ଭୁବନେଶ୍ବର : ଚାକିରି ପାଇଁ କୋଲକାତାରେ ଟ୍ରେନିଂ ଦିଆଯିବ। ଟ୍ରେନିଂ ପରେ ଦୁବାଇରେ ଚାକିରି। ଚାକିରି ନ ମିଳିଲେ ସୁଧ ସହ ଟଙ୍କା ଫେରସ୍ତ। ବେକାର ଯୁବକ/ଯୁବତୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇ ଲୁଟୁଥିବା ଏକ ଠକ ସଂସ୍ଥାର ମୁଖ୍ୟଙ୍କୁ ନୂଆପଲ୍ଲୀ ଥାନା ପୁଲିସ୍ ଗିରଫ କରିଛି। ସେ ହେଲେ, ନିଖିଲ ଆଲୁୱି। ଘର ମହାରାଷ୍ଟ୍ରର ଥାନେ ଅଞ୍ଚଳରେ। ଏଠାରେ ସିଭି ରମଣ କଲେଜ ପଛରେ ଏକ ମେସ୍ରେ ରହନ୍ତି। ତେବେ ଏହି ଠକେଇ ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ବରଗଡ଼ର ବିଶ୍ବଜିତ୍ ମହାନ୍ତି ଫେରାର୍ ହୋଇଯାଇଥିବା ଜଣାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ନିଖିଲ ଓ ତା’ର କେତେକ ସହଯୋଗୀ ଏକାମ୍ର ପାର୍କ ନିକଟ ପ୍ଲଟ ନମ୍ବର ୭୪୮/୩୭୪୫କୁ ଭଡ଼ାରେ ନେଇ ସି ୱାର୍ଲ୍ଡ ମେରାଇନ୍ ସର୍ଭିସ୍ ନାମକ ଏକ ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ବେକାର ଯୁବକ/ଯୁବତୀଙ୍କୁ ଚାକିରିର ଲୋଭ ଦେଖାଇ ୧୦ଜଣଙ୍କଠାରୁ ୫ ଲକ୍ଷ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତକାରୀ ଅଧିକାରୀ ରବି ପାତ୍ର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି, ସଂସ୍ଥା ଏପରି ୨୦ରୁ ଊର୍ଦ୍ଧ୍ବ ଯୁବକ/ଯୁବତୀଙ୍କଠାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ କରିଛି।