ଡାକ୍ତରାଣୀଙ୍କୁ ମାଡ଼ମାରି ଜଣେ ଗିରଫ

ଭୁବନେଶ୍ବର : ଗାଡ଼ି ସାଇଡ୍‌ ମରାକୁ କେନ୍ଦ୍ରକରି ଡାକ୍ତରାଣୀଙ୍କୁ ମାଡ଼ମାରିବା ଜଣେ ସ୍ଥାନୀୟ ନେତାଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନି ଅଞ୍ଚଳରେ। ଏହି ଘଟଣାରେ ପୁଲିସ କଟକ ରୋଡ୍‌ ଅଞ୍ଚଳର ବିଶ୍ବଜିତ୍‌ ସ୍ବାଇଁ(୫୭)ଙ୍କୁ ଗିରଫ କରିଛି। ସେ ଏକ ରାଜନୈତିକ ଦଳର ନେତା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ତିନି ଦିନ ତଳେ ଡାକ୍ତରାଣୀ ଜଣକ ଘରକୁ ଫେରୁଥିବା ସମୟରେ ବିଶ୍ବଜିତ୍‌ଙ୍କ କାର୍‌ ସହ ତାଙ୍କ କାର ଘସି ହୋଇଯାଇଥିଲା। ଯାହାକୁ ନେଇ ସେଦିନ କଥା କଟାକଟି ହୋଇଥିଲା। ହେଲେ ଗତକାଲି ଅର୍ଥାତ ରବିବାର ରାତି ପାଖାପାଖି ସଢ଼େ ୧୦ଟା ସମୟରେ ଡାକ୍ତରାଣୀ ତାଙ୍କ ମା’ ହେନା ଗୁପ୍ତାଙ୍କୁ ନେଇ ଘରକୁ ଫେରୁଥିବା ସମୟରେ ବିଶ୍ବଜିତ ଓ ତାଙ୍କର ସମର୍ଥକ କାର୍‌କୁ ଅଟକାଇ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନେ ପ୍ରତିବାଦ କରିବାରୁ ବିଶ୍ବଜିତ ଡାକ୍ତରାଣୀଙ୍କୁ ମାଡ଼ମାରିବା ସହ ତାଙ୍କ ମା’ଙ୍କୁ ଧକ୍କା ଦେଇଥିଲେ। ସମସ୍ତେ ଦେଖୁଥିଲେ ହେଁ କେହି ଅଟକାଇବାକୁ ସାହସ କରିନଥିଲେ। ଶେଷରେ ହେନା ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପିସିଆର୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଆକ୍ରମଣକାରୀ ଫେରାର୍‌ ହୋଇଯାଇଥିଲେ। ପୁଲିସ ଉଭୟ ମା’ ଓ ଝିଅଙ୍କୁ ହସ୍ପିଟାଲ୍‌ ନେଇଥିଲା। ଏନେଇ ହେନା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲ। ପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ବିଶ୍ବଜିତଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରା ଉଚରା ପରେ ସୋମବାର ଦିନ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର