ପରେ ବିଚରା ଶ୍ରୀକାନ୍ତ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗତକାଲି ରାତିରେ ‌ଗୌରାଙ୍ଗକୁ ଗିରଫ କରିଛି। ତାକୁ ଥାନାକୁ ଆଣିବା ଖବର ପ୍ରଚାରିତ ହେବା ପରେ ଆଉ ଜଣେ ଯୁବକ ରଞ୍ଜନ କୁମାର ଦାସ ଠକ ଗୌରାଙ୍ଗ ନାଁରେ ଅନୁରୂପ ଅଭିଯୋଗ କରିଥିଲେ।