ଗର୍ଭପାତ ପରେ ମହିଳା ମୃତ ଘରୋଇ ହସ୍ପିଟାଲରେ ତୁମୁଳ କାଣ୍ଡ, ପୁଲିସକୁ ମାଡ଼ ମାରି ଯୁବକ ଗିରଫ

ଭୁବନେଶ୍ବର : ଗର୍ଭପାତ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ଗତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତୁମୁଳକାଣ୍ଡ ଘଟିଛି। ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ମଞ୍ଚେଶ୍ବର ଥାନାର ଜଣେ ପୁଲିସ କନେଷ୍ଟବଳଙ୍କୁ ମାଡ଼ ହୋଇଥିଲା। କନେଷ୍ଟବଳଙ୍କ ଅଭିଯୋଗକ୍ରମେ ନହରକଣ୍ଟାର ସଂଗ୍ରାମ କେଶରୀ ଜେନା ଓରଫ୍ ଭିକି ଗିରଫ ହୋଇଛି। ମୃତ ମହିଳାଜଣଙ୍କ ହେଉଛନ୍ତି, ଗାଡ଼କଣରେ ରହୁଥିବା ତାମିଲନାଡ଼ୁର ମୁଥୁ ସଲ୍‌ଭାଙ୍କ ପତ୍ନୀ ଶ୍ରୀୟା ବିନିଲା। ଗତ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହେବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିଲା। ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ମୁଥୁ ସିଲ୍‌ଭା ଏଠାରେ ଏକ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। କିଛି ଦିନ ହେବ ସେ ଗାଡ଼କଣରେ ରହି ଚାକିରି କରୁଥିଲେ। ତାଙ୍କ ପତ୍ନୀ ଶ୍ରୀୟା ବିନିଲା ୪ମାସର ଗର୍ଭବତୀ ଥିଲେ। ଉଭୟ ଗର୍ଭପାତ କରିବା ପାଇଁ ଯୋଜନା କରି ଉକ୍ତ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ। ଗର୍ଭପାତର ଦୁଇ ଦିନ ପରେ ତାଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା। କିନ୍ତୁ ଗତକାଲି ତାଙ୍କ‌ର ପେଟରେ ଯନ୍ତ୍ରଣା ହେବାରୁ ଦମ୍ପତି ସଂପୃକ୍ତ ଡାକ୍ତରଙ୍କୁ ଫୋନ୍‌ ଜରିଆରେ ଯୋଗାଯୋଗ କରିଥିଲେ। ସମ୍ପୃକ୍ତ ଡାକ୍ତର ଏକ ଔଷଧର ନାମ ମେସେଜ୍‌ରେ ଲେଖି ଖାଇବା ପାଇଁ କହିଥିଲେ। କିନ୍ତୁ ସେହି ଔଷଧ ଖାଇବା ପରେ ଶ୍ରୀୟାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଘଟ ହେବା ପରେ ଶତାଧିକ ଲୋକ ସେଠାରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ମଞ୍ଚେଶ୍ବର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ତେବେ ପୁଲିସ ଉକ୍ତ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସପକ୍ଷରେ କଥା କହୁଥିବା ଅଭିଯୋଗ କରି ଲୋକମାନେ ଆହୁରି ପାଟିତୁଣ୍ଡ କରିଥିଲେ। ଭିଡ଼ ଭିତରେ ଥିବା ନହରକଣ୍ଟାର ଭିକି ଜଣେ ପୁଲିସ କର୍ମଚାରୀଙ୍କୁ ଏକ ଚାପୁଡ଼ା ମାରିଥିଲା। ପୁଲିସ ଭିକିକୁ ଘଟଣାସ୍ଥଳରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର