ଠିକାଦାର ହତ୍ୟାର ପର୍ଦ୍ଦାଫାସ୍‌ : ‘ଚିକେନ୍‌ ତରକାରି ନ ଦେବାରୁ ମାରିଦେଲି’

ଭୁବନେଶ୍ବର/ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ନଖରା ଅଞ୍ଚଳରେ ରଙ୍ଗ ଠିକାଦାର ଅରୁଣ କୁମାର ଦାସ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ହତ୍ୟାକାଣ୍ଡରେ ସଂପୃକ୍ତ ଯୁବକକୁ ପୁଲିସ ଗିରଫ କରିବା ସହ ଗୋଟିଏ ରକ୍ତଲଗା ବେଲ୍‌ଚା, ଲୁହା ପାଇପ୍‌ ଓ ରକ୍ତଲଗା ସାର୍ଟ ଜବତ କରିଛି। ଗିରଫ ଯୁବକ ଜଣକ ହେଉଛି, ପ୍ରଦୀପ କୁମାର ସାହୁ ଓରଫ ଚିକୁ। ଘର କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଧୀନ ଭଟ୍ଟବଗା ଗ୍ରାମରେ। ଆଜି ତାକୁ କୋର୍ଟଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ,ଏହି ହତ୍ୟାକାଣ୍ଡର କାରଣ ବଡ଼ ଅଜବ। ନା ଥିଲା ଜମିବାଡ଼ି ବିବାଦ, ନା ପୂର୍ବ ଶତ୍ରୁତା, ନା ପ୍ରେମ ପ୍ରତାରଣା। ସାମାନ୍ୟ ଚିକେନ୍‌ ତରକାରି ପାଇଁ ଘଟିଥିଲା ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଠିକାଦାର ଅର୍ଥାତ ମୃତକ ଅରୁଣ ଘଟଣା ରାତିରେ ସବୁ ଚିକେନ ଖାଇ ଦେବାରୁ ହିଂସ୍ର ହୋଇଯାଇଥିଲା ଅଭିଯୁକ୍ତ ଚିକୁ। କାହିଁକି ମୋ ପାଇଁ ଚିକେନ ତରକାରି ରଖିଲ ନାହିଁ କହିବା ସହ ବେଲ୍‌ଚାରେ ଭୟଙ୍କର ଆକ୍ରମଣ କରିଥିଲା। ଶେଷରେ ଏକ ଲୁହା ପାଇପରେ ମୁହଁକୁ ଛେଚି ଛେଚି ବୀଭତ୍ସ କରି ଦେଇଥିଲା। ଏହାପରେ ଚାଲି ଚାଲି ଜାତୀୟ ରାଜପଥକୁ ଆସି ଫେରାର୍‌ ହୋଇଯାଇଥିଲା। ସାମୁଦ୍ରିକ ଝଡ଼ ଫନି ଆସିବାର ଗୋଟିଏ ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିଲା।

ପୁଲିସ ଦୁଇ ଦିନ ପରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପାହାଳ ଫାଣ୍ଡି ଅଧିକାରୀ ଏସ୍‌ଆଇ ଓମ୍‌ପ୍ରକାଶ ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ଚିକୁର ମୋବାଇଲ ଫୋନ ବନ୍ଦ ରହିଥିବାରୁ ଟ୍ରାକ କରିବାରେ ସମସ୍ୟା ହୋଇଥିଲା। ତା’ ଛଡ଼ା ଏହି ସମୟରେ ଫନି କାରଣରୁ ସମସ୍ତ ମୋବାଇଲ ସେବା ମଧ୍ୟ କିଛି ଦିନ ପାଇଁ ବନ୍ଦ ହୋଇ ଯାଇଥିଲା। ଏଥିପାଇଁ ପୁଲିସ ଅକଳରେ ପଡ଼ିଥିଲା।

ଏସିପି ଅମରେନ୍ଦ୍ର ପଣ୍ଡା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଚିକୁ ଗାଁରୁ ରଙ୍ଗ କାମ କରିବାକୁ ଭୁବନେଶ୍ବର ଆସିଥିଲା। ସେ ରଙ୍ଗ ଠିକାଦାର ଅରୁଣଙ୍କୁ ଭେଟି ତାଙ୍କ ସହିତ କାମ କରିବ ବୋଲି କଥା ହୋଇଥିଲା। କିଛି ଦିନ କାମ କଲା ପରେ ଠିକାଦାର ଅରୁଣ ତାଙ୍କ ଭଲ ବ୍ୟବହାର କରୁ ନ ଥିଲେ। ଟଙ୍କା ମଧ୍ୟ ଠିକ୍‌ରେ ଦେଉନଥିଲେ। ଘଟଣାର ଦୁଇ ଦିନ ପୂର୍ବରୁ ଚିକୁ ଅସୁସ୍ଥ ହୋଇ ପଡ଼ିଥିଲା। ଏଥିପାଇଁ ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲା। ପାଟି ଭଲ ନ ଲାଗୁ ଥିବାରୁ ଚିକେନ କିଣିଥିଲା ଏବଂ ଠିକାଦାରଙ୍କୁ କହିଥିଲା ରୋଷେଇ କରିଦିଅ, ସେ ହସ୍ପିଟାଲରୁ ଆସି ଖାଇବ। କିନ୍ତୁ ଠିକାଦାର ଅରୁଣ ସବୁତକ ଚିକେନ ମଦ ନିଶାରେ ଖାଇ ଦେଇଥିଲେ। ଚିକୁ ହସ୍ପିଟାଲରୁ ଫେରି ଚିକେନ କାହିଁକି ରଖିନାହଁ ବୋଲି ପଚାରିଥିଲା। ଏହାକୁ ନେଇ ଅରୁଣ ଓ ଚିକୁଙ୍କୁ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିଥିଲା। ପରେ ଅରୁଣ ଛାତ ଉପରେ ଶୋଇ ପଡ଼ିଥିଲେ। କିନ୍ତୁ ଭୋକରେ ଆଉଟୁ ପାଉଟୁ ହେବା ପରେ ଚିକୁ ହିଂସ୍ର ହୋଇ ଉଠିଥିଲା। ଛାତ ଉପରକୁ ଯାଇ ଅରୁଣଙ୍କୁ ହତ୍ୟା କରି ଫେରାର୍‌ ହୋଇଯାଇଥିଲା। ଅଭିଯୁକ୍ତ ଚିକୁ କିଛି ଦିନ ମୋବାଇଲ ବନ୍ଦ ରଖିବା ପରେ ପ୍ରଥମେ କଟକ, ପରେ ବାଲେଶ୍ବର ଓ ଶେଷର କେନ୍ଦ୍ରାପଡ଼ା, ପାରାଦ୍ବୀପ ଓ ପଟ୍ଟାମୁଣ୍ଡାଇ ପଳାଇଥିଲା। କିନ୍ତୁ ଗତ ଦୁଇ ସପ୍ତାହ ତଳେ ମୋବାଇଲ ଫୋନ୍ ଅନ୍ କରି ପୁଣି ଥରେ ବନ୍ଦ କରି ଦେଇଥିଲା। ଏହି କାରଣରୁ ସେ ପୁଲିସ ଜାଲରେ ପଡ଼ିଥିଲା। ଏସିପି ଶ୍ରୀ ପଣ୍ଡାଙ୍କ ନିର୍ଦେଶରେ ତଦନ୍ତକାରୀ ଅଫିସର ଏସଆଇ ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ଯାଇ ଚିକୁକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର