ସାଙ୍ଗକୁ କାର୍ ଦେଇ ଲୁଟ୍‌ର ଶିକାର; ଜଣେ ଗିରଫ, ଦୁଇ ଫେରାର୍

ଭୁବନେଶ୍ବର : ସାଙ୍ଗ ଉପରେ ଭରସା କରି କାର୍ ଦେଇଥିଲେ। ମାତ୍ର ସାଙ୍ଗ କାର୍ ଦେବା ବଦଳରେ ପ୍ରଥମେ ଟଙ୍କା ଦାବି କଲା। ପରେ କାର୍ ଦେବା ପାଇଁ ଅଜ୍ଞାତ ସ୍ଥାନକୁ ଡାକି ନିସ୍ତୁକ ମାଡ଼ ମାରିଲା ଏବଂ ପାଖରେ ଥିବା ଟଙ୍କା ଲୁଟ୍ କରି ରାସ୍ତା କଡ଼ରେ ଫୋପାଡ଼ି ଫେରାର୍ ହୋଇଗଲା। ଏଭଳି ଏକ ମାମଲାରେ ତମାଣ୍ଡୋ ପୁଲିସ ଆଜି ବିଶ୍ବାସଘାତକ ସାଙ୍ଗକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି, ତମାଣ୍ଡୋ ବାଲିଆପଡ଼ାର ସୁରେଶ ଭୋଳ(୨୭)।

ଗତ ଫେବ୍ରୁଆରି ମାସରେ ସୁନନ୍ଦ ପ୍ରଧାନ ଓ ତାଙ୍କ ପତ୍ନୀ ସୋନାଲି କୌଣସି କାମ ପାଇଁ ହାଇଦ୍ରାବାଦରେ ଯାଇ ରହିଥିଲେ। ତେବେ ସେ ଏକ ଟ୍ରାଭେଲ୍ ଏଜେନ୍ସିରୁ ଆଣି ବ୍ୟବହାର କରୁଥିବା କାର୍‌ଟିକୁ ତାଙ୍କ ସାଙ୍ଗ ସୁରେଶକୁ ଦେଇ ଉକ୍ତ ଟ୍ରାଭେଲ୍ ଏଜେନ୍ସିକୁ ଦେଇଦେବା ପାଇଁ କହିଥିଲେ। ମାତ୍ର ଫେବ୍ରୁଆରି ୨୨ରେ ଉକ୍ତ ସଂସ୍ଥାର ମାଲିକ କାର୍ ଫେରି ପାଇନଥିବା କହିଥିଲେ। ସୁନନ୍ଦ ଫୋନ୍ ଯୋଗେ ସୁରେଶକୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇନଥିଲା। ବହୁ କଷ୍ଟରେ ଯୋଗାଯୋଗ କରିବା ପରେ ସୁରେଶ ଟ୍ରାଭେଲ୍ ଏଜେନ୍ସିକୁ କାର୍ ଦେବା ପରିବର୍ତ୍ତେ ୮୬ହଜାର ଟଙ୍କା ଦାବି କରିଥିଲା। ବାଧ୍ୟ ହୋଇ ତା’ ପରଦିନ ସୁନନ୍ଦ ଭୁବନେଶ୍ବରରେ ଆସି ସୁରେଶକୁ ଖୋଜିଥିଲେ। ସୁରେଶ ତାଙ୍କୁ କାର୍ ଫେରାଇବା ପାଇଁ ବାଲିଆପଡ଼ା ଗାଁ ନିକଟକୁ ଡାକିଥିଲା। ପୂର୍ବ ଯୋଜନା ମୁତାବକ ସୁରେଶ ଓ ତାଙ୍କ ସାଥୀମାନେ ସୁନନ୍ଦ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ତାଙ୍କୁ ଠେଙ୍ଗା ଓ ଛୁରିରେ ଆକ୍ରମଣ କରି କାର୍‌ରେ ବସାଇ ଅପହରଣ କରିଥିଲେ। ଏହା ପରେ କାର୍‌ରେ ତାଙ୍କୁ ମାଡ଼ ମାରିବା ସହ ଅନ୍‌ଲାଇନ୍‌ରେ ତାଙ୍କ ମୋବାଇଲ୍‌ରୁ ଟଙ୍କା ନେଇଥିଲେ। ରାତି ତମାମ୍ ମାଡ଼ ମାରି ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଫୋପାଡ଼ି ଫେରାର୍ ହୋଇ ଯାଇଥିଲେ।

ସୁନନ୍ଦଙ୍କ ସ୍ତ୍ରୀ ସୋନାଲି ସ୍ବାମୀଙ୍କ ବିଷୟରେ ଖବର ପାଇ ଘଟଣା ସଂପର୍କରେ ତମାଣ୍ଡୋ ଥାନାରେ ଗତ ମାର୍ଚ୍ଚ ୨୬ରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ଖୋଳତାଡ଼ କରି ସୁରେଶଙ୍କୁ ଗିରଫ କରିଥିବା ବେଳେ ଆହୁରି ୨ଜଣ ସହଯୋଗୀ ଫେରାର୍ ଅଛନ୍ତି।

ସମ୍ବନ୍ଧିତ ଖବର