ମହିଳାଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌ ମାମଲା, ୩ ମାସ ପରେ ଜଣେ ଗିରଫ

ବାଲିଅନ୍ତା : ପାହାଳ ଫାଣ୍ଡି ତ୍ରିନାଥବଜାରରୁ ଜଣେ ମହିଳାଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ କମିସନରେଟ ପୁଲିସକୁ ସଫଳତା ମିଳିଛି। ଦୀର୍ଘ ୩ ମାସ ପରେ ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ୍‌ ଓ ବାଲିଅନ୍ତା ଥାନା ପୁଲିସ ଏହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ଦାସ(୧୯)କୁ ଗିରଫ କରିଛି। ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଧୀନ ପାକଲାପଲ୍ଲୀ ଗାଁରେ ଚିଣ୍ଟୁ ଘରେ ପୁଲିସ ଚଢ଼ଉ କରି ତାକୁ ଧରିଛି। ତା’ଠାରୁ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା, ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଓ ମୋବାଇଲ୍‌ ଫୋନ୍‌ ମିଳିଛି। ତେବେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୩ଜଣ ଏବେ ବି ଫେରାର୍ ଅଛନ୍ତି।

ଘଟଣା ଘଟିଥିଲା ସେପ୍ଟେମ୍ବର ୭ ତାରିଖରେ। ସୁନୀତା ଜେନା (୫୧) ଏକ ମୋବାଇଲ ଦୋକାନ କରିବା ପାଇଁ ତ୍ରିନାଥବଜାରସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ରୁ ୫ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ସେ ତାଙ୍କ ନିର୍ମାଣାଧୀନ ମୋବାଇଲ ଦୋକାନକୁ କାମ ତଦାରଖ ପାଇଁ ଯାଇଥିଲେ। ସେଠାରେ ଟଙ୍କା ଭର୍ତ୍ତି ଭ୍ୟାନିଟି ବ୍ୟାଗ୍‌କୁ ଚେୟାର ଉପରେ ରଖି କାମ କରୁଥିବା ଲୋକଙ୍କ ସହ କଥାବାର୍ତ୍ତା ହେଉଥିଲେ। ବ୍ୟାଙ୍କ୍‌ରୁ ଫେରିବାଠାରୁ ଚିଣ୍ଟୁ ଓ ତା’ ସହଯୋଗୀ ବାଇକ୍‌ରେ ପିଛା କରୁଥିଲେ ବି ସୁନୀତା ତିଳେ ମାତ୍ର ସୁରାକ୍ ପାଇନଥିଲେ। ବାଇକ୍‌କୁ କିଛି ଦୂରରେ ରଖି ଚିଣ୍ଟୁ ଦୋକାନ ପାଖକୁ ଚାଲି ଚାଲି ଆସିଥିଲା ଓ ଟଙ୍କା ବ୍ୟାଗ୍‌କୁ ଧରି ବାଇକ୍‌ ପାଖକୁ ଦୌଡ଼ିଥିଲା। ବାଇକ୍‌ ପ୍ରସ୍ତୁତ କରି ରଖିଥିବା ସହଯୋଗୀ ସହ ସେ ଆଖି ପିଛୁଳାକେ ଅନ୍ତର୍ଧାନ ହୋଇ ଯାଇଥିଲା। ଭ୍ୟାନିଟିରେ ସୁନୀତାଙ୍କ ମୋବାଇଲ ଫୋନ୍‌ ଥିଲା। ଏହି ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ ପାଇଁ ସ୍ପେସାଲ୍‌ ସ୍କ୍ବାଡ୍‌କୁ ଦାୟିତ୍ବ ଦିଆଯାଇଥିଲା। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଚିଣ୍ଟୁକୁ ଚିହ୍ନଟ କରିଥିଲେ ବି ରାଜଧାନୀରେ ନୂଆ କେସ୍‌ କରିଥିବାରୁ ତାକୁ ଠାବ କରିବା ସମ୍ଭବ ହୋଇନଥିଲା। ସେହିଭଳି ଲୁଟ୍‌ ପରେ ଚିଣ୍ଟୁ ଓ ତା’ର ସହଯୋଗୀ ଭୁବନେଶ୍ବର ଛାଡ଼ି ଦେଇଥିବାରୁ ପୁଲିସ ଗୁଇନ୍ଦା ମଧ୍ୟ ସେମାନଙ୍କ ଟେର୍‌ ପାଇନଥିଲା। ସେହିଭଳି ସୁନୀତାଙ୍କ ମୋବାଇଲ୍‌ ବନ୍ଦ ଥିବାରୁ ପୁଲିସ ହାତବାନ୍ଧି ବସିବାକୁ ବାଧ୍ୟ ହୋଇଥିଲା। ତେବେ ମୋବାଇଲ୍‌ ଟ୍ରାକିଂ ରୀତିମତ ଜାରି ରହିଥିଲା। ଗତ ଦୁଇ ଦିନ ପୂର୍ବେ ହଠାତ୍ ଉକ୍ତ ମୋବାଇଲ୍‌ ସୁଇଚ୍ ଅନ୍‌ ହେବା ପରେ ସ୍ପେଶାଲ ସ୍କ୍ବାଡ୍‌ ତତ୍ପର ହୋଇପଡ଼ିଥିଲା ଓ ଅସ୍କା ପାକଲାପଲ୍ଲୀରେ ଚଢ଼ଉ କରି ଚିଣ୍ଟୁକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର