ଭୁବନେଶ୍ବର: ରେଳ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ରେଳ ସାମଗ୍ରୀ ଚୋରି କରିବା ଅଭିଯୋଗରେ ରେଳବାଇ ପୁଲିସ୍ ଆଜି ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗତ୍ସିଂହପୁର କଣ୍ଟାପଡ଼ା ଗ୍ରାମର ସେକ୍ ଫିରୋଜ ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ରାଜଦୁଲ୍ଲା ଖାନ୍। ଅଭିଯୁକ୍ତମାନଙ୍କ ନିକଟରୁ ଦେଢ଼ ଟନ୍ ଇଲେକଟ୍ରିକ୍ ତାର ଓ ଅନ୍ୟାନ୍ୟ ମୂଲ୍ୟବାନ ରେଳ ସାମଗ୍ରୀ ଜବତ କରାଯାଇଛି। ଲୁଟ୍ରେ ବ୍ୟବହୃତ ଏକ ଗାଡ଼ିକୁ ମଧ୍ୟ ପୁଲିସ୍ ଜବତ କରିଛି।
ସୂଚନାନୁସାରେ, ଗତ ୨୨ତାରିଖ ଦିନ ଫିରୋଜ ଭଦ୍ରକସ୍ଥିତ ଟିଡିଆର୍ ଡିପୋରୁ ବିଭିନ୍ନ ସାମଗ୍ରୀ ଚୋରି କରୁଥିଲା। ଏହା ଦେଖି ସେଠାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ତାକୁ ବାଧା ଦେବାରୁ ସେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏ ସଂପର୍କରେ ରେଳବାଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
୧୬ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ବର: ଅବକାରୀ ବିଭାଗ ବାଣୀବିହାର ଛକ ଅଞ୍ଚଳରେ ଚଢ଼ଉ କରି ଜଣକୁ ଗିରଫ କରିଛି। ସେ ହେଲା, ପୁରୀ ଜିଲ୍ଲା ଗୋପ ଅଞ୍ଚଳର ପବିତ୍ର କୁମାର ମାଝି। ପୁଲିସ ତା’ଠାରୁ ୧୬ ଗ୍ରାମ୍ର ବ୍ରାଉନସୁଗାର ଜବତ କରିଛି। ଏଥିସହ ଅଭିଯୁକ୍ତ ବ୍ୟବହାର କରୁଥିବା ଏକ ଅଟୋକୁ ମଧ୍ୟ ଜବତ କରାଯାଇଛି।
ମନ୍ଦିରରୁ ଲୁଟି ରାସ୍ତାରେ ଫିଙ୍ଗିଦେଲେ
ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ରଥିଜେମାସ୍ଥିତ ଅଜାଣେଶ୍ବର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ପୂଜା ସାମଗ୍ରୀ ଚୋରି କରି ନେଇ ଦୁର୍ବୃତ୍ତମାନେ ରାସ୍ତାରେ ଫିଙ୍ଗି ଦେଇଛନ୍ତି। ଦୁର୍ବୃତ୍ତମାନେ ୮ଟି ଛୋଟବଡ଼ ଥାଳି ସହିତ ଗରା, କୁଣ୍ଡ ଓ ଢାଳ ଆଦି ପ୍ରାୟ ୩୦ କିଗ୍ରା କଂସା ବାସନ ଲୁଟି ନେଇଥିଲେ। ହେଲେ କୌଣସି କାରଣରୁ ନିକଟରେ ଥିବା ଏକ ବରଗଛ ମୂଳରେ ଫିଙ୍ଗି ଦେଇ ପଳାଇଥିଲେ। ଏହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ। ଆଜି ପୂର୍ବାହ୍ନରେ ଗ୍ରାମବାସୀ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳେ ସାମଗ୍ରୀ ବୋଝେଇ ଅଖା ମିଳିଥିଲା। ଏହି ଘଟଣାରେ ପୁଲିସ ଜଣକୁ ଫାଣ୍ଡିରେ ଅଟକ ରଖି ପରେ ଛାଡ଼ି ଦେଇଛି।