ଭାଇବୋହୂଙ୍କ ମୁଣ୍ଡକୁ କୋଦାଳ ପାହାର, ଦେଢ଼ଶୁର ଅଟକ

ବାଲିପାଟଣା : ଆଜି ସ୍ଥାନୀୟ ବନମାଳୀପୁର ବାଲିକୁଦାପାଟଣାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି। ଏହି ଗଣ୍ଡଗୋଳରେ ଦେଢ଼ଶୁରଙ୍କ କୋଦାଳ ପାହାରରେ ଭାଇବୋହୂଙ୍କ ମୁଣ୍ଡ ଫାଟିଛି ଏବଂ ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଅଭିଯୋଗ ହେବା ପରେ ବାଲିପାଟଣା ଥାନା ପୁଲିସ ଦେଢ଼ଶୁରକୁ ଥାନାରେ ଅଟକ ରଖିଛି।

ସୂଚନାନୁଯାୟୀ ବଡ଼ଭାଇ ବିଶ୍ବନାଥ ସାହୁ ଓ ସାନ ଭାଇ କାଶୀନାଥଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବହୁଦିନ ହେଲା ବିବାଦ ଲାଗିରହିଛି। ଆଜି ପୁଣି ପୁରୁଣା କଥାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସବୁଥର ଭଳି ଏଥର ବି ୨ ଯାଆ ସଂଯୁକ୍ତା ସାହୁ(ବଡ଼) ଓ ରିକୁବାଳା ସାହୁ କଳିରେ ଅଂଶଗ୍ରହଣ କରିଥିଲେ। ବିଶ୍ୱନାଥ ସାହୁ ଉତ୍‌କ୍ଷିପ୍ତ ହୋଇ ଭାଇବୋହୂ ରିକୁବାଳାଙ୍କ ମୁଣ୍ଡକୁ କୋଦାଳରେ ଏକ ଶକ୍ତ ପାହାର ଦେଇଥିଲା। ଫଳରେ ରିକୁବାଳାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ କାଶୀନାଥ ତାଙ୍କୁ ନେଇ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର