ଘରୁ ଚୋରି କରି ଜଣେ ଗିରଫ: ଧରାଇଦେଲା ହିଡେନ୍‌ କ୍ୟାମେରା, ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ

ଚନ୍ଦ୍ରଶେଖରପୁର: ଚୋରି ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଆଜି ସ୍ବରୂପ ଦାସ (୪୮) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ତା’ଠାରୁ ପୁଲିସ୍‌ ଗୋଟିଏ ସୁନା ଚେନ୍‌, ଦୁଇହଳ ସୁନା କାନଫୁଲ ଓ ଗୋଟିଏ ସୁନା ମୁଦି ଜବତ କରିଛି। ନାଲ୍‌କୋ କଲୋନିରେ ରହୁଥିବା ଆଶୁତୋଷ ଠାକୁର(୩୮)ଙ୍କ ଘରୁ ଗତକାଲି ସଂଧ୍ୟାରେ ସ୍ବରୂପ ୫ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ୍‌ ସୂଚନା ଅନୁଯାୟୀ, ସ୍ବରୂପ ନାଲ୍‌କୋ କଲୋନି ନିକଟରେ ରହେ। ଗତକାଲି ଆଶୁତୋଷଙ୍କ ଘରେ କେହି ନଥିବା ସୁଯୋଗ ନେଇ ସ୍ବରୂପ ପାଚେରି ଡେଇଁ ତାଙ୍କ ଘରେ ପଶିଥିଲା। ଶୋଇବା ଘରେ ଥିବା ଆଲମାରିରୁ ପାଖାପାଖି ୫ଲକ୍ଷ ଟଙ୍କାର ସୁନା ଗହଣା ‌ଲୁଟ୍‌ କରି ପଳାଇଥିଲା। କିଛି ସମୟ ପରେ ଆଶୁତୋଷ ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

ଘର ଭିତରେ ଲାଗିଥିବା ଏକ ହିଡେନ୍‌ କ୍ୟାମେରାରୁ ସେ ଜାଣିବାକୁ ପାଇଥିଲେ ଯେ ‌ସ୍ବରୂପ ତାଙ୍କ ଘରେ ପଶି ଏପରି କାଣ୍ଡ କରିଛି। ତେଣୁ ସେ ତୁରନ୍ତ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ସ୍ବରୂପକୁ ଗିରଫ କରି ପଚରାଉଚରା କରିବାରୁ ସେ ସବୁ ମାନି ଯାଇଥିଲା ଓ ଚୋରି ସାମଗ୍ରୀ ତା’ ଘରେ ରଖିଥିବା କହିଥିଲା। ପୁଲିସ୍ ଘଟଣାସ୍ଥଳକୁ ଯାଇ ଚୋରି ସାମଗ୍ରୀ ଜବତ କରିବା ସହିତ ଚୋରକୁ କୋର୍ଟ ଚାଲଣ କରିଛି। ଏନେଇ ଥାନାରେ ନମ୍ବର ୧୪୬/୨୧ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର